ବରଗଡ଼: ବରଗଡ଼ ଜିଲ୍ଲା ସଦର ଥାନା ଅନ୍ତର୍ଗତ ସରସରା ଗ୍ରାମରେ ସୋମବାର ଭୋଟ ଗ୍ରହଣ ଦିନ ଅଟୋଚାଳକ ବିଶ୍ୱନାଥ ମିର୍ଦ୍ଧା(୩୫)ଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡ ସହିତ ରାଜନୀତିର ସମ୍ପର୍କ ରହିଛି କି ନାହିଁ, ତାହାକୁ ନେଇ ଦ୍ବନ୍ଦ୍ବ ରହିଛି। ହତ୍ୟାକାଣ୍ଡକୁ ନେଇ ପରିବାରବର୍ଗ କହିଛନ୍ତି, ମୃତ ବିଶ୍ୱନାଥ କୌଣସି ଦଳରେ ନଥିଲେ। ସେ ଗତକାଲି ଭୋଟର୍ଙ୍କୁ ନେଇ ବୁଥ୍କୁ ଯାଉଥିଲେ। ସେହି ଗାଁର କିଛି ରାଜନୈତିକ ସମର୍ଥକ ତାଙ୍କୁ ବିରୋଧ କରି ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି। ସେମାନଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି ତାଙ୍କ ପତ୍ନୀ କାନ୍ତି ମିର୍ଦ୍ଧା ଦାବି କରିଛନ୍ତି। ଅପରପକ୍ଷେ, କାରଣ ଏହା ରାଜନୈତିକ ହିଂସା ନୁହଁ ବୋଲି ପୁଲିସ କହିଛି।
ରାଜନୈତିକ ଦଳର ସମର୍ଥକ ଆକ୍ରମଣ କରିଛନ୍ତି: ପରିବାର
ରାଜନୈତିକ ହିଂସା ସହ ସମ୍ପର୍କ ନାହିଁ: ପୁଲିସ
ଏପରିସ୍ଥଳେ,ଘଟଣାର ୨୪ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ ଅଶୋକ ମହାନନ୍ଦ ଏ ପର୍ଯ୍ୟନ୍ତ ଗିରଫ ହୋଇନାହିଁ। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଆରଡିସି ବରଗଡ଼ ଆସି ସଦର ଥାନାରେ ଅତିରିକ୍ତ ଏସ୍ପି ଓ ଏସ୍ଡିପିଓଙ୍କ ସହ ରୁଦ୍ଧଦ୍ୱାର ଆଲୋଚନା କରିଛନ୍ତି। ଘଟଣାକୁ ନେଇ ପୁଲିସ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛି। ତଦନ୍ତ ଜାରି ରହିଥିବା ବେଳେ ଏହି ହତ୍ୟାକାଣ୍ଡ ପଛର ରହସ୍ୟ କଣ ତାହା ମୁଖ୍ୟ ଅଭିଯୁକ୍ତ ଧରାପଡ଼ିବା ପରେ ହିଁ ସ୍ପଷ୍ଟ ହେବ। ତେବେ, ପୁଲିସ ୮ରୁ ୧୦ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅନ୍ୟପକ୍ଷରେ,ମଙ୍ଗଳବାର ସରସରା ଗାଁ ସ୍ତବ୍ଧ ରହିଥିଲା। ପୁଲିସ୍ ମୁତୟନ ରହିଛନ୍ତି। ମୃତକଙ୍କ ପରିବାରବର୍ଗଙ୍କ କାନ୍ଦବୋବାଳିରେ ଫାଟି ପଡୁଥିଲା ଗାଁ। ସ୍ୱାମୀଙ୍କୁ ଝୁରି ବାହୁନି ବାହୁନି କାନ୍ଦୁଥିଲେ ପତ୍ନୀ ଓ ସଂପର୍କୀୟ। ଛୋଟ ଛୋଟ ଦୁଇ ଝିଅ ବାପଛେଉଣ୍ଡ ହୋଇଯାଇଛନ୍ତି। ପୂରା ପରିବାର ସହ ସରସରା ଗାଁରେ ଶୋକର ଛାୟା ଖେଳିଯାଇଛି।