ବଲାଙ୍ଗୀର: ଆୟୁଷ ଛାତ୍ରଛାତ୍ରୀଙ୍କ ନିଯୁକ୍ତି ସଂଖ୍ୟା ବୃଦ୍ଧିକୁ ନେଇ କରାଯାଉଥିବା ଆନ୍ଦୋଳନକୁ ଇତିମଧ୍ୟରେ ୮ଦିନ ପୂରିଛି। ତଥାପି ସରକାର ସେମାନଙ୍କ ଦାବି ପ୍ରତି ଆଖି ବୁଜିଦେଇଥିବା ବେଳେ ଆୟୁଷ ଛାତ୍ରଛାତ୍ରୀ ଆଜି ଆନ୍ଦୋଳନସ୍ଥଳରେ ହୋମଯଜ୍ଞର ଆୟୋଜନ କରି ଭଗବାନଙ୍କୁ ଡାକିଛନ୍ତି। ତେବେ ସରକାର ନିଜ ପ୍ରଚାର ପ୍ରସାର ପାଇଁ ଶହ ଶହ କୋଟି ଖର୍ଚ୍ଚ କରୁଥିବା ବେଳେ ଆୟୁଷ ଛାତ୍ରଛାତ୍ରୀଙ୍କ ଜନାଭିମୁଖୀ ଦାବିକୁ ପ୍ରତ୍ୟାଖ୍ୟାନ କରିବାକୁ ନେଇ ଆନ୍ଦୋଳନାକାରୀ ଛାତ୍ରଛାତ୍ରୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ସରକାର ଦିନକୁ ଦିନ ଆୟୁର୍ବେଦିକ ଓ ହୋମିଓପାଥି କଲେଜଗୁଡ଼ିକରେ ସିଟ୍ ବଢ଼ାଇ ଚାଲିଛନ୍ତି। କିନ୍ତୁ ସରକାର ସେହି ଅନୁପାତରେ ନୂତନ ପଦବି ସୃଷ୍ଟି କରୁ ନଥିବାରୁ ଡାକ୍ତରୀ ଡିଗ୍ରି ସତ୍ତ୍ୱେ ଅନେକ ଛାତ୍ରଛାତ୍ରୀ ନିଜ ପାଠ ଅନୁସାରେ ଚାକିରି ନପାଇ ବେକାର ରହୁଛନ୍ତି। ତା’ ଛଡ଼ା ଜନସଂଖ୍ୟା ଅନୁପାତରେ ଅଢ଼େଇ ଲକ୍ଷ ଲୋକଙ୍କ ପାଇଁ ଜଣେ ଆୟୁଷ ଡାକ୍ତର ରହିଛନ୍ତି। ଫଳରେ ଆୟୁଷ ଡାକ୍ତରଙ୍କ ଉପରେ କାମ ବୋଝ ବଢ଼ିବାରେ ଲାଗିଛି। ତେଣୁ ଉଭୟ ସମସ୍ୟାର ସମାଧାନ ପାଇଁ ଆୟୁଷ ସଂଘ ନିଯୁକ୍ତି ସଂଖ୍ୟା ବୃଦ୍ଧି କରିବାକୁ ଦାବି କରିଥିଲା। ଗତ ଅଗଷ୍ଟ ୨୫ରୁ କଳାବ୍ୟାଜ୍ ପରିଧାନ ପରେ ୩୦ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନର ଡାକରା ଦେଇଥିଲା।
ଶୁଣିଲେନି ସରକାର: ଏବେ ଭଗବାନ ଭରସା; ହୋମଯଜ୍ଞର ଆଶ୍ରୟ ନେଲେ ଆୟୁଷ ଛାତ୍ରଛାତ୍ରୀ
/sambad/media/post_attachments/wp-content/uploads/2023/09/961b86bf-f51e-4d36-ac72-c5106fa60665.jpeg)