ଯୁବକଙ୍କ ଉପରେ ଓଲଟି ପଡିଲା ପିକଅପ:ଜଣେ ମୃତ, ଡ୍ରାଇଭର ଆହତ

ବାଙ୍ଗିରିପୋଷି: ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ କହିବା ସହଜ କଥା ନୁହେଁ। ରାସ୍ତାରେ ଚାଲି ଚାଲି ଯାଉଥିବା ଜଣେ ଯୁବକଙ୍କ ଉପରେ ଓଲଟି ପଡିଲା ପାଣି ବୋତଲ ବୋଝେଇ ପିକଅପ ଭ୍ୟାନ୍‌। ଚିକିତ୍ସାଧୀନ ଅବସ୍ଥାରେ ଯୁବକଙ୍କ ଜୀବନ ଚାଲି ଯାଇଥିଲା ଓ ଡ଼୍ରାଇଭର ଆହତ ହୋଇଛନ୍ତି। ଏପରି ଅଘଟଣ ମୟୂରଭଂଜ ଜିଲ୍ଳା ବାଙ୍ଗିରିପୋଷି ଥାନା ବଣକାଟି ପଞ୍ଚାୟତ ଦଶରାପଦା ଛକ ନିକଟରେ ଆଜି ଦିନ ପାଖାପାଖି ୧୨ ଟା ସମୟରେ ଘଟିଛି।

ସୂଚନା ଅନୁସାରେ ବଣକାଟି ଗ୍ରାମର ଦେବେନ୍ଦ୍ର ନାଏକ( ୫୦) ଗବଦୁଲ ଦଶରାପଦା ଛକ ଠାରୁ ସଉଦା ନେଇ ଘରକୁ ଚାଲିଚାଲି ଯାଉଥିବା ବେଳେ ଏକ ଦ୍ରୁତଗାମୀ ପାଣି ବୋତଲ ବୈଝେଇ ପିକ୍‌ଅପ୍‌ (ଓଆର୍‌ ୧୧କେ୍‌ ୮୦୦୩୭) ହଠାତ୍ ଆସି ଦେବେନ୍ଦ୍ରଙ୍କ ଉପରେ ଓଲଟି ପଡିଥିଲା। ପିକ୍‌ଅପ୍‌ଟି ଖୁଣ୍ଟା ଥାନା ବାସି ପିଠାରୁ ବାଦାମପାହାଡ଼ ଯାଉଥିଲା। ପୁଲିସ ଖବର ପାଇ ଏକ କ୍ରେନ୍‌ ଯୋଗେ ପିକ୍‌ଅପ୍‌ ତଳୁ ଯୁବକଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଣି ଚିକିତ୍ସା କରାଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଡ୍ରାଇଭର ଖୁଣ୍ଟାର ରାଜକୁମାର କରଜିଙ୍କୁ ପ୍ରାଥମିକ ଚିକିତ୍ସା ପରେ ପୁଲିସ ଅଟକ ରଖିଛି। ଗାଡ଼ିରେ ଯାନ୍ତ୍ରିକ ତ୍ରୁଟି ହଠାତ୍ ହେବାରୁ ଦୁର୍ଘଟଣା ଘଟିଛି ବୋଲି ଡ୍ରାଇଭର କହିଛନ୍ତି। ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଛି। ଏଠାରେ ସୂଚନାଯୋଗ୍ୟ କିଛି ବର୍ଷ ପୂର୍ବରୁ ଦେବେନ୍ଦ୍ରଙ୍କ ବାପାଙ୍କ ମଧ୍ୟ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର