ପୌରସଂସ୍ଥାଙ୍କୁ ୮ ମାସର ଆୟ ହିସାବ ତଲବ

ନଗର ଉନ୍ନୟନ ବିଭାଗର ରାଜସ୍ୱ ଚିନ୍ତା

ଭୁବନେଶ୍ୱର : ରାଜ୍ୟର ସମସ୍ତ ସହରାଞ୍ଚଳରୁ ସମ୍ପତ୍ତି କର, ପୌରସଂସ୍ଥା ଅଧୀନରେ ଥିବା ସମ୍ପତ୍ତିରୁ ଭଡ଼ା, ଟ୍ରେଡ୍‌ ଲାଇସେନ୍ସ, ୟୁଜର୍ସ ଫି’, ପାର୍କିଂ ଫି’, ବିଜ୍ଞାପନ, ଲାଇସେନ୍ସ ଫି’ କଡ଼ାକଡ଼ି ଆଦାୟ କରିବାକୁ କୁହାଯାଇଛି। ହେଲେ ରାଜ୍ୟର କୌଣସି ଗୋଟିଏ ମହାନଗର ନିଗମ, ମ୍ୟୁନିସପାଲଟି, ଏନ୍‌ଏସିରୁ ବି ଏହି ସମସ୍ତ ଫି’ ଠିକ୍‌ ଭାବେ ଆଦାୟ ହେଉନି। ଯେଉଁ ସହରାଞ୍ଚଳ ପାଇଁ ଯେତିକି ଟାର୍ଗେଟ୍‌ ରଖାଯାଉଛି ତାକୁ କେହି ପୂରଣ କରୁନାହାନ୍ତି। ରାଜସ୍ୱ ଆଦାୟ ପୌରସଂସ୍ଥାଗୁଡ଼ିକର ମୁଖ୍ୟ କାର୍ଯ୍ୟ ହୋଇଥିଲେ ହେଁ କୌଣସି ପୌରସଂସ୍ଥା ଏହାକୁ ଗୁରୁତ୍ୱ ଦେଉନାହାନ୍ତି। ତେଣୁ ସବୁ ପୌରସଂସ୍ଥା କର୍ତ୍ତୃପକ୍ଷ ସେମାନଙ୍କୁ ଦିଆଯାଇଥିବା ଟାର୍ଗେଟ ଅନୁଯାୟୀ ରାଜସ୍ୱ ଆଦାୟ କରିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ତାଗିଦ୍‌ କରାଯାଇଛି।

ଏପ୍ରିଲ ୨୦୧୭ରୁ ଡିସେମ୍ବର ୨୦୧୭ ମଧ୍ୟରେ କେଉଁ ପୌରସଂସ୍ଥା କେଉଁ କ୍ଷେତ୍ରରେ କେତେ ରାଜସ୍ୱ ଆଦାୟ କରିଛନ୍ତି, ଦିଆଯାଇଥିବା ବାର୍ଷିକ ଟାର୍ଗେଟ୍‌ର କେତେ ପ୍ରତିଶତ ଆଦାୟ କରିଛନ୍ତି ତା’ର ସବିଶେଷ ତଥ୍ୟ ଆସନ୍ତା ୧୮ତାରିଖ ସୁଦ୍ଧା ଦେବାକୁ କୁହାଯାଇଛି। ଏପରିକି ଏଣିକି ରାଜସ୍ୱ ଆଦାୟ ନେଇ ଆଉ ମାସିକ ସମୀକ୍ଷା ନକରି ସାପ୍ତାହିକ ସମୀକ୍ଷା ହେବ। ମହାନଗର ନିଗମର କମିସନର, ପ୍ରତ୍ୟେକ ମ୍ୟୁନିସପାଲଟି ଏବଂ ଏନ୍‌ଏସିର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ପ୍ରତି ସପ୍ତାହରେ ରାଜସ୍ୱ ଆଦାୟର ସମୀକ୍ଷା କରି ରିପୋର୍ଟ ଦେବାକୁ ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ୍‌ ନାୟକ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଯେଉଁ ପରିମାଣରେ ଅର୍ଥ ଖର୍ଚ୍ଚ କରୁଛନ୍ତି ସେଥିରେ ବହୁ ପ୍ରକଳ୍ପ ପୂର୍ଣ୍ଣାଙ୍ଗ ହୋଇପାରୁନି। ଏପରିକି ଅଧିକାଂଶ ପ୍ରକଳ୍ପର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଅର୍ଥ ମଞ୍ଜୁର କରାଯାଇପାରୁନି। ତେଣୁ ସମସ୍ତ ପୌରାଞ୍ଚଳ କର୍ତ୍ତୃପକ୍ଷ ନିଜସ୍ୱ ଆୟ ବଢ଼ାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜସ୍ୱ ବୃଦ୍ଧି ପାଇଁ ଅଭିଯାନ ଯୋଜନା(୨୦୧୭-୧୮) ପ୍ରସ୍ତୁତ କରାଯାଇଛି। ଏଥିରେ ରାଜ୍ୟର ସମସ୍ତ ୧୧୨ଟି ସହରାଞ୍ଚଳ ପାଇଁ କେଉଁ କ୍ଷେତ୍ରରେ କେତେ ରାଜସ୍ୱ ଆଦାୟ ହେବ ତାହାର ଟାର୍ଗେଟ ରଖାଯାଇଛି। ସହରବାସୀଙ୍କୁ ପୌରସଂସ୍ଥାଗୁଡ଼ିକ ସମସ୍ତ ପ୍ରକାରର ମୌଳିକ ସୁବିଧାସୁଯୋଗ ଯୋଗାଇବେ ଓ ଏଥିପାଇଁ ବି ନିୟମିତ ରାଜସ୍ୱ ଆଦାୟ କରିବେ। ସହରାଞ୍ଚଳବାସୀ ନିୟମ ଅନୁଯାୟୀ ସମସ୍ତ ପ୍ରକାରର ସେବାର ଦେୟ ଦେବାକୁ ବାଧ୍ୟ। ଯିଏ ରାଜସ୍ୱ ନ ଦେବେ ତାଙ୍କ ଠାରୁ ଜରିମାନା ଆଦାୟ ହେବ କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଛି।

ସମସ୍ତ ପୌରସଂସ୍ଥା କର୍ତ୍ତୃପକ୍ଷ ଚଳିତ ଆର୍ଥିକ ବର୍ଷରେ ଲାଇସେନ୍ସ ଫି’, ୟୁଜର୍ସ ଫି, ସମ୍ପତ୍ତି କର, ଟ୍ରେଡ୍‌ ଲାଇସେନ୍ସ, ବିଜ୍ଞାପନ ଫି’, ମୋବାଇଲ୍‌ ଟାଓ୍ଵାର ଫି’ ଠାରୁ ଆରମ୍ଭ କରି ଯେଉଁ ଉପାୟରେ ଯେତିକି ଫି’ ଆଦାୟ କରିବାକୁ ଲକ୍ଷ୍ୟ ରଖିଛନ୍ତି ସେତିକି ଆଦାୟ କରିବେ। ନଚେତ୍‌ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି ହେବ। ହେଲେ ଏହି ଟାର୍ଗେଟ କେତେଦୂର ସଫଳ ହେବ ସେନେଇ ଆଶଙ୍କା ସୃଷ୍ଟି ହୋଇଛି। ଭୁବନେଶ୍ୱରରେ ୟୁଜର୍ସ ଫି’ ଆଦାୟ ନେଇ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିବା ପରେ ରାଜ୍ୟର କୌଣସି ମହାନଗର ନିଗମ କି ଅନ୍ୟ ପୌରସଂସ୍ଥାରେ ୟୁଜର୍ସ ଫି’ ଆଦାୟ ହେଉନି। ଏହି ଫି’ ବାବଦକୁ ଟାର୍ଗେଟ କମିବ। ଏହାବାଦ୍‌ ସମ୍ପତ୍ତି କର/ ହୋଲଡିଂ ଟିକସ ପୁନଃ ଆକଳନ କୌଣସି ସ୍ଥାନରେ ବି ହୋଇନଥିବାରୁ ଏହାର ଟାର୍ଗେଟ୍‌ ମଧ୍ୟ କମିବାର ସମ୍ଭାବନା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର