ଭୁବନେଶ୍ୱର : ଓଡ଼ିଶା ସାହିତ୍ୟ ଏକାଡେମି ଦ୍ବାରା ପୁରସ୍କୃତ ହୋଇଥିବା ବିଶିଷ୍ଟ ଲେଖିକା ନିର୍ମଳପ୍ରଭା ନାୟକ ନିଜ ପୁରସ୍କାର ଅର୍ଥରାଶିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି। ଓଡ଼ିଶାର ସୁନାମଧନ୍ୟ ଲେଖକ ଓ ଲେଖିକାମାନଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମି ଗତ କିଛି ଦିନ ତଳେ ପୁରସ୍କୃତ କରିଥିଲା। ସାହିତ୍ୟ ଜଗତକୁ ତାଙ୍କର କୃତୀ ପାଇଁ ଶ୍ରୀମତୀ ନାୟକଙ୍କୁ ଏକ ଲକ୍ଷ ଟଙ୍କା ଅର୍ଥରାଶି ଓ ଏକାଡେମି ପ୍ରଦତ୍ତ ସମ୍ମାନ ପ୍ରଦାନ କରାଯାଇଥିଲା।
ଏକାଡେମିର ସଭାପତି ହୃଷୀକେଶ ମଲ୍ଲିକ ବ୍ୟକ୍ତିଗତ ଭାବେ ଶ୍ରୀମତୀ ନାୟକଙ୍କୁ ଭେଟି ତାଙ୍କୁ ପୁରସ୍କୃତ କରିଥିଲେ। ଶ୍ରୀମତୀ ନାୟକଙ୍କ ଲିଖିତ ଅନେକ ରଚନା ମଧ୍ୟରୁ ‘ସାୟାହ୍ନର ସ୍ମୃତି’ ପୁସ୍ତକଟି ବିଭିନ୍ନ ମହଲରେ ପ୍ରଶଂସିତ ହୋଇଥିଲା। ଏହି ପୁସ୍ତକଟି ଗତ ୨ ବର୍ଷ ତଳେ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାନିକ ସରକାରଙ୍କ ଦ୍ବାରା ଏକ ସ୍ବତନ୍ତ୍ର ଉତ୍ସବରେ ଭୁବନେଶ୍ବରଠାରେ ଲୋକାର୍ପିତ ହୋଇଥିବା ବେଳେ ଏହାର ଇଂରାଜୀ ଅନୁବାଦ ‘ଟ୍ବିଲାଇଟ୍ ମେମୋରିଜ୍’ ପୁସ୍ତକ ଗତବର୍ଷ ବିଚାରପତି ଅନଙ୍ଗ ପଟ୍ଟନାୟକଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା। ପାଟକୁରାର ପୂର୍ବତନ ବିଧାୟକ ତଥା ବିଜୁବାବୁଙ୍କ ଘନିଷ୍ଠ ସହଯୋଗୀ ଲେଖିକାଙ୍କ ସ୍ବାମୀ ସ୍ବର୍ଗତ ରାଜକିଶୋର ନାୟକଙ୍କ କର୍ମମୟ ଜୀବନ ଉପରେ ପୁସ୍ତକଟି ପର୍ଯ୍ୟବସିତ।