ଗ୍ବାଲିୟରରୁ ଗିରଫ ହେଲା ଅରୋକ୍ସା ଚିଟ୍‌ଫଣ୍ଡ ନିର୍ଦ୍ଦେଶକ

କୋର୍ଟରେ ହାଜର ପରେ ଟ୍ରାନଜିଟ୍ ରିମାଣ୍ଡରେ ଆଣୁଛି ଇଓଡବ୍ଲୁ
କମ୍ପାନି ୩୦ କୋଟି ଠକିଥିବା ଅଭିଯୋଗ ହୋଇଥିଲା
ମୋବାଇଲ ଆପ୍‌ ଜରିଆରେ ଚାଲିଥିଲା କାରବାର
ଦୁଇ ଅଭିଯୁକ୍ତ କମ୍ପାନି ଆକାଉଣ୍ଟକୁ ୧.୪୩ କୋଟି ପଠାଇଥିଲେ

ଭୁବନେଶ୍ବର : ଓଡ଼ିଶାରୁ ୩୦ କୋଟି ଟଙ୍କାରୁ ଅଧିକ ଠକି ନେଇଥିବା ଅରୋକ୍ସା ଡିଲ୍ ମଲ୍ଟି ଟ୍ରେଡ୍(ଓପିସି) ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ବାବୁ ସିଂ ଖୁସଓ୍ଵାକୁ ମଧ୍ୟପ୍ରଦେଶ ଗ୍ବାଲିୟରରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ(ଅର୍ଥନୈତିକ ଅପରାଧ ଶାଖା)। ସ୍ଥାନୀୟ ଡାବରା ଜେଏମଏଫସି କୋର୍ଟରେ ହାଜର କରିବା ପରେ ଅଭିଯୁକ୍ତକୁ ଟ୍ରାନଜିଟ୍ ରିମାଣ୍ଡରେ ଆଣୁଛି ଇଓଡବ୍ଲୁ ଟିମ୍। ଭୁବନେଶ୍ବରରେ ପହଞ୍ଚିବା ପରେ କୋର୍ଟଚାଲଣ କରାଯିବ। ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ନେବ ବୋଲି ଜଣାପଡ଼ିଛି। ଏହି ମାମଲାରେ ଆହୁରି ଏକାଧିକ ଅଭିଯୁକ୍ତ ଫେରାର ଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ପ୍ରାୟ ବର୍ଷେ ଧରି ବାଲେଶ୍ବରର ବିଭିନ୍ନ ଅଞ୍ଚଳରେ ଶାଖା କାର୍ଯ୍ୟାଳୟ ଖୋଲି ଲୋଭନୀୟ ସ୍କିମ୍ ବଳରେ କମ୍ପାନି ପ୍ରାୟ ୩୦ କୋଟି ଟଙ୍କା ଠକେଇ କରିଥିବା ଜମାକାରୀମାନେ ଅଭିଯୋଗ କରିଥିଲେ। ପ୍ରଚାର ପ୍ରସାର କରିବା ସହ ଟଙ୍କା ଆଦାୟ କରୁଥିବା ଦୁଇ ଅଭିଯୁକ୍ତ ଶରତ କୁମାର ନାୟକ ଓ ପ୍ରଭାତ ରଞ୍ଜନ ଦାଶ କମ୍ପାନିର ମଧ୍ୟପ୍ରଦେଶ ଗ୍ବାଲିୟରସ୍ଥିତ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଆକାଉଣ୍ଟକୁ ୧ କୋଟି ୪୩ ଲକ୍ଷ ଟଙ୍କା ପଠାଇଥିବା ଇଓଡବ୍ଲୁ ତଦନ୍ତ ବେଳେ ପ୍ରମାଣ ପାଇଥିଲା।

ଅରୋକ୍ସା ଡିଲ୍ ମଲ୍ଟିଟ୍ରେଡ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନି ୨୦୧୯ ମେ’ରେ ଗ୍ବାଲିୟର ଆରଓସି(ରେଜିଷ୍ଟ୍ରାର୍ ଅଫ୍ କମ୍ପାନି)ରେ ରେଜିଷ୍ଟ୍ରେସନ କରିଛି। ୨୦୧୯ ମେ’ରେ ଓଡ଼ିଶା ଆସି ବାଲେଶ୍ବରରେ ଅଫିସ ଖୋଲିବା ସହ ପ୍ରଥମେ ଏଜେଣ୍ଟଙ୍କୁ ନିଯୁକ୍ତି ଦେଇଥିଲା। ଯେଉଁମାନଙ୍କ ଜରିଆରେ କମ୍ପାନି ପ୍ରଚାର ପ୍ରସାର ଆରମ୍ଭ କରିଥିଲା। ସହରରେ ବିଭିନ୍ନ ସ୍ଥାନରେ ଲୋଭନୀୟ ଅଫର ଥିବା ପୋଷ୍ଟର ଲଗା ଯାଇଥିଲା। ଲୋକଙ୍କୁ ସିଧାସ​ଳଖ ବଜାର ଠାରୁ କମ୍ ମୂଲ୍ୟରେ ଏଲଇଡି ଟିଭି, ସ୍ମାର୍ଟ ଟିଭି, ଟ୍ରଲି ବ୍ୟାଗ୍, ମିକ୍ସଚର୍ ଗ୍ରାଇଣ୍ଡର, ଏଲଇଡି ସ୍ମାର୍ଟ ଫ୍ୟାନ୍ ବିକ୍ରି ପାଇଁ ଲୋଭ ଦେଖାଇଥିଲା। ଏହା ସହ ୧୦ ପ୍ରତିଶତ କ୍ୟାସବ୍ୟାକ୍ ଅଫର ମଧ୍ୟ ଦେଇଥିଲା। ସେହିପରି ଚେନ୍ ସିଷ୍ଟମରେ ଟଙ୍କା ଜମା କଲେ ୨୫୦ ଦିନ ପର୍ଯ୍ୟନ୍ତ ଅଧିକ ସୁଧରେ ଫେରସ୍ତ ଲୋଭ ମଧ୍ୟ ଦେଖା ଯାଇଥିଲା। ୮ ଜଣ ସଦସ୍ୟ ସିଧାସଳଖ ୧୫୦୦ରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କଲେ ସେମାନଙ୍କୁ ଦୈନିକ ୧୧ରୁ ୮୦୦ ଟଙ୍କା ପର୍ଯ୍ୟନ୍ତ ପାଇବାର ସ୍କିମ୍ ରଖା ଯାଇଥିଲା। ଷ୍ଟାର ଆଚିଭର୍‌ମାନଙ୍କ ପାଇଁ ୫ ହଜାର ଟଙ୍କା କିମ୍ବା ମୋବାଇଲ ଫୋନ୍ ଏବଂ ଇମରାଲ୍‌ଡ ଷ୍ଟାର ଆଚିଭରଙ୍କ ପାଇଁ ୩୦ ଲକ୍ଷ ଟଙ୍କା ନଚେତ୍ ଫର୍ଚୁନର୍ ଗାଡ଼ିର ଉପହାର ରଖା ଯାଇଥିଲା। ଫ୍ରାଞ୍ଚାଇଜ୍ ନାଁରେ ମଧ୍ୟ କମ୍ପାନି କୋଠା, ବିଦେଶ ବୁଲିବା, ଦାମୀ ଉପହାର ସ୍ବପ୍ନ ମଧ୍ୟ ଦେଖାଇଥିଲା।

ଯେଉଁମାନେ ସଦସ୍ୟତା ଗ୍ରହଣ କରୁଥିଲେ ସେମାନେ ନିଜର ସାଙ୍ଗସାଥୀ, ସମ୍ପର୍କୀୟ, ବନ୍ଧୁଙ୍କୁ ଏହି ଲୋଭନୀୟ ଅଫର ବିଷୟରେ କହିଥିଲେ। ସେମାନେ ମଧ୍ୟ ଟଙ୍କା ଜମା ରଖିଥିଲେ। କମ୍ପାନି ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ, ଚେକରେ କାରବାର କରୁଥିଲା। କମ୍ପାନିର ମୋବାଇଲ ଫୋନ୍ ଆପ୍ ଜରିଆରେ ସଦସ୍ୟତା ଗ୍ରହଣ କରାଯିବା ସହ ବ୍ୟାପକ ପ୍ରଚାର ପ୍ରସାର କରା ଯାଉଥିଲା। ଏପରିକି ଜଣେ ଅବସରପ୍ରାପ୍ତ ବିଏସଏଫ୍ ଯବାନ ୩୦ ଲକ୍ଷ ଟଙ୍କା ଜମା ରଖି ଠକାମିର ଶିକାର ହୋଇଥିଲେ। ଅଜୟ କୁମାର ସାହୁ ନାମକ ଜଣେ ବ୍ୟକ୍ତି ୨୦ ଲକ୍ଷ ଟଙ୍କାର ଶିକାର ହୋଇଥିଲେ। ଏମିତି ଅନେକ ଲୋକ ୧୦ ଲକ୍ଷ ଟଙ୍କାରୁ ଅଧିକ ଜମା ରଖିଥିବା ଜଣାପଡ଼ିଛି। ଏହି ସ୍କିମ୍ ଧୀରେ ଧୀରେ ପଡ଼ୋଶୀ ଜିଲ୍ଲା ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝରକୁ ବ୍ୟାପୀ ଯାଇଥିଲା। ୪ ଜିଲ୍ଲାର ଶହ ଶହ ଲୋକ ଠକାମିର ଶିକାର ହୋଇଥିବା ଜଣାପଡ଼ିଥିଲା। ଗତ ଡିସେମ୍ବର ୧ ତାରିଖରେ ଠକାମିର ଶିକାର ହୋଇଥିବା କେତେକ ଅଭିଯୋଗକାରୀ ଇଓଡବ୍ଲୁର ଦ୍ବାରସ୍ଥ ହୋଇ ଲିଖିତ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ଗତ ଫେବ୍ରୁଆରି ୧ ତାରିଖରେ ଇଓଡବ୍ଲୁ କେସ୍ ନଂ-୧/୨୨ ଏବଂ ଆଇପିସି ଧାରା-୪୦୬, ୪୨୦, ୪୬୭, ୪୬୮, ୪୭୧, ୧୨୦(ବି), ଆଇଟି ଆଇନର ଧାରା-୬୬, ଓପିଆଇଡି ଆଇନର ଧାରା-୬ ଅନୁସାରେ ମାମଲା ରୁଜୁ କରିଥିଲା। ଏହା ପରେ ଇଓଡବ୍ଲୁ ପ୍ରାଥମିକ ଅନୁସନ୍ଧାନ ସମୟରେ ଠକେଇ ସଂକ୍ରାନ୍ତରେ ଅନେକ ତଥ୍ୟ, ପ୍ରମାଣ ହାସଲ କରିଥିଲା। ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର