ତାଲା ବନ୍ଦ ବେଳେ ରାସ୍ତାରେ ଗଡ଼ିବନି ଅଟୋ-ଟ୍ୟାକ୍ସି, ନିୟମ ଉଲଂଘନ କଲେ ହେବ ଜେଲ-ଜରିମାନା

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ କାଲି (ରବିବାର, ମାର୍ଚ୍ଚ ୨୨)ଠାରୁ ମାର୍ଚ୍ଚ ୨୯ ଯାଏଁ ରାଜ୍ୟର ୫ ଜିଲ୍ଲା ଓ ୮ ସହରରେ ତାଲା ବନ୍ଦ ହେଉଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଏହି ତାଲା ବନ୍ଦ ସମୟରେ ରାସ୍ତାରେ ସର୍ବସାଧାରଣ ପରିବହନ ବ୍ୟବସ୍ଥା ବନ୍ଦ ରହିବ। ଫଳରେ ଅଟୋ ଓ ଟ୍ୟାକ୍ସି ଗଡ଼ିବ ନାହିଁ। ସରକାରଙ୍କ ଗାଇଡଲାଇନ୍‌ ଅନୁସାରେ ବ୍ୟକ୍ତିଗତ ଗାଡ଼ି-ମୋଟର ଯାତାୟତ କରିପାରିବ। ନିୟମ ଉଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଇପିସି ଧାରା-୧୮୮ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ଧାରା-୧୮୮ ଅନୁଯାୟୀ ଉଲଂଘନକାରୀଙ୍କୁ ଜେଲ ହେବ ଏବଂ ଜରିମାନା ଦେବାକୁ ପଡ଼ିବ।

ଗ୍ରୋସରୀ, ପରିବା, ମାଛ, ମାଂସ, ଅଣ୍ଡା ଦୋକାନ ଖୋଲା ରହିବ। ଅତ୍ୟାବଶ୍ୟକ ଦ୍ରବ୍ୟର ହୋଲସେଲ ବଜାର ଖୋଲା ରହିବ। ସେହିପରି ଓଡ୍ରାଫ, ଦୂରସଂଚାର, ପେଟ୍ରୋଲ ପମ୍ପ, ରେଳ ଷ୍ଟେସନ, ବିମାନବନ୍ଦର ଖୋଲା ରହିବ। ହସ୍‌ପିଟାଲ, ବ୍ୟାଙ୍କ, ଏଟିଏମ୍‌, ପୌର ସେବା ଜାରି ରହିବ। ମୋବାଇଲ, ଇଣ୍ଟରନେଟ, ପୁଲିସ, ଅଗ୍ନିଶମ, ପାନୀୟ ଜଳ, ବିଦ୍ୟୁତ ସେବା ବନ୍ଦ ରହିବ ନାହିଁ।

ତାଲା ବନ୍ଦ ସମୟରେ ଜିଲ୍ଲାପାଳ, ଉପ-ଜିଲ୍ଲାପାଳ, ତହସିଲ, ବ୍ଲକ କାର୍ଯ୍ୟାଳୟ ଖୋଲାରହିବ। ସେହିଭଳି ପୌରସଂସ୍ଥାର କାର୍ଯ୍ୟାଳୟ ଖୋଲା ରଖାଯିବାକୁ ଥିବା ବେଳେ ସହର ସହର ମଧ୍ୟରେ ବସ ସେବା ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ।

ସମ୍ବନ୍ଧିତ ଖବର