କଟକର ହୋଟେଲରେ ଅଷ୍ଟ୍ରେଲିୟ ଦମ୍ପତି, ସ୍ବାସ୍ଥ୍ୟ ବିଭାଗର ତନାଘନା

ପୂର୍ବପୁରୁଷଙ୍କୁ ଖୋଜିବା ପାଇଁ ଆସିଛନ୍ତି କଟକ

କଟକ : କଟକର ଶିଖରପୁର ଅଞ୍ଚଳରେ ଥିବା ଏକ ହେଟେଲରେ ଅଷ୍ଟ୍ରେଲିୟ ଦମ୍ପତି ରହିବା ଘଟଣାକୁ ନେଇ ଆରମ୍ଭ ହୋଇଛି ହଟଚମଟ। କରୋନା ଆତଙ୍କ ଖେଳିଥିବା ବେଳେ ବିଦେଶୀ ନାଗରିକ କଟକରେ ଆସି ରହିବା ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଏ ଖବର ପାଇବା ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହେବା ସହିତ ସେମାନଙ୍କୁ ସୁରକ୍ଷିତ ଭାବେ ରଖିବାକୁ ପଦକ୍ଷେପ ନିଆଯାଇଛି। ଦମ୍ପତିଙ୍କୁ ଅଲଗା ରଖିଛି ସ୍ବାସ୍ଥ୍ୟ ବିଭାଗ। ସିଡିଏମ୍‌ଓ ହୋଟେଲ ମାଲିକଙ୍କୁ ଉକ୍ତ ବିଦେଶୀ ଦମ୍ପତିଙ୍କୁ ହୋଟେଲ ବାହାରକୁ ନଛାଡିବା, ରୁମ୍‌ ଭିତରେ ରଖିବା ସହ ଠିକ୍‌ ସମୟରେ ଖାଦ୍ୟପେୟ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଏକ ଡାକ୍ତରୀ ଟିମ୍‌ ଗଠନ କରାଯାଇଛି। ଯେଉଁମାନେ କି ହୋଟେଲରେ ପହଞ୍ଚି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଂଚ କରିବେ ବୋଲି ସିଡିଏମ୍‌ଓ ଡାକ୍ତର ସତ୍ୟବ୍ରତ ଛୋଟରାୟ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଅଷ୍ଟ୍ରେଲିୟ ଦମ୍ପତି ୪ଦିନ ତଳେ କୋଲକାତାରେ ପହଞ୍ଚିଥିଲେ। ସେଠାରୁ ଟ୍ରେନ୍‌ରେ କଟକ ଆସିଥିଲେ। କଟକ ଷ୍ଟେସନ୍‌ରେ ପହଞ୍ଚିବା ପରେ ସେମାନେ ଏକ ଅଟୋରେ ମାସକ ତଳେ ରହିବା ପାଇଁ ବୁକ୍‌ କରିଥିବା ଶିଖରପୁର ଅଞ୍ଚଳର ଏକ ହୋଟେଲରେ ପହଞ୍ଚି ଥିଲେ। ସେଠାରେ ଅପରାହ୍ନରେ ପହଞ୍ଚିବାପରେ ହୋଟେଲ କର୍ତ୍ତୃପକ୍ଷ ସ୍ବାସ୍ଥ୍ୟ ବିଭାଗକୁ ଏ ସଂପର୍କରେ ସୂଚନା ଦେଇଥିଲେ। କିନ୍ତୁ ଉକ୍ତ ଦମ୍ପତିଙ୍କଠାରେ କରୋନାର କୌଣସି ଲକ୍ଷଣ ନଥିବା ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। କିନ୍ତୁ ଯେହେତୁ ସେମାନେ ବିଦେଶରୁ ଆସିଛନ୍ତି, ସେମାନଙ୍କ ଉପରେ ସତର୍କ ଦୃଷ୍ଟି ରଖାଯାଇଛି। ଅନ୍ୟପଟେ ଉକ୍ତ ଦମ୍ପତିଙ୍କ ପୂର୍ବପୁରୁଷ ମଧ୍ୟରୁ କେହି କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ରହୁଛନ୍ତି। କିନ୍ତୁ ‌ସେମାନଙ୍କ ସହ ଯୋଗାଯୋଗ ରହିନଥିବାରୁ ସେମାନଙ୍କୁ ଖୋଜିବା ପାଇଁ ଉକ୍ତ ଦମ୍ପତି କଟକ ଆସିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର