କେନ୍ଦୁଝର : ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ସେ ହେଉଛନ୍ତି ଦେବଦୂତ। କେନ୍ଦୁଝର ସହର ଏବଂ ଏହାର ଆଖପାଖ ଅଞ୍ଚଳରେ କୌଣସି ଦୁର୍ଘଟଣା ନେଇ ଖବର ପାଇଲେ ନିଜ ଅଟୋ ନେଇ ଅବିଳମ୍ବେ ପହଞ୍ଚିଯାଆନ୍ତି ଠାକୁରପାଟଣାର ବିଷ୍ଣୁଚରଣ ନାୟକ। ଆହତଙ୍କୁ ତୁରନ୍ତ ଡାକ୍ତରଖାନାରେ ପହଞ୍ଚାଇଥାନ୍ତି। ସେହିପରି ଅଚିହ୍ନା ମୃତଦେହକୁ ମଧ୍ୟ ବ୍ୟବଚ୍ଛେଦ ପାଇଁ ଆଣିଥାନ୍ତି। ଏଭଳି ନିଃସ୍ବାର୍ଥପର ସେବା ପାଇଁ ବିଷ୍ଣୁ ଏବେ ଚର୍ଚ୍ଚାରେ ଥିବାବେଳେ ପ୍ରଶାସନ ତାଙ୍କୁ ସଡ଼କ ସୁରକ୍ଷା ସପ୍ତାହରେ ସମ୍ମାନିତ କରିଛି।

Advertisment

କେନ୍ଦୁଝର ସହର ତଳି ଗାଁ ଠାକୁରପାଟଣାର ବାସିନ୍ଦା ହେଉଛନ୍ତି ବିଷ୍ଣୁ ଚରଣ ନାୟକ (୬୪)। ପତ୍ନୀ, ଦୁଇଝିଅ ଏବଂ ଗୋଟିଏ ପୁଅକୁ ନେଇ ତାଙ୍କ ସଂସାର। ଦୀର୍ଘ ୨୦ ବର୍ଷ ହେଲା ବିଷ୍ଣୁ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଛନ୍ତି। ସେ ରୋଜଗାର ପାଇଁ କେବଳ ଅଟୋ ଚଳାଉ ନାହାନ୍ତି। ଅଧିକାଂଶ ସମୟରେ ଅଚିହ୍ନା ମୃତଦେହ, ଦୁର୍ଘଟଣାରେ ମୃତାହତଙ୍କୁ ନିଜ ଅଟୋରେ ସେ ହସ୍ପିଟାଲ ଆଣିଥାନ୍ତି। କିଛିଦିନ ତଳେ ବାଂଶପାଳ ବ୍ଲକ୍‌ ବାୟାପଣ୍ଡାଦର ନିକଟ ମହୁଲଡିହା ଜଙ୍ଗଲରେ ଜଣେ ଅଚିହ୍ନା ବ୍ୟକ୍ତି ଗଛରେ ଫାଶୀ ଦେଇ ଆତ୍ମହତ୍ୟା କରଥିଲେ। ପୁଲିସ ପାଖରୁ ଖବର ପାଇଁ ବିଷ୍ଣୁ ସେଠାରେ ପହଞ୍ଚି ଯାଇଥିଲେ। ମୃତଦେହକୁ ଗଛରୁ ଓହ୍ଲାଯିବା ପରେ ବ୍ୟବଚ୍ଛେଦ ପାଇଁ ବିଷ୍ଣୁ ହସ୍ପିଟାଲ ଆଣିଥଲେ।

ସେହିପରି କେନ୍ଦୁଝର ସହରର ମାଧପୁରରେ ଏକ ଦୁର୍ଘଟଣାଗ୍ରସ୍ତ ଏକ ବାଇକ୍‌ ଆରୋହୀଙ୍କୁ ବିଷ୍ଣୁ ନିଜ ଅଟୋରେ ଆଣି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରିଥିଲେ।
ଅଟୋ ଚଳାଇବା ଦିନଠାରୁ ସେ ପ୍ରାୟ ୨୦୦୦ ଦୁର୍ଘଟଣାଗ୍ରସ୍ତଙ୍କୁ ହସ୍ପିଟାଲ‌କୁ ନେଇ ଚିକିତ୍ସା କରାଇଛନ୍ତି। ବିଷ୍ଣୁଙ୍କ କହିବା ହେଲା, ଆରମ୍ଭରୁ ମୋତେ ଦୁର୍ଘଟଣାଗ୍ରସ୍ତଙ୍କୁ ହସ୍ପିଟାଲ ବୋହିବାରେ ଆତ୍ମତୃପ୍ତି ମିଳୁଥିଲା। ପରେ ଅଭ୍ୟାସରେ ପଡ଼ି‌ଯାଇଛି। କେନ୍ଦୁଝର ସହରର ପ୍ରାୟ ଲୋକ ତାଙ୍କୁ ଜାଣନ୍ତି। ଲୋକଙ୍କ ପାଖରେ ତାଙ୍କ ମୋବାଇଲ ନମ୍ବର ଅଛି। ସେହିପରି ସହରର ଅଧିକାଂଶ ଥାନାରେ ତାଙ୍କ ନମ୍ବର ଅଛି। ତେଣୁ ଯେତେବେଳେ କେଉଁଠି ଦୁର୍ଘଟଣା ଘଟେ ତାଙ୍କୁ ଫୋନ୍‌ ଆସେ ବୋଲି ବିଷ୍ଣୁ କହିଛନ୍ତି। ଏହି ସମୟରେ ସେ ଯେଉଁଠି ଥିଲେ ବି ପ୍ରଥମେ ଦୁର୍ଘଟଣାସ୍ଥଳରେ ପହଞ୍ଚିବାକୁ ଉଦ୍ୟମ କରିଥାନ୍ତି। ଏହି ସେବା ମନୋଭାବ ପାଇଁ ସଡ଼କ ସୁରକ୍ଷା ସପ୍ତାହ ଅବସର‌ରେ ପ୍ରଶାସନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଯାହା ତାଙ୍କୁ କାମ କରିବାକୁ ଅଧିକ ପ୍ରେରଣା ଦେବ ବୋଲି ବିଷ୍ଣୁ କହିଛନ୍ତି।