ଆଳି: ଆଳି ବ୍ଲକର ନିଆଳ ପଞ୍ଚାୟତର ବିଦେଶ ଫେରନ୍ତା ଜଣେ ଯୁବକଙ୍କର ଗତକାଲି ରାତିରେ କୋରେନା ପଜିଟିଭ ଚିହ୍ନଟ ହେବା ପରେ ଆଳି ବ୍ଲକର ୧୧ଟି ରାଜସ୍ବ ଗ୍ରାମ ସମେତ ୨ଟି ପଡାଗ୍ରାମ ଓ ଆଳିର୨ଟି ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ ନିଆଳହାଟ ଓ ଆଳି ନୂଆବଜାର ଅଞ୍ଚଳକୁ ୪୮ ଘଣ୍ଟିଆ ସଟ୍ ଡାଉନ ଘୋଷଣା କରାଯାଇଛି। ଲକଡାଉନ ଘୋଷିତ ନିଆଳ ପଞ୍ଚାୟତର ରାଧାନଗର, ବଳଭଦ୍ରପୁର ଶାସନ,ଗୋପୀନାଥପୁର, ଗୋପାଳରାୟପୁର,ଛୋଟନାଥପୁର,ନିଆଳ,ଗୌଡପାଟଣା, ଶିଳାସ୍ତମ୍ଭ,ମେଣ୍ଢପୁର ପଞ୍ଚାୟତର ଗୋପ,କଣ୍ଟିପୁର,ତୁଳସୀ ଗ୍ରାମରେ କଟକଣା ଜୋରଦାର କରାଯାଇ ଘରୁ ବାହାରିବାକୁ ନିଷେଧ କରାଯାଇଛି।ଏଥି ସହିତ ରାଧାନଗର ଗ୍ରାମକୁ ସଂପୂର୍ଣ୍ଣ ସାନିଟାଇଜ କରାଯାଇ ଲକ ଡାଉନ ଘୋଷିତ ସମସ୍ତ ଗ୍ରାମରେ ଡାକ୍ତରୀ ଟିମ ମୁତୟନ କରାଯାଇଛି। ଆଳି ବ୍ଲକର ୧୨ଟି ଗାଁକୁ ସିଲ୍ କରିଛି ପ୍ରଶାସନ । ଆକ୍ରାନ୍ତଙ୍କ ଗାଁର ୩ କିମି ପରିଧି ଭିତରେ ଥିବା ୧୨ଟି ଗାଁକୁ ସିଲ୍ କରି ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ଏହି ଅଞ୍ଚଳର ଲୋକଙ୍କୁ ପ୍ରଶାସନ ପକ୍ଷରୁ ସମସ୍ତ ଅତ୍ୟାବଶ୍ୟକ ସେବା ଯୋଗାଇ ଦିଆଯିବ ବୋଲି କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ କଟକର ଅଶ୍ୱିନୀ ହସ୍ପିଟାଲକୁ ଉକ୍ତ କରୋନା ଆକ୍ରାନ୍ତଙ୍କୁ ସ୍ଥାନାନ୍ତର କରାଯାଇଛି । ଏହା ସହିତ ତାଙ୍କ ସଂସ୍ପର୍ଶରେ କେଉଁମାନେ ଆସିଥିଲେ ସେ ନେଇ ପ୍ରଶାସନ ପକ୍ଷରୁ ଅନୁଧ୍ୟାନ ଆରମ୍ଭ ହୋଇଛି ।
ସୂଚନାଯୋଗ୍ୟ, ଗତକାଲି ରାତିରେ କେନ୍ଦ୍ରାପଡ଼ା ଜିଲ୍ଲାର ଜଣେ ଦୁବାଇ ଫେରନ୍ତା ଯୁବକ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଥିଲା । ସେ ଗତ ମାସ ୨୪ ତାରିଖରେ ସେ ଦୁବାଇରୁ ଫେରିଥିଲେ । ତାଙ୍କ ନମୁନା ପଜିଟିଭ୍ ଆସିବା ପରେ ସେ କରୋନା ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା । ଏହି ଆକ୍ରାନ୍ତକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୪୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେଥିରୁ ଭୁବନେଶ୍ୱରରୁ ୩୧ ଜଣ, ଭଦ୍ରକରୁ ୩ ଜଣ ଏବଂ କେନ୍ଦ୍ରାପଡ଼ା, କଟକ, କଳାହାଣ୍ଡି ଓ ଯାଜପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନ୍ତି । ଚିକିତ୍ସା ପରେ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।