ଦ୍ୱନ୍ଦ୍ୱରେ ଯାତ୍ରୀ ପରିବହନ ସେବା : ଆଜିଠୁ ଗଡ଼ିବ ଅଟୋ, ଝୁଲାଇ ରଖିଲେ ବସ୍‌ ମାଲିକ

ଭୁବନେଶ୍ବର : ଆସନ୍ତାକାଲିଠୁଁ ଅଟୋ, ଟାକ୍ସି ଓ ବସ୍‌ ସେବା ଆରମ୍ଭ ହେବ ବୋଲି ସରକାର ଘୋଷଣା କରିଛନ୍ତି। ତାଲାବନ୍ଦ ବଳବତ୍ତର ଥିଲେ ବି ସାଧାରଣ ପରିବହନ ସେବା ଆରମ୍ଭ କରିବାକୁ କଟକଣାକୁ କୋହଳ କରାଯାଇଛି। ସାମାଜିକ ଦୂରତା ଦୃଷ୍ଟିରୁ ଅଟୋ ଓ ଟାକ୍ସିରେ ଡ୍ରାଇଭରକୁ ଛାଡ଼ି ଦୁଇଜଣ ଯାତ୍ରୀ ଯାଇପାରିବେ। ସେହିପରି ବସ୍‌ର ସିଟ୍‌ ସଂଖ୍ୟା ଅନୁଯାୟୀ ଯାତ୍ରୀ ପରିବହନ ହେବ। ଅଥଚ ଯାତ୍ରୀ ପରିବହନ ସେବା ଆରମ୍ଭ ନେଇ ଏବେ ବି ଦ୍ବନ୍ଦ୍ବ ଲାଗି ରହିଛି। ସରକାରଙ୍କ ନିଷ୍ପତ୍ତିକୁ ଅଟୋ ଓ ଟାକ୍‌ସି ଚାଳକ ମହାସଂଘ ଗ୍ରହଣ କରିଥିବାବେଳେ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ କୌଣସି ନିଷ୍ପତ୍ତି ନେଇପାରିନି। ସେପଟେ ସରକାରଙ୍କ ସହ ବିସ୍ତୃତ ଆଲୋଚନା ପରେ ବସ୍‌ ଚଳାଇବା ନେଇ ନିଷ୍ପତ୍ତି ନିଆଯିବ ବୋଲି ବସ୍‌ ମାଲିକ ସଂଘ କହିଛି।

ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖି ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ସଭାପତି ଲୋକନାଥ ପାଣି କହିଛନ୍ତି, ବସ୍‌ ଚଳାଚଳ ବନ୍ଦ କରିବା ନିଷ୍ପତ୍ତି ସରକାର ନେଇଥିଲେ। ୨ମାସରୁ ଅଧିକ କାଳ ହେଲାଣି ବସ୍‌ ବନ୍ଦ ରହିଛି ଓ କୌଣସି ରୋଜଗାର ନାହିଁ। ଗତ ମାର୍ଚ୍ଚ୍‌ ମାସରେ ତାଲାବନ୍ଦ ହେବା ପରଠାରୁ ମୁଖ୍ୟମନ୍ତ୍ରୀଙ୍କୁ ସଂଘ ପକ୍ଷରୁ ୫ଟି ଚିଠି ପ୍ରଦାନ କରାଯାଇଛି। କେତୋଟି ମୌଳିକ ଦାବିଗୁଡ଼ିକୁ ପୂରଣ କରିବାକୁ ସଂଘ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଛି। ଏ ପର୍ଯ୍ୟନ୍ତ ସେଥିରୁ ଗୋଟିଏ ବି ଦାବି ପୂରଣ ନେଇ ସରକାର ପ୍ରତିଶ୍ରୁତି ରଖିନାହାନ୍ତି। କିମ୍ବା ଏ ପର୍ଯ୍ୟନ୍ତ ସରକାର ଆଲୋଚନାକୁ ଡାକି ନାହାନ୍ତି। ସରକାରଙ୍କ ସହ ଆଲୋଚନା ପରେ ବସ ଚଲାଇବା ନେଇ ନିଷ୍ପତ୍ତି ନିଆଯିବ। ସଂଘର ଦାବି ମୁତାବକ ଚଳିତବର୍ଷ ମାର୍ଚ୍ଚ ମାସରୁ ଅଗଷ୍ଟ ପର୍ଯ୍ୟନ୍ତ ପ୍ରତ୍ୟେକ ବସ୍‌ ଉପରେ ରୋଡ ଟିକସ ଛାଡ଼ି କରାଯାଉ। ତାଲାବନ୍ଦ ଅବଧି ଭିତରେ ଯେଉଁ ବସର ବୀମା ନବୀକରଣ ତାରିଖ ପଡ଼ୁଛି ସେହିସବୁ ଗାଡ଼ିଗୁଡ଼ିକର ବୀମା ଅବଧିକୁ ଆସନ୍ତା ୬ ମାସ ପାଇଁ ବୃଦ୍ଧି କରାଯାଉ। ଯେହେତୁ ତାଲାବନ୍ଦ ସମୟତକ ଗାଡ଼ିମାଲିକ ଗୋଟିଏ ଟଙ୍କା ବି ରୋଜଗାର କରିନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଋଣରେ କିଣା ଯାଇଥିବା ଗାଡ଼ିଗୁଡ଼ିକ ଉପରେ ୬ ମାସ ପାଇଁ ସ୍ଥଗିତ ରହିଥିବା ବ୍ୟାଙ୍କ କିସ୍ତି ଉପରେ ସୁଧ ଛାଡ଼ କରାଯାଉ। ବସ ମାଲିକ ସଂଘ ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି, ତାଲାବନ୍ଦ ଯୋଗୁଁ ବସ୍‌ ଡ୍ରାଇଭର, ହେଲ୍‌ପର ଓ କଣ୍ଡକ୍‌ଟର୍‌ମାନଙ୍କୁ ଦରମା ଦିଆଯାଇପାରୁନି। ଦିଲ୍ଲୀ ସରକାର ଯେପରି ବସ୍‌ କର୍ମଚାରୀଙ୍କ ପାଇଁ ସହାୟତା ପ୍ରଦାନ କରିଛନ୍ତି। ସେହିଭଳି ଓଡ଼ିଶା ସରକାର ଏହି ସମୟରେ ସହାୟତା ପ୍ରଦାନ କରିବାକୁ ସରକାରଙ୍କୁ ଅନୁରୋଧ କରାଯାଇଥିଲା। ଏ ନେଇ କୌଣସି ନିଷ୍ପତ୍ତି ସରକାର ନେଇନାହାନ୍ତି। ଏହାସହିତ ସରକାର ବସ୍‌ ଚଲାଇବାକୁ କଟକଣା କୋହଳ କରିଥିଲେ ବି ଏଯାଏଁ ଆଲୋଚନା ପାଇଁ ଡାକିନାହାନ୍ତି।

ନିଖିଳ ଉତ୍କଳ ଅଟୋ ଓ ଟାକ୍‌ସି ଚାଳକ ମାଲିକ ମହାସଂଘ କାର୍ଯ୍ୟକାରୀ ସଭାପତି ନବ କିଶୋର ମହାନ୍ତି କହିଛନ୍ତି, ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଆସନ୍ତାକାଲିଠାରୁ ରାଜ୍ୟରେ ଟାକ୍‌ସି ଓ ଅଟୋ ଚଳାଚଳ କରିବ। କିନ୍ତୁ କିଛି ଯାତ୍ରୀ ଓ ଅଟୋ ଚାଳକଙ୍କ କିଛି ସମସ୍ୟା ରହିଛି। କରୋନା ପାଇଁ ମାତ୍ର ୨ ଜଣ ଯାତ୍ରୀ ପରିବହନ ପାଇଁ ବ୍ୟବସ୍ଥା ଥିବାରୁ ଏ କ୍ଷେତ୍ରରେ ପରିବହନ ଖର୍ଚ୍ଚ ଅଧିକ ପଡ଼ିବ। ଏହାକୁ ବିଚାରକୁ ନେଲେ ସର୍ବନିମ୍ନ ଯାତ୍ରୀ ଭଡ଼ାରେ ବୃଦ୍ଧି ହୋଇପାରେ। ତେବେ ସରକାରଙ୍କ ସହ ଆଲୋଚନା ପରେ ଭଡ଼ା ବୃଦ୍ଧି ନେଇ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର