ଭୁବନେଶ୍ବର : ରାଜ୍ୟର ଘରୋଇ ହସ୍ପିଟାଲରେ ପ୍ରସବ ଜନିତ ଅସ୍ତ୍ରୋପଚାର(ସି-ସେକ୍ସନ୍) ହାର ଯଥେଷ୍ଟ ଅଧିକ ରହିଛି। ସରକାରୀ ହସ୍ପିଟାଲ ତୁଳନାରେ ଘରୋଇ ହସ୍ପିଟାଲରେ ସି-ସେକ୍ସନ୍‌ର ଏଭଳି ଅସ୍ବାଭାବିକ ବୃଦ୍ଧି ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଘରୋଇ ହସ୍ପିଟାଲରେ ଏତେ ସଂଖ୍ୟକ ସି-ସେକ୍ସନ୍ କରାଯିବା ପଛ‌ର କ’ଣ କାରଣ ରହିଛି ତାହା ଜାଣିବା ଲାଗି ସି-ସେକ୍ସନ୍ ଅଡିଟ୍‌ କରିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ମେ’ ୧ତାରିଖରୁ ଏହି ଅଡିଟ୍‌ ଆରମ୍ଭ ହେବ। ଏ ନେଇ ରାଜ୍ୟ ପରିବାର କଲ୍ୟାଣ ନିର୍ଦେଶକ ସବୁ ସିଡିଏମ୍‌ଓମାନଙ୍କୁ ଚିଠି ଲେଖି ସୂଚନା ଦେଇଛନ୍ତି।

Advertisment

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ(ଏନ୍‌ଏଫ୍‌ଏଚ୍‌ଏସ୍‌)-୪ ରାଜ୍ୟରେ ସି-ସେକ୍ସନ୍ ହାର ୫୩.୭ ପ୍ରତିଶତ ଥିବା ବେଳେ ଏନ୍‌ଏଫ୍‌ଏଚ୍‌ଏସ୍‌-୫ରେ ଏହାର ୭୦.୭ ପ୍ରତିଶତକୁ ବୃଦ୍ଧି ପାଇଛି। ଯାହାକି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ) ପକ୍ଷରୁ ଜାରି ହୋଇଥିବା ଧାର୍ଯ୍ୟ ମାନଦଣ୍ଡଠାରୁ ବି ଅଧିକ। ୨୦୧୫ ମସିହାରେ ‘ହୁ’ ପକ୍ଷରୁ ସି-ସେକ୍ସନ୍ ହାର ସଂପର୍କରେ ପୁନଃ ସମୀକ୍ଷା ହୋଇଥିଲା। ଜନସଂଖ୍ୟା ଦୃଷ୍ଟିରୁ ସି-ସେକ୍ସନ୍ ହାର ୧୦ ପ୍ରତିଶତରୁ ଅଧିକ ରହିବା, ମାତୃ ଓ ନବଜାତକ ମୃତ୍ୟୁ ହ୍ରାସ କରିବା ସହିତ କୌଣସି ସଂପର୍କ ନାହିଁ। ତେଣୁ ରାଜ୍ୟରେ ସି-ସେକ୍ସନ୍ ହାର କାହିଁକି ବଢ଼ୁଛି ତାହାର ଅନୁଧ୍ୟାନ ହେବା ଜରୁରୀ ହୋଇପଡ଼ିଛି।

ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୩ଟି ପ୍ରୋଟୋଟାଇପ୍‌(ପ୍ରତିକୃତି) ଫର୍ମାଟ୍ ପ୍ରସ୍ତୁତ କରାଯିବା ସହିତ ଜିଲ୍ଲାମାନଙ୍କୁ ପ୍ରଦାନ କରାଯାଇଛି। ଫର୍ମାଟ୍‌-ଏ ଅନୁଯାୟୀ ସି-ସେକ୍ସନ୍ ଅଡିଟ୍‌ ପରେ ଫର୍ମାଟ୍‌-ବି ସହିତ ସଂକଳନ କରାଯିବ। ସିଡିଏମ୍‌ଓ ଏହାର ଯାଞ୍ଚ କରିବା ପରେ ଫର୍ମାଟ୍‌-ସି ଅନୁଯାୟୀ ଏହାକୁ ନିର୍ଦେଶାଳୟକୁ ପଠାଇବେ। ସି-ସେକ୍ସନ ଅଡିଟ୍‌ ଯେପରି ଠିକ୍ ଭାବେ କରାଯିବ ‌ଏଥିପାଇଁ ଜଣେ ଅଧିକାରୀଙ୍କୁ ସିଡିଏମ୍‌ସ ନିୟୋଜିତ କରିବେ। ଯିଏକି ଘରୋଇ ହସ୍ପିଟାଲ ସହିତ ଯୋଗାଯୋଗରେ ରହିବେ। ଆଗାମୀ ଦିନରେ ରାଜ୍ୟରେ ମା’ ଓ ଶିଶୁ ସ୍ବାସ୍ଥ୍ୟକୁ ଅଧିକ କ୍ରିୟାଶୀଳ କରିବାରେ ଏହା ସହାୟକ ହୋଇପାରିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।