ଭଲ ଚଳଚ୍ଚିତ୍ର ପାଇଁ ଦର୍ଶକ ଖୋଜା ପଡ଼ନ୍ତିନି: ଦୀପନ୍ବିତ

ବାଲେଶ୍ବର: ଓଡ଼ିଆ ସିନେ ଜଗତରେ ମାଇଲ୍‌ଖୁଣ୍ଟ ସାଜୁଥିବା ସତ୍ୟ ଘଟଣା ଉପରେ ଆଧାରିତ ଚଳଚ୍ଚିତ୍ର ‘ଦମନ’ରେ ମୁଖ୍ୟ ଅଭିନେତା ବାବୁସାନଙ୍କ ସହ ଦୀପନ୍ବିତ ଦାଶମହାପାତ୍ର (୨୭) ଦମ୍‌ଦାର ଅଭିନୟ କରିଛନ୍ତି। ଦୀପନ୍ବିତଙ୍କ ଅଭିନୟକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌ ନିଶ୍ଚିନ୍ତପୁର ପଞ୍ଚାୟତ କୁଡ଼େଇ ଗ୍ରାମରେ ଦୀପନ୍ବିତଙ୍କ ଘର। ବାପା ଜିତେନ୍ଦ୍ରନାଥ ଦାଶମହାପାତ୍ର ଓ ମାଆ ଜ୍ୟୋତ୍ସ୍ନାରାଣୀ ଦାଶମହାପାତ୍ରଙ୍କ ପୁଅ ହେଉଛନ୍ତି ଦୀପନ୍ବିତ। ବଡ଼ଜେଜେ ବାପା ଯଦୁନାଥ ଦାଶମହାପାତ୍ର ଶିକ୍ଷାମନ୍ତ୍ରୀ ଥିଲେ। ସୋର ଏସ୍‌ଏନ୍‌ ହାଇସ୍କୁଲ୍‌ରୁ ମାଟ୍ରିକ୍‌ ଏବଂ ୟୁଏନ୍‌ କଲେଜରୁ ଯୁକ୍ତଦୁଇ ପାସ୍‌ କରିବା ପରେ ଭୁବନେଶ୍ବର ଆଇଟିଆର୍‌ରୁ ବିଟେକ୍‌ ପାସ୍‌ କରିଥିଲେ। ପାଠ ପଢ଼ିବା ସମୟରେ ରବୀନ୍ଦ୍ର ମଣ୍ଡପରେ ବିଭିନ୍ନ ନାଟକ ଦେଖି ଦୀପନ୍ବିତଙ୍କର ଅଭିନୟ ପ୍ରତି ରୁଚି ବଢ଼ିଥିଲା।

ଏହା ପରେ ଚାକିରି ନକରି ସେ ଅଭିନୟକୁ ନିଜ କ୍ୟାରିୟର ଭାବେ ଗ୍ରହଣ କରି ଥିଏଟର ଗ୍ରୁପ୍‌ରେ ଯୋଗଦେଲେ। ଏବେ ସେ ‘ଜୀବନରେଖା’ ଥିଏଟର ଗ୍ରୁପ୍‌ରେ କାମ କରୁଥିବା ବେଳେ ବିଭିନ୍ନ ନାଟକ ସହିତ କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରୁଛନ୍ତି। ନିଜେ ମଧ୍ୟ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରନ୍ତି। ‘ଦ ଲଷ୍ଟ ଆଇଡିଆ’ ଓ ‘ଚରିତ୍ର’ ଚଳଚ୍ଚିତ୍ରରେ ସେ ଅଭିନୟ କରିଛନ୍ତି। ଫକୀରମୋହନ ସେନାପତିଙ୍କ ଉପରେ ପର୍ଯ୍ୟବେଶିଷ ‘ବ୍ୟାସେ ଶୁଣୁଛ’ କ୍ଷୁଦ୍ର ଚଳଚ୍ଚିତ୍ରରେ ଅଭିନୟ କରି ସେ ବିପୁଳ ପ୍ରଶଂସା ସାଉଁଟିଥିଲେ। ଏବେ ପୁଣିି ସେ ଚଳଚ୍ଚିତ୍ର ‘ଦମନ’ରେ ଚମକିଛନ୍ତି। ଏହି ଚଳଚ୍ଚିତ୍ର ଓଲିଉଡ଼ର ସବୁ ରେକର୍ଡକୁ ଭାଙ୍ଗିସାରିଲାଣି। ଆସନ୍ତା ଡିସେମ୍ବର ମାସରେ ଚଳଚ୍ଚିତ୍ର  ‘ପ୍ରତୀକ୍ଷା’ ରିଲିଜ୍‌ ହେବ। ଯେଉଁଥିରେ ଦୀପନ୍ବିତ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ର ରିଲିଜ୍‌ ହେବା ପୂର୍ବରୁ ଇଣ୍ଟରନ୍ୟାସନାଲ୍‌ ଫିଲ୍ମ ଫେଷ୍ଟିଭାଲ୍‌ ଅଫ୍‌ ଇଣ୍ଡିଆ (ଆଇଏଫ୍‌ଏଫ୍‌ଆଇ)ରେ ଶ୍ରେଷ୍ଠ ୨୫ଟି ଚଳଚ୍ଚିତ୍ର ମଧ୍ୟରେ ଓଡ଼ିଆ ଭାଷାର ଏକମାତ୍ର ଚଳଚ୍ଚିତ୍ର ଭାବେ ସ୍ଥାନ ପାଇଛି। ବାଲେଶ୍ବରକୁ ଗର୍ବିତ କରିଥିବା ସଫଳ ଦୀପନ୍ବିତଙ୍କ ସହ କଥା ହୋଇଛନ୍ତି ‘ସମ୍ବାଦ’ ବାଲେଶ୍ବର ସହର ପ୍ରତିନିଧି କବିତା ପାତ୍ର।

ଓଡ଼ିଆ ସିନେମାରେ ନୂଆ ଇତିହାସ ସୃଷ୍ଟି କରୁଛି ‘ଦମନ’।  ଆପଣ କେତେ ଖୁସି ଅଛନ୍ତି?

ଦୀପନ୍ବିତ: ବହୁତ ଖୁସି ଲାଗୁଛି। କେବେ ଭାବି ନଥିଲୁ ଚଳଚ୍ଚିତ୍ରକୁ ଏତେ ସଫଳତା ମିଳିବ। ଯେତେବେଳେ ଦର୍ଶକଙ୍କ ପ୍ରଶଂସା ଶୁଣୁଛି, ଗର୍ବ ଅନୁଭବ ହେଉଛି।

‘ଦମନ’ରେ କେମିତି ସୁଯୋଗ ପାଇଲେ?

ଦୀପନ୍ବିତ: ‘ଦମନ’ ଚଳଚ୍ଚିତ୍ର ପାଇଁ ଅଡିସନ୍‌ ଦେଇନାହିଁ। ପୂର୍ବରୁ ‘ରାବଣ ପୋଡ଼ି’ ବୋଲି ଏକ ୱେବ୍‌ସିରିଜ୍‌ କରିଥିଲି। ଏହା ଦେଖି ନିର୍ଦ୍ଦେଶକ ଦେବୀ ପ୍ରସାଦ ଲେଙ୍କା ପ୍ରଶଂସା କରିଥିଲେ। ବହୁ ବର୍ଷ ପରେ ହଠାତ୍‌ ଦିନେ ସେ ମୋତେ ଫୋନ୍‌ କରି ‘ଦମନ’ ଚଳଚ୍ଚିତ୍ର କରିବାକୁ ଅଫର ଦେଇଥିଲେ। ମୁଁ ଷ୍ଟୋରୀ ପଢ଼ିବା ପରେ ଅଭିନୟ ପାଇଁ ରାଜି ହୋଇଗଲି।

ଏଭଳି ଚଳଚ୍ଚିତ୍ର କେବେ ହୋଇ ନଥିଲା। ଓଡ଼ିଆ ସିନେଜଗତ ପାଇଁ ଏହା ଉଦାହରଣୀୟ ହେବ ବୋଲି କୁହାଯାଉଛି। ଆପଣଙ୍କ ମତ?

ଦୀପନ୍ବିତ: ଦର୍ଶକ ଯାହା ଚାହୁଁଛନ୍ତି ଆମେ ଦେଇପାରୁନୁ। ଯାହାଫଳରେ ଓଡ଼ିଆ ସିନେଜଗତ ଆଜି ସଂକଟ ଭିତରେ ଚାଲିଛି। ତେଣୁ ଦର୍ଶକ ଭିନ୍ନ ସ୍ବାଦର ଚଳଚ୍ଚିତ୍ର ଦେଖିବାକୁ ଚାହୁଁଥିଲେ। ଯାହା ଆମେ ଦେବାକୁ ଚେଷ୍ଟା କରିଛୁ। ଏହି ଚଳଚ୍ଚିତ୍ରରୁ ଗୋଟିଏ କଥା ବୁଝାପଡ଼ୁଛି, ଭଲ ଚଳଚ୍ଚିତ୍ର ପାଇଁ ଦର୍ଶକ ଅଛନ୍ତି।

ଚଳଚ୍ଚିତ୍ରରେ ରେମାନ୍ସ କି ଆଇଟମ୍‌ ଗୀତ ନାହିଁ। ଏହାର ଗ୍ରହଣୀୟତାକୁ ନେଇ ସଂଦେହ ଥିଲା?

ଦୀପନ୍ବିତ: ‘ଦମନ’ ଚଳଚ୍ଚିତ୍ର ଓଡ଼ିଶାବାସୀଙ୍କୁ ଭଲଲାଗିବ ବୋଲି ଜାଣିଥିଲୁ। ହେଲେ ଏତେ ଭଲ ଲାଗିବ ବୋଲି ଆଶା ନଥିଲା। ବିନା ରୋମାନ୍ସ ଓ ଗୀତରେ ବି ଚଳଚ୍ଚିତ୍ର ଦର୍ଶକଙ୍କ ହୃଦୟକୁ ଛୁଇଁପାରିବ। ‘ଦମନ’ ହେଉଛି ତା’ର ଉଦାହରଣ।

ଆଗକୁ ଓଡ଼ିଆ ସିନେଜଗତକୁ କ’ଣ ‘ଦମନ’ ଭଳି ଚଳଚ୍ଚିତ୍ର ଦର୍ଶକ ସଂକଟରୁ ଉଦ୍ଧାର କରିପାରିବ ବୋଲି ଭାବୁଛନ୍ତି।

ଦୀପନ୍ବିତ: ଖାଲି କାହାଣୀ ହେଲେ ଚଳଚ୍ଚିତ୍ର ଭଲ ହେବନି। ସଫଳ ଚଳଚ୍ଚିତ୍ର କରିବାକୁ ହେଲେ କାହାଣୀ ସହିତ ନିର୍ଦ୍ଦେଶକ, ବଳିଷ୍ଠ କଳାକାର, ସଂଗୀତ, ଶବ୍ଦ, କ୍ୟାମେରା ଓ ଉପସ୍ଥାପନା ଶୈଳୀ ବି ଗୁରୁତ୍ବପୂର୍ଣ୍ଣ। ତେବେ ଯାଇ ସେ ଚଳଚ୍ଚିତ୍ରକୁ ଦର୍ଶକ ପସନ୍ଦ କରିବେ। ଭଲ ଚଳଚ୍ଚିତ୍ର ପାଇଁ ଦର୍ଶକ ଖୋଜାହୁଅନ୍ତି ନାହିଁ। ଭଲ ଚଳଚ୍ଚିତ୍ର ତା’ର ଦର୍ଶକ ସୃଷ୍ଟି କରେ।

ଚିକିରି ନକରି ଅଭନୟ କଲେ। ଜଣେ ସଫଳ ଅଭିନେତା ଭାବେ ଆଗକୁ କ’ଣ ଲକ୍ଷ୍ୟ ରଖିଛନ୍ତି?

ଦୀପନ୍ବିତ: ଜଣେ ଅଭିନେତା ଯାହା ଚାହେଁ, ମୋର ବି ସେଇ ଇଚ୍ଛା। ଚଳଚ୍ଚିତ୍ରରେ ଦକ୍ଷତା ପ୍ରତିପାଦନ କରିବି। ଦର୍ଶକଙ୍କ ମନରେ ଛାପ ଛାଡ଼ିବି।  କିଛି ଭଲ ସିନେମା ନିର୍ମାଣ କରିବାର ମଧ୍ୟ ଲକ୍ଷ୍ୟ ରଖିଛି।

ସମ୍ବନ୍ଧିତ ଖବର