ଡ୍ରାଇଭର ନଥାଇ ଓଭରବ୍ରିଜ୍‌ରୁ ଗଡ଼ିଗଲା ଅଟୋ, ତଳେ ବିଶ୍ରାମ ନେଉଥିବା ଶ୍ରମିକ ମୃତ

ବ୍ୟାସନଗର: ଯାଜପୁରରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ସହରର ଦଳା ବାଇପାସ୍‌ ଓଭର ବ୍ରିଜ୍‌ ଉପରୁ ଏକ ବ୍ୟାଟେରି ଚାଳିତ ଅଟୋ ଖସି ପଡ଼ିବାରୁ ତଳେ ବିଶ୍ରାମ ନେଉଥିବା ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ପଶ୍ଚିମବଙ୍ଗ କୋଲକାତା ଅଞ୍ଚଳର ସୁକୁମାର ଶିକାରି(୩୬)।

ବ୍ୟାସନଗରର ଅହମଦନଗର ଅଞ୍ଚଳରେ ଭାରତଗ୍ୟାସ ଦ୍ବାରା ଚାଲିଥିବା ପାଇପ୍‌ ବିଛା କାର୍ଯ୍ୟରେ ନିୟୋଜିତ ଥିବା ସୁକୁମାର ଅପରାହ୍ଣ ଗୋଟାଏ ବେଳେ ବିଶ୍ରାମ ନେଉଥିଲେ। ଦଳା ବ‌ାଇପାସ୍‌ ଓଭର ବ୍ରିଜ୍‌ ଉପରୁ ହଠାତ୍‌ ଏକ ବ୍ୟାଟେରି ଚାଳିତ ଅଟୋ ଗଡ଼ିଗଡ଼ି ଯାଇ ସୁକୁମାରଙ୍କ ଉପରେ ଓଲଟି ପଡ଼ିଥିଲା। ଏହି ଅଟୋର ଚାଳକ ଓଭର ବ୍ରିଜ୍‌ ଉପରେ ଅଟୋ ରଖି ପରିସ୍ରା କରୁଥିଲେ। ଅଟକି ଥିବା ଅଟୋଟି ହଠାତ୍‌ ତଳକୁ ଗଡ଼ିଥିଲା। ଅଟୋଚାଳକ ଏହାକୁ ରୋକି ପାରିନଥିଲେ। ପ୍ରାୟ ୫୦ ଫୁଟ୍‌ ତଳକୁ ଗଡ଼ିଯାଇ ଅଟୋଟି ସୁକୁମାରଙ୍କ ଉପରେ ଓଲଟି ପଡ଼ିଥିଲା। ନିକଟରେ କାମ କରୁଥିବା ଶ୍ରମିକମାନେ ତାଙ୍କୁ ଉଦ୍ଧାର କରି ଯାଜପୁରରୋଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଟାଟା ମେଡିକାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯାଜପୁରରୋଡ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇବା ସହ ଦୁର୍ଘଟଣାଗ୍ରସ୍ତ ଅଟୋକୁ ଜବତ କରିଛି।

ସମ୍ବନ୍ଧିତ ଖବର