ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ

ଆଳି: କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଥାନା ଅଞ୍ଚଳରେ ଜଣେ ଯୁବକଙ୍କର ଆଜି ପୋଖରୀରେ ବୁଡ଼ି ମୃତ୍ୟୁ ଘଟିଥିବାର ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଆଳି ଥାନା ଅନ୍ତର୍ଗତ ଗୌଡ଼ପାଟଣା ଗ୍ରାମର ଭାବଗ୍ରାହୀ ପରିଡ଼ା (୪୨)ଆଜି ସକାଳ ୬ ଟାରେ କଟକ-ଚାନ୍ଦବାଲି ମୁଖ୍ୟ ରାସ୍ତା କଡ଼ରେ ଥିବା ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ବହୁ ସମୟ ଧରି ଭାବଗ୍ରାହୀ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ପୋଖରୀ ତୁଠରେ ଭାବଗ୍ରାହୀଙ୍କ ଚପଲ, ବ୍ରସ୍ ଥିବାର ଦେଖି ପୋଖରୀରେ ଖୋଜାଖୋଜି କରିବା ପରେ ଭାବଗ୍ରାହୀଙ୍କୁ ପାଣିରେ ବୁଡ଼ିଥିବା ଅବସ୍ଥାରେ ପାଇଥିଲେ।

ପରିବାର ଓ ଗ୍ରାମବାସୀ ଭାବଗ୍ରାହୀଙ୍କୁ ଆଳି ସରକାରୀ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଭାବଗ୍ରାହୀଙ୍କର ୨ ପୁଅ, ଝିଅ ଓ ପତ୍ନୀ ଅଛନ୍ତି। ଭାବଗ୍ରାହୀଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି। ଏହି ଘଟଣା ଆଳି ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର