ଅଟୋଚାଳକଙ୍କ ତଣ୍ଟିକାଟି ଫିଙ୍ଗିଦେଲେ

କିଶନନଗର : କିଶନନଗର ଥାନା ପ୍ରହରାଜପୁର ନମାଜ ପଡ଼ିଆ ଗ୍ରାମର ଅବ୍ଦୁଲ୍‌ କାଦର୍‌ ଖାଁ (୪୨)ଙ୍କୁ ବୁଧବାର ରାତିରେ ଗଳାକାଟି ହତ୍ୟା କରାଯାଇଛି। ଗୁରୁବାର ସକାଳେ ତାଙ୍କ ଉଲଗ୍ନ ମୃତଦେହ ଗଡ଼ମା-କିଶୋରନଗର ରାସ୍ତାପାର୍ଶ୍ବ ନମାଜ ପଡ଼ିଆ ନିକଟରୁ କିଶନନଗର ପୁଲିସ ଉଦ୍ଧାର କରିଛି। ଶବକୁ ବ୍ୟବଚ୍ଛେଦ ପାଇଁ ପୁଲିସ କଟକ ପଠାଇଥିବାବେଳେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ପରିବାର ଲୋକଙ୍କ ଅଭିଯୋଗ ପରେ ଏକ ହତ୍ୟା ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି।

ସୂଚନାନୁସାରେ, ନମାଜପଡ଼ିଆ ଗ୍ରାମର ଅବ୍ଦୁଲ୍‌ ଗୁଲଜାର୍‌ ଖାଁଙ୍କ ଏକମାତ୍ର ପୁଅ କାଦର୍‌ ଅଟୋ ଚଳାଇବା ସହ ସ୍ଥାନୀୟ ଅଞ୍ଚଳରେ ଟ୍ୟୁବ୍‌ୱେଲ୍‌ ମରାମତି କାମ କରୁଥିଲେ। ବୁଧବାର ରାତି ପ୍ରାୟ ୮ଟାରେ ସେ ଚାଲିଚାଲି ନିକଟସ୍ଥ ନମାଜପଡ଼ିଆ ବଜାରକୁ ଆସିଥିଲେ। ଘରକୁ ଫେରିବାରେ ବିଳମ୍ବ ହେବାରୁ ପତ୍ନୀ ୱାହିଦା ଖାତୁନ୍‌ ରାତି ୧୧ଟା ୨୩ ମିନିଟରେ ତାଙ୍କ ସହ ଫୋନ୍‌ରେ କଥା ହୋଇଥିଲେ। ତେବେ, ଗୁରୁବାର ସକାଳ ପ୍ରାୟ ସାଢ଼େ ୯ଟାରେ କାଦର୍‌ଙ୍କ ଉଲଗ୍ନ ମୃତଦେହ ପଡ଼ିଆରେ ପଡ଼ିଥିବାନେଇ ପରିବାର ଲୋକଙ୍କୁ ଖବର ମିଳିଥିଲା। ସୂଚନା ପାଇ କିଶନନଗର ଥାନା ଆଇଆଇସି ରଶ୍ମିରଞ୍ଜନ ପଟ୍ଟନାୟକ ଓ ସାଲେପୁର ଏସ୍‌ଡିପିଓ ବିମଳ ବାରିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ମୃତଦେହ ନିକଟରୁ ପୁଲିସ ଏକ ମୋବାଇଲ୍‌ ଫୋନ୍‌ ଜବତ କରିଛି। ଅନ୍ୟତ୍ର ହତ୍ୟା କରିବାପରେ ତାଙ୍କୁ ଏଠାରେ ଫିଙ୍ଗି ଦିଆଯାଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ସୂଚନା ପାଇଛି।

ଘଟଣାରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି। ହତ୍ୟାକାଣ୍ଡର ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଛି, ଖୁବ୍‌ଶୀଘ୍ର ହତ୍ୟାକାରୀ ଧରାପଡ଼ିବେ ବୋଲି ସାଲେପୁର ଏସ୍‌ଡିପିଓ ବିମଳ ବାରିକ କହିଛନ୍ତି। ଅନ୍ୟପଟେ, ଏହି ହତ୍ୟାକାଣ୍ଡ ପଛରେ ଅନୈତିକ ସମ୍ପର୍କ ରହିଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର