ଭୁବନେଶ୍ବର : ଭୁବନେଶ୍ବରସ୍ଥିତ ସୃଷ୍ଟି ଏକାଡେମି ଅଫ୍ ମ୍ୟାନେଜ୍ମେଣ୍ଟକୁ ସ୍ୱୟଂଶାସତ ମାନ୍ୟତା ମିଳିଛି। କେନ୍ଦ୍ର ସରକାରଙ୍କ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି), ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଓ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି) ପକ୍ଷରୁ ଏହି ମାନ୍ୟତା ଦିଆଯାଇଛି। ୨୦୨୧-୨୨ ଶିକ୍ଷାବର୍ଷଠାରୁ ଆଗାମୀ ୧୦ବର୍ଷ ପର୍ଯ୍ୟନ୍ତ ଏହି ମାନ୍ୟତା ବଜାୟ ରହିବ। ମାନ୍ୟତା ମିଳିବା ପରେ ଏହି ଶିକ୍ଷାନୁଷ୍ଠାନ ସୃଷ୍ଟି ଏକାଡେମି ଅଫ୍ ମ୍ୟାନେଜ୍ମେଣ୍ଟ ଅଟୋନୋମସ୍ କଲେଜ ଭାବେ ନୂଆ ପରିଚୟ ପାଇଛି।
୨୦୦୩ରେ ପ୍ରତିଷ୍ଠିତ ଏହି କଲେଜ ୨୦୧୧ ଓ ୨୦୧୬ରେ ନାକ୍ର ‘ଏ’ ଗ୍ରେଡ୍ ମାନ୍ୟତା ପାଇଛି। ଏଥିସହ ଶିକ୍ଷାନୁଷ୍ଠାନକୁ ସ୍ୱୟଂଶାସିତ ମାନ୍ୟତା ମିଳିବା ପୂର୍ବ ଭାରତର ମ୍ୟାନେଜ୍ମେଣ୍ଟ ଶିକ୍ଷା କ୍ଷେତ୍ରରେ ଏକ ନୂତନ ଫର୍ଦ୍ଦ ଯୋଡ଼ି ହୋଇଛି। ପ୍ରଯୁକ୍ତିବିଦ୍ୟା, ଗବେଷଣା ଓ ବିକାଶ କ୍ଷେତ୍ରରେ ଏହି ନୂତନ ସ୍ୱୀକୃତି ପାଇଁ ଅନୁଷ୍ଠାନର ଅଧ୍ୟକ୍ଷ ସୁଶାନ୍ତ କୁମାର ଦାସ ସମସ୍ତ ଶୁଭେଛୁଙ୍କୁ କୃତଜ୍ଞତା ଜଣାଇଛନ୍ତି। ୨୦୨୧-୨୨ ଶିକ୍ଷାବର୍ଷରୁ ଏହି ଶିକ୍ଷାନୁଷ୍ଠାନ ସ୍ୱୟଂଶାସିତ କଲେଜ ଭାବେ କେତୋଟି ନିଯୁକ୍ତି ସମ୍ଭାବନାଭିତ୍ତିକ ବିଷୟ ଏହାର ଉଭୟ ଏମ୍ବିଏ ଓ ଆଇ-ଏମ୍ବିଏ ପାଠ୍ୟକ୍ରମରେ ପ୍ରଚଳନ କରିବାକୁ ଯାଉଛି। ପରୀକ୍ଷା ପରିଚାନଳା କ୍ଷେତ୍ରରେ ଅଧିକ ସୁଧାର ଆଣିବା ସହ ପିଲାମାନଙ୍କ ଶିକ୍ଷା ଓ କର୍ମକୁଶଳତା ବୃଦ୍ଧି କରିବା ସହ ଠିକ୍ ସମୟରେ ପରୀକ୍ଷା ଫଳ ପ୍ରକାଶିତ ହୋଇପାରିବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ଦାସ ମତପ୍ରକାଶ କରିଛନ୍ତି। ଏହି ନୂତନ ସ୍ୱୀକୃତି ପାଇଁ ମହାବିଦ୍ୟାଳୟର ସମସ୍ତ ବିଦ୍ୟାର୍ଥୀ, ପୂର୍ବତନ ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟାପକ ଓ ଅଧ୍ୟାପିକା, କର୍ମକର୍ତ୍ତା, ଉପଦେଷ୍ଟା, ନିଯୁକ୍ତିଦାତା ଓ ଶୁଭେଚ୍ଛୁଙ୍କୁ ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ ସରୋଜ କୁମାର ସାହୁ କୃତଜ୍ଞତା ଜଣାଇଛନ୍ତି।