ନିଲାମ ହେବ ବାଲେଶ୍ବର ଆଲଏଜ୍ ଖଣି, କାରଖାନା

କାଳିଆପାଣି  : ବାଲେଶ୍ବର ଆଲଏଜ୍ କମ୍ପାନି ମାଲିକାନାରେ ଥିବା କାଳିଆପାଣି ଇସ୍ପାତ କ୍ରୋମାଇଟ୍‌ ଖଣି ଓ ବାଲେଶ୍ବର ଉପକଣ୍ଠ ଫେରୋକ୍ରୋମ୍‌ କାରଖାନା ନିଲାମ ହେବ। ଋଣଦାତା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍ପକ୍ଷରୁ ଆସନ୍ତାକାଲିକୁ ଇ-ଅକ୍ସନ ଲାଗି ଶେଷଦିନ ଧାର୍ଯ୍ୟ କରିଛି।

ଖଣି କର୍ତ୍ତୃପକ୍ଷଙ୍କ ଉପରେ ଏସ୍‌ବିଆଇର ୧୮୬ କୋଟି ୧୦ ଲକ୍ଷ ଟଙ୍କାର ଋଣ ଅନାଦେୟ ଥିବା ଉଲ୍ଲେଖ ରହିଛି। ନିଲାମ ସଂରକ୍ଷଣ ମୂଲ୍ୟ ୧୭୮ କୋଟି ୨୨ ଲକ୍ଷ ଟଙ୍କା ରଖାଯାଇଛି। ନିଲାମରେ ଭାଗ ନେବାପାଇଁ ୬ ସଂସ୍ଥା (ବିଡର) ବେଦାନ୍ତ, ଟାଟା, ଜେଏସ୍‌ଡବ୍ଲ୍ୟୁ, ଜେଏସ୍‌ଏଲ୍‌, ଶ୍ୟାମ ମେଟାଲିକ୍ସ ଓ ଓଡ଼ିଶା ମେଟାଲିକ୍ସ(ଓଏମ୍‌ପିଏଲ୍‌) ଆଗ୍ରହୀ ଥିବା ସୂଚନା ମିଳିଛି। ଆଜି ସୁଦ୍ଧା ବାଲେଶ୍ବର ଆଲଏଜ୍ ଖଣିର ପରିଦର୍ଶନ ଓ ନିରୀକ୍ଷଣ ସମୟସୀମା ରହିଥିଲା। ବିଡର୍‌ମାନେ କାଳିଆପାଣି ଗସ୍ତରେ ଆସିଥି‌ଲେ ହେଁ ବାଲେଶ୍ବର ଆଲଏଜ୍ ଖଣି କର୍ତ୍ତୃପକ୍ଷ କାହାକୁ ପ୍ରବେଶ ଅନୁମତି ଦେଇନଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ, ଖଣି ଷ୍ଟାକ୍‌ୟାର୍ଡରେ ୨୨ ହଜାର ମେଟ୍ରିକ୍‌ ଟନ୍‌ ଉତ୍ତୋଳିତ କ୍ରୋମାଇଟ୍‌ ଗଚ୍ଛିତ ଥିବା ସହ ଅନୁକୂଳ ଭିତ୍ତିଭୂମି ଥାଇ କମ୍ପାନି ଅଧୀନରେ ଥିବା ସୁକିନ୍ଦା ଜବାମୟୀ ଫେରୋ ଆଲଏଜ୍ କାରଖାନା ଓ ବାଲେଶ୍ବର ଫେରୋ ଆଲଏଜ୍ କାରଖାନା ଦେଢ଼ବର୍ଷ ଧରି ଅଚଳ ପଡ଼ିଥିଲା। ଗତ ଅକ୍ଟୋବର ୨୦ ତାରିଖରୁ କାଳିଆପାଣି ଇସ୍ପାତ କ୍ରୋମାଇଟ୍‌ ଖଣି କାର୍ଯ୍ୟକ୍ଷମ ହୋଇଥିଲା। ଧୀରେଧୀରେ କର୍ମଚାରୀମାନେ ଖଣିକୁ ଫେରିଛନ୍ତି। ଏବେ ୩ଶହ ପାଖାପାଖି କର୍ମଚାରୀ ଓ ୧୦ ରୁ ୧୫ ଜଣ ଅଫିସରଙ୍କୁ ନେଇ ଖଣି ଖନନ ଓ ଖଣିଜ ଉତ୍ପାଦନ ଜାରି ରହିଛି। ୫ ମାସ ପରେ କମ୍ପାନି ପୂର୍ବବତ୍ ନିଜ ଗୋଡ଼ରେ ଠିଆ ହେବା ଉଦ୍ୟମ କଲାବେଳକୁ ଏ ନିଲାମ ଆହ୍ବାନ ପ୍ରକ୍ରିୟା ସାଧାରଣରେ ସଂଶୟର କାରଣ ହୋଇଛି।

ସମ୍ବନ୍ଧିତ ଖବର