ବଲାଙ୍ଗୀର : ଥରକୁ ପାଖାପାଖି ୧୩୦ ପ୍ରତିଶତ ଫି’ ବୃଦ୍ଧି କରି ଚର୍ଚ୍ଚାକୁ ଆସିଛି ଟିଟିଲାଗଡ଼ର ଘରୋଇ ସ୍କୁଲ ଓମ୍ ଭ୍ୟାଲି। ଏହାକୁ ନେଇ ଅଭିଭାବକମାନେ ଖୋଲାଖୋଲି ଅସନ୍ତୋଷ ପ୍ରକାଶ କରିବା ପରେ ଶିକ୍ଷା ବିଭାଗ ତତ୍ପରତା ପ୍ରକାଶ କରିଛି। ସୋମବାର ଓମ୍ଭ୍ୟାଲି ସ୍କୁଲ କର୍ତ୍ତୃପକ୍ଷଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଛି। ସିଓଆର୍ ବାତିଲ କାହିଁକି କରାନଯିବ ତାହାର କାରଣଦର୍ଶାଇବାକୁ ଚିଠି କରାଯାଇଥିବା ସୂଚନା ମିଳିଛି। ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରା କହିଛନ୍ତି, ଏଭଳି ସମୟରେ କୌଣସି ସ୍କୁଲ ଏତେମାତ୍ରାରେ ଫି’ ବୃଦ୍ଧି କରିବା କଥା ନୁହଁ। ଯଦି ସ୍କୁଲ ଫି’ ବୃଦ୍ଧି କରିଛି ତାହେଲେ ଅଭିଭାବକମାନଙ୍କ ସହ ଆଲୋଚନା କରିବା ଜରୁରି ଥିଲା। ଏହାକୁ ଗୁରୁତ୍ବର ସହ ନିଆଯାଇଛି। ଅନ୍ୟପଟେ ଫି’ ଦେଇନପାରିଲେ ନାଁ କାଟିବାକୁ ଦିଆଯାଇଥିବା ଧମକପୂର୍ଣ୍ଣ ଚିଠି ଠିକ୍ କଥା ନୁହଁ। କୌଣସି ପରିସ୍ଥିତିରେ ବି ଛାତ୍ରଛାତ୍ରୀଙ୍କ ନାଁ ଏଭଳି ସମୟରେ ଓମ୍ ଭ୍ୟାଲି ସ୍କୁଲ କର୍ତ୍ତୃପକ୍ଷ କାଟିପାରିବେ ନାହିଁ ବୋଲି ସେ କହିଛନ୍ତି।
ଅନ୍ୟପଟେ ସ୍କୁଲର ବହୁ ଭିତିରି କଥା ଏବେ ସାମ୍ନାକୁ ଆସିବାରେ ଲାଗିଛି। ଟିଟିଲାଗଡ଼ ଓମଭ୍ୟାଲି ସ୍କୁଲ ରାଜ୍ୟ ସରକାରଙ୍କଠାରୁ ସିଓଆର୍ ପାଇଛି। ସରକାରୀ ନିୟମ ଅନୁସାରେ ସ୍କୁଲ ପରିଚାଳନା କରିବା କଥା ମ୍ୟାନଜମେଣ୍ଟ। କିନ୍ତୁ ଅନେକ ନିୟମର ଉଲ୍ଲଂଘନ କରାଯାଇଛି। କାରଣ ସ୍କୁଲ କର୍ତ୍ତୃପକ୍ଷ ମନଇଚ୍ଛା ଫି’ ବଢ଼ାଇବା ପୂର୍ବରୁ ଅଭିଭାବକମାନଙ୍କ ସହ ଆଲୋଚନା କରିନଥିଲେ। କର୍ତ୍ତୃପକ୍ଷ କିଛି ଅଭିଭାବକ ସହ କଥା ହୋଇ ଫି’ ନୁହଁ, ବରଂ ଫି’ ଷ୍ଟକଚର ବଢ଼ାଯାଇଛି ବୋଲି କହୁଛନ୍ତି। ହେଲେ ନାଁ ବଦଳାଇ ୧୩୦ ପ୍ରତିଶତ ଫି’ ବୃଦ୍ଧି କରିବା କେତେ ଯୁକ୍ତିଯୁକ୍ତ ତାକୁ ନେଇ ଉଠିଛି ପ୍ରଶ୍ନ। ସ୍କୁଲ ନିଜ ବିଜ୍ଞାପନରେ ଲାଭଜନକ ଅନୁଷ୍ଠାନ ନୁହଁ କହୁଛି। ଅନ୍ୟପଟେ ଶିକ୍ଷକମାନଙ୍କୁ କମ ଦରମା ଦେଇ ଛାତ୍ରଛାତ୍ରୀଙ୍କଠାରୁ ମନଇଚ୍ଛା ଫି’ ନେବାକୁ ନିର୍ଦ୍ଧାରିତ କରିଛି।
ପ୍ରକାଶ ଯେ, କିଛି ଦିନ ତଳେ ଶିକ୍ଷା ବିଭାଗ ପକ୍ଷରୁ ବିଭିନ୍ନ ଘରୋଇ ସ୍କୁଲକୁ ଚିଠି କରାଯାଇଥିଲା। ସେଥିରେ କେଉଁ ସ୍କୁଲ କେତେ ଟଙ୍କା କରୋନା କାଳରେ ଫି’ କମାଇଛନ୍ତି ତାହାର ସୂଚନା ମଗାଯାଇଥିଲା। ହେଲେ ଟିଟିଲାଗଡ଼ ଓମଭ୍ୟାଲି ସ୍କୁଲର ବଲାଙ୍ଗୀରଠାରେ ଥିବା ଆଉ ଏକ ସ୍କୁଲ ପକ୍ଷରୁ ତାହାର ଉତ୍ତର ରଖାଯାଇନଥିଲା। ଏପଟେ ଟିଟିଲାଗଡ଼ରେ ଚଳିତ ଶିକ୍ଷା ବର୍ଷରେ ଥରକୁ ୧୩୦ ପ୍ରତିଶତ ଅଧିକ ଫି’ ବୃଦ୍ଧି କରାଯାଇଛି। ଏଣୁ ଏହି ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନେ ଏହାକୁ ନାପସନ୍ଦ କରିଛନ୍ତି। ଏପରିକି ଟିଟିଲାଗଡ଼ ଅଭିଭାବକ ସଂଘ ଏହାର ତୀବ୍ର ବିରୋଧ କରିଛି। ବୈଠକ କରି ସ୍କୁଲ କରୁଥିବା ମନମାନୀ ଉପରେ ପ୍ରଶାସନ ହସ୍ତକ୍ଷେପ କରିବାକୁ ଦାବି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/unnamed.jpg)