ଗଛକୁ ପିଟିଲା ଅଟୋ:  ଜଣେ ମୃତ, ୮ ଗୁରୁତର

ଠାକୁରମୁଣ୍ଡା: ଶାଳଗଛରେ ବାଡ଼େଇ ହେଲା ଅଟୋ। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣଙ୍କ ଅବସ୍ଥା ଗୁରୁତର ଓ ୨ଜଣ ଆହତ ହୋଇଛନ୍ତି। ଆଜି ଅପରାହ୍ନ ୫ଟା ପାଖାପାଖି ଠାକୁରମୁଣ୍ଡାରୁ ୧୨ କିମି ଦୂର ଦାଉଁଳିକିଳା ଜଙ୍ଗଲ ରାସ୍ତାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା।

ସୂଚନା ଅନୁସାରେ, ଠାକୁରମୁଣ୍ଡା ଥାନା ପଡ଼ିଆବେଡ଼ା ପଞ୍ଚାୟତ ସିମଡ଼ିହା ଗ୍ରାମରୁ ଏକ ଘରୋଇ ବିବାଦ ସମାଧାନ କରିବା ପାଇଁ  ଅଟୋ ଯୋଗେ ପିଲାଛୁଆଙ୍କୁ ମିଶାଇ ୧୧ଜଣ ଗ୍ରାମବାସୀ ଶରତ ଅଞ୍ଚଳକୁ ଯାଇଥିଲେ। ବିବାଦ ସମାଧାନ ପରେ ଅପରାହ୍ନରେ ସେମାନେ ଫେରୁଥିଲେ। ଘରେ ପହଞ୍ଚିବାକୁ ୫ କିମି ବାକି ଥିବାବେଳେ ଦାଉଁଳିକିଳା-ଲକ୍ଷ୍ମୀପୋଷି ଜଙ୍ଗଲ ରାସ୍ତାରେ ଓଡି ୦୧ଜେ-୧୩୦୯ ଅଟୋଟି ଭାରସାମ୍ୟ ହରାଇ ଗୋଟିଏ ଶାଳ ଗଛକୁ ଧକ୍କା ଦେଇଥିଲା। ଫଳରେ ବୋରିଂ ଗ୍ରାମର ଅଟୋ ଡ୍ରାଇଭର କୀର୍ତ୍ତନ ମହାନ୍ତ(୪୫)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା। ସ୍ଥାନୀୟ ଲୋକେ ଗୁରୁତର ଓ ଆହତଙ୍କୁ ଉଦ୍ଧାର କରି ଅନ୍ୟ ଏକ ଅଟୋ ଯୋଗେ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ଡ୍ରାଇଭର ସହିତ ଶୁକୁରା ବେହେରା (୬୦) ଅଟୋରେ ଚାପି ହୋଇ ରହିଥିଲେ। ଖବର ପାଇ ଠାକୁରମୁଣ୍ଡା ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଡ୍ରାଇଭର କୀର୍ତ୍ତନ ଓ ଶୁକୁରା ବେହେରାଙ୍କୁ ଅଟୋ ତଳୁ ବାହାର କରିଥିଲେ।

ଗୁରୁତର ଆହତଙ୍କ ମଧ୍ୟରେ ବୀଣାପାଣି ବେହେରା(୪୦), ଜଗନ୍ନାଥ ବେହେରା(୪୦), ହୀରା ବେହେରା(୩୫), ଶୁଭମ୍ ବେହେରା(୮), ରାଜୁ ବେହେରା(୨୭), ଲକ୍ଷ୍ମୀମଣି ବେହେରା(୮), ମହେଶ୍ୱର ବେହେରା(୬୧), ଶୈଳ ବେହେରା(୪୦), ଶୁକୁରା ବେହେରା(୬୦), ଭୀମସେନ ବେହେରା(୫୦)। ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର