ଭଦ୍ରକ : ବିଶିଷ୍ଟ ରାଜନେତା, ନାଟ୍ୟକାର ତଥା ସାହିତ୍ୟିକ ସୁଧାକର ନନ୍ଦଙ୍କ ଆତ୍ମଜୀବନୀ ପୁସ୍ତକ ‘ସମୟ କଷଟିରେ ମୋ ଜୀବନ ଉନ୍ମୋଚିତ ହୋଇଯାଇଛି। ରବିବାର ସନ୍ଧ୍ୟାରେ ଭଦ୍ରକର ସହିଦ୍‌ ସ୍ମୃତି ଭବନରେ ‌ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପୁସ୍ତକକୁ ଉନ୍ମୋଚନ କରିଥିଲେ। ସାହିତ୍ୟ ସର୍ଜନା କ୍ଷେତ୍ରରେ ଶ୍ରୀ ନନ୍ଦ ଯେଭଳି ସୁନାମ ଅର୍ଜନ କରିଛନ୍ତି, ରାଜନୀତି କ୍ଷେତ୍ରରେ ମଧ୍ୟ ଜଣେ ଭଲ ରାଜନେତା ଭାବେ ପରିଚିତ ଥିଲେ। ସ୍ବର୍ଗତ ବିଜୁବାବୁଙ୍କ ସହିତ ତାଙ୍କର ଘନିଷ୍ଠତା ଥିଲା। ତାଙ୍କ ଦ୍ବାରା ଲିଖିତ ଏହି ପୁସ୍ତକଟି ଆଗାମୀ ଦିନରେ ଏକ ମାଇଲଖୁଣ୍ଟ ହୋଇ ରହିବ ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ। କାର୍ଯ୍ୟକ୍ରମରେ ସଭାପତିତ୍ବ କରି ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ କହିଥିଲେ ଯେ ସୁଧାକର ବାବୁ ଅନେକ ନାଟକ ରଚନା କରିଛନ୍ତି, ଅନେକ ଗଳ୍ପ କବିତା ମଧ୍ୟ ଲେଖିଛନ୍ତି। ଏହି ସାରସ୍ବତ ସ୍ରଷ୍ଟା ଜଣେ ସର୍ବଗୁଣ ସଂପନ୍ନ ମଣିଷ ଭାବେ ସାରା ରାଜ୍ୟରେ ପରିଚିତ। ଭଦ୍ରକ ମାଟି ପ୍ରତି ତାଙ୍କର ଭଲ ପାଇବା ତାଙ୍କୁ ଜଣେ ସଫଳ ସ୍ରଷ୍ଟା ଭାବେ ଗଢ଼ି ତୋଳିଛି।

Advertisment

ସଭାରେ ବରେଣ୍ୟ ଅତିଥି ଭାବେ ‘ସମ୍ବାଦ’ର ସମ୍ପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଯୋଗ ଦେଇ କହିଲେ ଯେ ସୁଧାକର ବାବୁଙ୍କ ସ୍ବରଚିତ ଆତ୍ମଜୀବନୀ ପୁସ୍ତକରେ ସେ ତାଙ୍କ ଜୀବନର ଅନେକ ଅକୁହା କଥା ଛାଡ଼ି ଯାଇଥିବା ପରି ମନେହୁଏ। ତାଙ୍କ ଜୀବନୀ ସମ୍ପର୍କରେ ସେ ଆହୁରି ଅନେକ କଥା କହିବାକୁ କିମ୍ବା ଲେଖିବାକୁ ଚାହିଁଥିଲେ ମଧ୍ୟ ତାହା ସେ ଲେଖି ପାରିନାହାନ୍ତି। ସେ ରାଜନୀତିରେ ଜଣେ ଦକ୍ଷ ନେତା ଭାବରେ ଯେଭଳି ସୁନାମ ଅର୍ଜନ କରିଛନ୍ତି, ସାହିତ୍ୟ ଓ ନାଟକ କ୍ଷେତ୍ରରେ ମଧ୍ୟ ତାଙ୍କର ଢେର ସମ୍ମାନ ରହିଛି। ତାଙ୍କ ଆତ୍ମଜୀବନୀ ପୁସ୍ତକରୁ ଅନେକ କଥା ଶିଖିବାର ଅଛି। ଆତ୍ମଜୀବନୀର ଶେଷ ପୃଷ୍ଠାଗୁଡିକରେ ସେ ଏଭଳି କିଛି କଥା ଲେଖିଛନ୍ତି, ଯାହା ତାଙ୍କ ଜୀବନକୁ ଅଧିକ ରୁଦ୍ଧିମନ୍ତ କରିଛି। ସେ ତାଙ୍କ ଜୀବଦଶାରେ ଅନେକ ଅନୁଭୂତି ଓ ଅନୁଭବର କଥା ଲେଖିଛନ୍ତି। ଉଭୟ ରାଜନୀତି ଓ ସାହିତ୍ୟରେ ସେ ଜଣେ ସଫଳ ବ୍ୟକ୍ତିତ୍ବ।

ପୂର୍ବତନ ମନ୍ତ୍ରୀ ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇ କହିଥିଲେ, କାହାଣୀ ଓ ଆତ୍ମକାହାଣୀ ଦୁଇଟି ଅଲଗା କଥା। କାହାଣୀରେ ଚରିତ୍ରମାନଙ୍କ ବିଷୟରେ ଲେଖକ ଲେଖିଥାଏ। କିନ୍ତୁ ଆତ୍ମକାହାଣୀରେ ଲେଖକ ତା ନିଜ କଥା ଲେଖେ। ତେଣୁ ଆତ୍ମକାହାଣୀ ଲେଖିବା କଷ୍ଟକର ବୋଲି ଶ୍ରୀ ନନ୍ଦ କହିଥିଲେ। ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର ଅନ୍ୟତମ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇ ସୁଧାକର ନନ୍ଦଙ୍କ ଆତ୍ମଜୀବନୀ ଏକ ଭିନ୍ନଧରଣର କାହାଣୀ ବୋଲି କହିଥିଲେ। ଏହି କାହାଣୀରେ ସେ ଅନେକ ଅକୁହା କଥା ଲେଖିଥିବା ‌ବେଳେ ତାଙ୍କ ଜୀବନର ଅନେକ ଦୁଃଖସୁଖର ମୁହୂର୍ତ ପାଠକମାନଙ୍କ ପାଇଁ ବାଣ୍ଟିଛନ୍ତି। ଏଥିରେ ତାଙ୍କର ଅତୀତ ଜୀବନର ତିକ୍ତ ଓ ମଧୁର ଅଭୁଭୂତି ବର୍ଣ୍ଣନା ରହିଛି।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ସ୍ବରାଜ୍ୟର ପୂର୍ବତନ ସମ୍ପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଡ.ଅନଙ୍ଗ ଦ୍ବିବେଦୀ, ଇଂ. ଅକ୍ଷୟ ପାଢ଼ୀ, ଜାନକୀ ପାଢ଼ୀ, ଚିନ୍ମୟୀ ନନ୍ଦ ପ୍ରମୁଖ ଯୋଗ ଦେଇ ଏହି ପୁସ୍ତକରୁ କିଛି ଶିଖିବାର ଅଛି ବୋଲି କହିଥିଲେ। ଏହି ଅବସରରେ ବହୁ ବିଶି‌ଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।