ଚଳନ୍ତା ଅଟୋରେ ବିସ୍ଫୋରଣ, ଚାଳକ ଆହତ

ଭୁବନେଶ୍ୱର : ଜନଗହଳିପୂର୍ଣ୍ଣ ବିଜେବି ନଗର ରାଧାକୃଷ୍ଣ ମନ୍ଦିର ସାମ୍ନାରେ ଆଜି ରାତି ପ୍ରାୟ ୮ଟାରେ ଏକ ଚଳନ୍ତା ଅଟୋରେ ଅଚାନକ ବୋମା ଫୁଟିବାରୁ ଅଟୋ ଚାଳକ ବାହାରକୁ ଛିଟିକି ପଡ଼ି ଗୁରୁତର ଆହତ ହୋଇଛନ୍ତି। ଏହି ବିସ୍ଫୋରଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଆହତ ଚାଳକ ବିଜୟଲକ୍ଷ୍ମୀ ବସ୍ତିର ଜେ. ଗୋବିନ୍ଦ ରାଓଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଛନ୍ତି। ସେଠାରେ ତାଙ୍କ ଅବସ୍ଥା ଉଦ୍‌ବେଗଜନକ ରହିଥିବା ଜଣାଯାଇଛି। ଖବର ପାଇ ବଡ଼ଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ପ୍ରଶ୍ନ ଉଠୁଛି, ଅଟୋରେ ବୋମା କେଉଁଠୁ ଆସିଲା? ନା କେହି ଦୁର୍ବୃତ୍ତ ଅଟୋରେ ବୋମା ଛାଡ଼ି ଦେଇଥିଲା, ସେ ନେଇ ପୁଲିସ୍‌ ଛାନଭିନ୍‌ କରୁଛି। ଗୋବିନ୍ଦ ସୁସ୍ଥ ହେବା ପରେ ଏହି ସବୁ ପ୍ରଶ୍ନର ଉତ୍ତର ମିଳିପାରିବ ବୋଲି ବଡ଼ଗଡ଼ ଥାନା ଆଇଆଇସି ଦିଲୀପ ସ୍ବାଇଁ କହିଛନ୍ତି। ତେବେ ଗୋବିନ୍ଦର କାର୍ଯ୍ୟକଳାପକୁ ନେଇ ତର୍ଜମା କରାଯାଉଛି, ତା’ର କିଛି ଆପରାଧିକ ରେକର୍ଡ ରହିଛି କି ନାହିଁ, ସେ ନେଇ ମଧ୍ୟ ‌ଖୋଳତାଡ଼ ଚାଲିଥିବା ସେ କହିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ରବିବାର ରାତି ୮ଟା ବେଳେ ବିଜେବି ନଗରରୁ ଏହି ଅଟୋ (ଓଆର ୦୨ ବିବି ୬୩୫୯) ଟଙ୍କପାଣି ରୋଡ୍‌ ଆଡ଼କୁ ଯାଉଥିଲା। ରାଧାକୃଷ୍ଣ ମନ୍ଦିର ପାର୍‌ ହେଉଥିବା ବେଳେ ଅଟୋରେ ହଠାତ୍‌ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା। ଚାରିଆଡ଼ ଧୂଆଁ ବ୍ୟାପିଯିବା ସହ ଅଟୋରୁ ଛିଟିକି ପଡ଼ି ଗୋବିନ୍ଦ ଚିତ୍କାର କରିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ଅଘଟଣ ଘଟିବା ସମୟରେ ପୂରା ଅଞ୍ଚଳଟି ଧୂଆଁରେ ଭର୍ତ୍ତି ହୋଇଯାଇଥିଲା। ସେଠାରେ ଥିବା ଲୋକ ଯିଏ ଯୁଆଡ଼େ ପାରିଲେ, ଆଖିବୁଜା ଦୌଡ଼ିଥିଲେ।

ଉଲ୍ଲେଖ‌ଯୋଗ୍ୟ, କିଛି ଦିନ ତଳେ ମାଷ୍ଟର କ୍ୟାଣ୍ଟିନ୍‌ ଛକରେ ଏକ ଅଟୋରୁ କ୍ୟାପିଟାଲ ଥାନା ପୁଲିସ କେତେକ ଜୀବନ୍ତ ବୋମା ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା। ସେ ଜଣେ ଅଭ୍ୟାସଗତ ଅପରାଧୀ ହୋଇଥିବାରୁ ପୁଲିସ ତାକୁ ରିମାଣ୍ଡରେ ଆଣି ପଚରାଉଚରା କରିଥିଲା। ହେଲେ ପୁଲିସକୁ ସେଭଳି ଆଖିଦୃଶିଆ ସଫଳତା ମିଳିନଥିଲା।

ସମ୍ବନ୍ଧିତ ଖବର