ଦିଲ୍ଲୀରେ ଆୟୁଷା, ଅର୍ପିତା, ମନୀଷ, ସାଈସ୍ବରୂପ, ସୋନଲି

ସମ୍ବଲପୁର: ଖାର୍‌କିଭ୍‌ର ଯୁଦ୍ଧ ବିଭୀଷିକାକୁ ପ୍ରତ୍ୟକ୍ଷ କରିଥିବା ଓ କୌଣସି ମତେ ଜୀବନ ବଞ୍ଚାଇଥିବା ବହୁ ସାହସୀ ଓଡ଼ିଆ ଛାତ୍ରଛାତ୍ରୀ ଏବେ ଭାରତ ପହଞ୍ଚିବାରେ ଲାଗିଛନ୍ତି। ବୁର୍ଲାର ଆୟୁଷା ଶତପଥୀ ଶନିବାର ଦିଲ୍ଲୀ ପହଞ୍ଚିଥିଲାବେଳେ ସମ୍ବଲପୁରର ଅର୍ପିତା ମହାନ୍ତି, ଝାରସୁଗୁଡ଼ାର ମନୀଷ କୁମାର ପଟେଲ, ଟିଟିଲାଗଡ଼ର ସାଈସ୍ବରୂପ ତ୍ରିପାଠୀ, ରାଉରକେଲାର ପଲ୍ଲବୀ ସାହୁ, ମୟୂରଭଞ୍ଜର ଜ୍ୟୋତି ପ୍ରକାଶ ମହାନ୍ତ, ଭଦ୍ରକର ରିଜ୍‌ଭି କନିଜ୍‌ ସାଜିଦା ଏବଂ କଟକର ସୋନାଲି ମହାନ୍ତି ପ୍ରମୁଖ ରବିବାର ସକାଳେ ଦିଲ୍ଲୀରେ ଓହ୍ଲାଇଛନ୍ତି।

ଏମାନେ ସମସ୍ତେ ବହୁ କଷ୍ଟରେ ଖାର୍‌କିଭ୍‌ରୁ ଟ୍ରେନ୍‌ରେ ବାହାରି ଲିଭିଭ୍‌ ସହରରେ ପହଞ୍ଚିବା ପରେ ସେଠାରୁ ୮୦ କିଲୋମିଟର୍ ଦୂର ପୋଲାଣ୍ଡ ସୀମାକୁ ଯାଇଥିଲେ। ହେଲେ ପୋଲାଣ୍ଡ ସୀମାରେ ବରଫପାତ ମଧ୍ୟରେ ମୁକ୍ତ ଆକାଶ ତଳେ ସେମାନଙ୍କୁ ୬-୭ ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥିଲା ଯାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଥିଲା। ସୀମା ଅତିକ୍ରମ କରିବା ପରେ ଅବଶ୍ୟ ସେମାନଙ୍କୁ ପୋଲାଣ୍ଡରେ ଖୁବ୍‌ ଭଲ ଭାବରେ ରଖା ଯାଇଥିଲା। ୱର୍‌ସରୁ ବାହାରି ଇସ୍ତାନ୍‌ବୁଲ ଦେଇ ସେମାନେ ସୁରକ୍ଷିତ ଭାବେ ଦିଲ୍ଲୀ ପହଞ୍ଚିଛନ୍ତି ଓ ଓଡ଼ିଶା ଭବନରେ ରହିଛନ୍ତି।

ଯୁଦ୍ଧଗ୍ରସ୍ତ ଦେଶରୁ ମୁକୁଳି ସ୍ବଦେଶ ପହଞ୍ଚିବାର ଅାନନ୍ଦ ବର୍ଣ୍ଣନା କରିବାକୁ ତାଙ୍କ ପାଖରେ ଶବ୍ଦ ନାହିଁ ବୋଲି ଦିଲ୍ଲୀରୁ ‘ସମ୍ବାଦ’ ସହ କଥାବାର୍ତ୍ତା ବେଳେ ଅର୍ପିତା କହିଛନ୍ତି। ପୋଲାଣ୍ଡ ସୀମାରେ ବରଫପାତ ଭିତରେ ବିତାଇଥିବା ଉକ୍ତ କାଳରାତ୍ରି କଥା ମନେ ପକାଇଲେ ଏବେ ବି ଦେହ ଶୀତେଇ ଯାଉଥିବା କହିବା ସହ ତାଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଈଶ୍ବର, ପିତାମାତା, ସରକାରଙ୍କ ସମେତ ସମସ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହି ସମସ୍ତେ ସୋମବାର ଭୁବନେଶ୍ବର ବା ଝାରସୁଗୁଡ଼ା ଫେରିବେ ବୋଲି ଆୟୁଷାଙ୍କ ମା’ ବୁର୍ଲା ଡିଏଭି ସ୍କୁଲ୍ ଅଧ୍ୟକ୍ଷା ରଶ୍ମି ମିଶ୍ର ଏବଂ ଅର୍ପିତାଙ୍କ ପିତା ସମ୍ବଲପୁର କୁଲୁଥକାନି ନିବାସୀ ମାନଗୋବିନ୍ଦ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର