ପୂଜା ପାଇଁ ମନ୍ଦିରକୁ ଆସିଥିଲେ ଅଟୋ ଚାଳକ, ଗଛ ଡାଳ ପଡି ମୃତ୍ୟୁ

ଭଞ୍ଜନଗର: ପୂଜା ପାଇଁ ଆସିଥିଲେ ମନ୍ଦିର। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ଅଟୋ ରଖି ମନ୍ଦିର ପାଖରେ ଚାଲି ଚାଲି ଯାଉଥିବା ବେଳେ ଗଛ ଡାଳ ପଡି ଚାଲି ଗଲା ପ୍ରାଣବାୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଭଞ୍ଜନଗର ଥାନା ଅଧିନ ଗୁଜୁରାଳି ଗ୍ରାମ ଛକ ଠାରେ। ମୃତକ ଜଣକ ହେଲେ ତାରସିଂ ଥାନା ଅଧିନ ହରିଗଡ ଗ୍ରାମର ଅଭିମନ୍ୟୁ ସାହୁଙ୍କ ପୁଅ ନୀଳମଣି ସାହୁ। ସେ ଆଜି ପୂର୍ବାହ୍ନ ସମୟରେ ନିଜ ଅଟୋରେ କିଛି ଯାତ୍ରୀଙ୍କୁ ନେଇ ଗୁଜୁରାଳି ଗ୍ରାମରେ ଥିବା ପାଟଖଣ୍ଡା ମନ୍ଦିରକୁ ଆସିଥିଲେ। ସେଠାରେ ସେ ଠାକୁର ଦର୍ଶନ ପରେ ମୋବାଇଲ ଧରି ବାହାରକୁ ଆସିଥିବା ସମୟରେ ମନ୍ଦିର ନିକଟରେ ଥିବା ଏକ ବିରାଟ କାକପୋଇ ଗଛର ଡାଳ ହଠାତ୍‌ ଭାଙ୍ଗି ତାଙ୍କ ମୁଣ୍ଡ ଉପରେ ପଡିଯାଇଥିଲା। ଯାହା ଫଳରେ ତାଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।

ଗତ ବର୍ଷା ପବନ ସମୟରେ ଉକ୍ତ ଡାଳଟି ଅଧା ଭଙ୍ଗା ଅବସ୍ଥାରେ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ବେଳେ ଆଜି ହଠାତ୍‌ ପଡିଯାଇଥିବା ସ୍ଥାନୀୟ ଲୋକ ଅନୁମାନ କରୁଛନ୍ତି। ଏହାପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ପାଇଁ ଚେଷ୍ଟା କରିବା ସମୟରେ ଗଛରେ ଥିବା ମହୁମାଛି ଘର ଯୋଗୁ ବହୁ ପୁଲିସ କର୍ମଚାରୀ ଓ ସ୍ଥାନୀୟ ଲୋକ ଆହାତ ହୋଇଥିଲେ। ବହୁ କଷ୍ଟରେ ବିଳମ୍ବରେ ନିଳମଣୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ସହ ଏସଂକ୍ରାନ୍ତରେ କେସ୍‌ ନମ୍ବର ୧୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଅନେକ ସ୍ଥାନରେ ରାସ୍ତାକଡରେ ଥିବା ବଡ଼ ବଡ଼ ଗଛର ଡାଳ ଗୁଡିକ ଭାଙ୍ଗି ଏଭଳି ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ବେଳେ ସେ ଗୁଡିକୁ ଚିହ୍ନଟ କରି ପ୍ରଶାସନ ପକ୍ଷରୁ ହଟାଇବା ଜରୁରୀ ହୋଇପଡିଛି। ଯାହା ଫଳରେ ଏଭଳି ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିବ ବ‌ୋଲି ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର