ହାଇୱାକୁ ଧକ୍କା ଦେଲା ଅଟୋ: ୮ ମାସର ଶିଶୁ ସହ ୩ ମୃତ

୬ଜଣ ଗୁରୁତର ଆହତ, ହସ୍ପିଟାଲରେ ଭର୍ତ୍ତି, ଆଈର ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗଦେବାକୁ ଯାଉଥିଲେ

ସମ୍ବଲପୁର/ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ଶାସନ ଥାନା ପ୍ରଧାନପାଲି ଟୋଲ୍‌ଗେଟ ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ହାଇୱାକୁ ଅଟୋ ଧକ୍କାଦେବାରୁ ଜଣେ ୮ମାସର ଶିଶୁ ସମେତ ୩ଜଣ ପ୍ରାଣ ହରାଇଥିବା ବେଳେ ଅନ୍ୟ ୬ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକମାନେ ହେଲେ; କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଭଅଁରମାଲ ଗାଁ ହରିଜନପଡ଼ାର ବେଣୁଧର ବାଗ(୧୯), ପୁନମ ବାଗ(୧୩) ଓ ତାଙ୍କ ସାନଭଉଣୀ ନେମସିକା ବାଗ (୮ ମାସ)। ସେହିଭଳି ଆହତମାନେ ହେଲେ; ଭଅଁରମାଲର ବୈଦେହୀ ବାଗ, ପୂର୍ବୀ ବାଗ, ଜୟନ୍ତୀ ବାଗ, ବାଦଲ ବାଗ, ପିଙ୍କି ସିକା ଓ ଅଟୋ ଚାଳକ ସମ୍ବଲପୁର ଜିଲ୍ଲା ଝାରଘାଟିର ରାକେଶ ପାଣିଗ୍ରାହୀ। ଆହତମାନଙ୍କୁ ପୁଲିସ ଓ ସ୍ଥାନୀୟ ଲୋକେ ଉଦ୍ଧାର କରି ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ପଠାଇଛନ୍ତି।

୬ଜଣ ଗୁରୁତର ଆହତ, ହସ୍ପିଟାଲରେ ଭର୍ତ୍ତି
ଆଈର ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗଦେବାକୁ ଯାଉଥିଲେ
ଚାଲିଗଲା ୩ ନାତି-ନାତୁଣୀଙ୍କ ଜୀବନ

ଘଟଣା ଅନୁସାରେ, ସମ୍ବଲପୁର ଜିଲ୍ଲା ନୂଆଖୁରିଗାଁରେ ଥିବା ସଲାସର ରାଇସ୍‌ ମିଲ୍‌ରେ ଭଅଁରମାଲ ଗାଁର କିଛି ଶ୍ରମିକ ପରିବାର କାମ କରୁଥିଲେ। ଭଅଁରମାଲ ଗ୍ରାମର ବବ୍‌ଲୁ ବାଗଙ୍କ ମା’ ଘରମଣି ବାଗ(୭୦)ଙ୍କ ଆଜି ଭୋର୍‌ ସମୟରେ ପରଲୋକ ହୋଇଥିଲା। ଖବର ପାଇ ସମସ୍ତେ ଗାଁକୁ ଯିବାକୁ ବାହାରିଥିଲେ। ସେମାନେ ଏକ ଅଟୋ (ଓଡି ୩୧ ଜି ୧୮୮୨) ଭଡ଼ାକରି କ୍ଷେତରାଜପୁର ରେଳଷ୍ଟେସନକୁ ଯାଉଥିଲେ। ସେଠାରୁ ଟ୍ରେନ୍‌ ଯୋଗେ ଗାଁକୁ ଯାଇଥା’ନ୍ତେ। ହେଲେ, ପ୍ରଧାନପାଲି ଟୋଲ୍‌ଗେଟ୍‌ ନିକଟରେ ରାସ୍ତା କଡ଼ରେ ଅଟକିଥିବା ଏକ ହାଇୱା (ଜେଏଚ୍‌ ୧୦ ବିଟି ୮୬୭୭) ପଛରେ ଅଟୋଟି ଭାରସାମ୍ୟ ହରାଇ ପିଟି ହୋଇଯାଇଥିଲା। ଏଥିରେ ବବ୍‌ଲୁଙ୍କ ଦୁଇ ଝିଅ ପୁନମ, ନେମସିକା ଏବଂ ସମ୍ପର୍କୀୟ ପୁତୁରା ବେଣୁଧରଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ପୁଲିସ ଉଭୟ ଗାଡ଼ିକୁ ଜବତ କରିବା ସହ ହାଇଵା ଚାଳକଙ୍କୁ ଅଟକ ରଖିଛି।

ସମ୍ବନ୍ଧିତ ଖବର