କାନବେରା: ଅଷ୍ଟ୍ରେଲିଆର ରାଜଧାନୀ କାନବେରାଠାରେ ଶ୍ରୀ ଜଗନ୍ନାଥଙ୍କର ଚତୁର୍ଦ୍ଦଶତମ ପବିତ୍ର ରଥଯାତ୍ରା ପର୍ବ ଭକ୍ତିପୂତ ବାତାବରଣ ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାଳନ କରାଯାଇଛି। ଏହି ମହୋତ୍ସବ ଉପଲକ୍ଷେ ଚତୁର୍ଦ୍ଧାମୂର୍ତ୍ତି ବିରାଜମାନ କରୁଥିବା ହିନ୍ଦୁ ମନ୍ଦିର ଓ ସଂସ୍କୃତିକ କେନ୍ଦ୍ରକୁ ଖୁବ ସୁନ୍ଦର ଢଙ୍ଗରେ ସଜ୍ଜାଯାଇଥିବା ଦେଖା ଯାଇଥିଲା। ବଢ଼ି ଭୋରରୁ ଏଠାରେ ଚାରି ଦିଅଁଙ୍କ ସମ୍ମୁଖରେ ଅଷ୍ଟ୍ରେଲିଆର ରଥଯାତ୍ରା ଇତିହାସରେ ପ୍ରଥମ ଥର ପାଇଁ ମଙ୍ଗଳ ଆରତୀ ଏବଂ ସଂକଳ୍ପ ପୂଜା ତିନି ପୂଜକ ଯଥା ଆଚାର୍ଯ୍ୟ ପ୍ରକାଶ ପାଣ୍ଡେ, ପଣ୍ଡିତ ପ୍ରଦୀପ ଭଟ୍ଟ ଏବଂ ପଣ୍ଡିତ ଅନୁପ ଜାନୀଙ୍କ ଦ୍ୱାରା ସମ୍ପନ୍ନ କରାଯାଇଥିଲା।

Advertisment

ଏଠାରେ ଭକ୍ତ ଓ ଭଗବାନଙ୍କର ମହାମିଳନର ଏହି ମହାନ ପାର୍ବଣରେ ଉପସ୍ଥିତ ପ୍ରାୟ ୨୦୦୦ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉଲ୍ଲାସ, ଉତ୍ସାହ ଓ ଉଦ୍ଦୀପନା ପରିଲକ୍ଷିତ କରାଯାଇଥିଲା। ଚଳିତ ବର୍ଷର ଘୋଷ ଯାତ୍ରାରେ କାନବେରାର ଅଧିବାସୀଙ୍କ ସମେତ ସୁଦୂର ସିଡ଼ିନି, ମେଲବର୍ଣ୍ଣ, ବ୍ରିଶବ୍ରେନ, ରୁରାଲ ନିଉ ସାଉଥ ୱେଲ ଏବଂ ଅଷ୍ଟ୍ରେଲିଆର ଅନ୍ୟାନ୍ୟ ଇଲାକାରୁ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତ ମାନେ, ସେମାନଙ୍କର ପରିବାର ବର୍ଗ ଓ ପରିଜନ ସହିତ ଆସି ସାମିଲ ହୋଇଥିବାର ଦେଖା ଯାଇଥିଲା। ସକାଳ ୧୦ଟା ସମୟରେ ଦିଅଁମାନଙ୍କର ପହଣ୍ଡି ବିଜେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା।ପ୍ରଥମେ ପ୍ରଭୁ ସୁଦର୍ଶନ, ତାପରେ ବଡ଼ଭାଇ ବଳଭଦ୍ର,ପରେ ପରେ ଦେବୀ ସୁଭଦ୍ରା ଓ ସବା ଶେଷରେ ଜଗତର ନାଥ ଜଗନ୍ନାଥଙ୍କୁ ରୋଷଣୀ କରାଯାଇ ଚାରି ମିଟର ଉଚ୍ଚତା ବିଶିଷ୍ଟ ସୁନ୍ଦର, ସୁଶୋଭିତ ଓ ସୁସଜ୍ଜିତ ରଥ ଉପରକୁ ନିଆ ଯାଇଥିଲା।ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନୀ ସହ ଭଜନ, କୀର୍ତ୍ତନର ମୄଦ୍ୟୁମନ୍ଦ ନାଦରେ ଗଗନ ପବନ ପ୍ରକମ୍ପିତ ହୋଇଉଠିଥିଲା। ଏଠାରେ ମହିଳାମାନେ ହାତରେ ନଚାଇ ନଚାଇ ଦେବୀ ସୁଭଦ୍ରାଙ୍କୁ ରଥ ଉପରକୁ ନେଉଥିବାର ଦୃଶ୍ୟ ଅତ୍ୟନ୍ତ ମନୋରମ ଥିଲା।ହିନ୍ଦୁ ସମ୍ପ୍ରଦାୟର ବରିଷ୍ଠ ନେତା କାନ୍ତି ଜିନ୍ନା, ପ୍ରକାଶ ମେହେଟ୍ଟା ଓ ବାସୁ ବାଙ୍କା ପାରମ୍ପାରିକ ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ।