ସ୍ବୟଂଶାସିତ କଲେଜର ନାହିଁ ସ୍ବୟଂଶାସିତ ମାନ୍ୟତା

୩୨ଟି ମହାବିଦ୍ୟାଳୟରୁ ଯୋଗ୍ୟତା ହରାଇଛନ୍ତି ୩୦, ନାକ୍‌ ମାନ୍ୟତା ପାଇଁ ଆବେଦନ କରୁନାହାନ୍ତି

ଭୁବନେଶ୍ବର : ରାଜ୍ୟର ଅଧିକାଂଶ ସରକାରୀ ଓ ଅନୁଦାନପ୍ରାପ୍ତ ସ୍ୱଂୟଶାସିତ ମହାବିଦ୍ୟାଳୟର ସ୍ବୟଂଶାସିତ ମାନ୍ୟତା ନାହିଁ। କାହାର ୧୦ ବର୍ଷ ହେଲା ସରି ଯାଇଛି ତ ଆଉ କାହାର ୩ ବର୍ଷ ହେଲା। ଏମିତି ବି କିଛି ମହାବିଦ୍ୟାଳୟ ରହିଛନ୍ତି, ଯେଉଁମା​ନେ ସ୍ବୟଂଶାସିତ ମାନ୍ୟତା ପାଇବାକୁ ଯୋଗ୍ୟ ନୁହଁନ୍ତି। ମାତ୍ର କାଗଜକଲମରେ ଏହି କଲେଜଗୁଡ଼ିକ ନିଜକୁ ସ୍ବୟଂଶାସିତ ବୋଲି ଦାବି କରୁଛନ୍ତି। ସାଇନ୍‌ ବୋର୍ଡରେ ସ୍ବୟଂଶାସିତ ବୋଲି ଉଲ୍ଲେଖ କରୁଛନ୍ତି। ନୂଆ ନୂଆ ପାଠ୍ୟକ୍ରମ ଖୋଲିବାକୁ ରାଜ୍ୟ ସରକାରଙ୍କଠାରୁ ଅନୁମତି ପାଉଛନ୍ତି। ସ୍ବୟଂଶାସିତ ମହାବିଦ୍ୟାଳୟ ହୋଇଥିବାରୁ ଛତ୍ରଛାତ୍ରୀ ମଧ୍ୟ ସେଠାରେ ଉଚ୍ଚଶିକ୍ଷା କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ହେଲେ ସେମାନେ ଜାଣିପାରୁ ନାହାନ୍ତି ଯେ କଲେଜ ସ୍ବୟଂଶାସିତ ମାନ୍ୟତା ହରାଇଛି।

ଗୁରୁତ୍ବପୂର୍ଣ୍ଣ କଥା‌ ହେଉଛି ଯେ ଅଧିକାଂଶ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ମାନ୍ୟତା ହରାଇଛନ୍ତି। ‌ମୋଟ ୧୫ଟି ସରକାରୀ ସ୍ବୟଂଶାସିତ କଲେଜ ମଧ୍ୟରୁ ୧୧ଟି ମାନ୍ୟତା ହରାଇଛନ୍ତି। ମାତ୍ର ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି)ର ୨୦୧୮ ନିୟମାବଳୀ ଅନୁଯାୟୀ ନାକ୍‌ ‘ଏ’ ଗ୍ରେଡ୍‌ ତଥା ୩.୦୧ ସିଜିପିଏ ପାଇଥିବା କଲେଜ ସ୍ବୟଂଶାସିତ ମାନ୍ୟତା ପାଇବାକୁ ଯୋଗ୍ୟତା ଅର୍ଜନ କରିବେ। ନ ହେଲେ ନାକ୍‌ ସାଇକେଲ୍‌ରେ ସାମିଲ ‌ଥିବା କଲେଜକୁ ମାନ୍ୟତା ମିଳିବ। କୌଣସି ଶିକ୍ଷାନୁଷ୍ଠାନ ଯଦି ଉପରୋକ୍ତ ଦୁଇଟି ସର୍ତ୍ତ ମଧ୍ୟରୁ ଗୋଟିଏ ପୂରଣ କରିବାରେ ‌ଫେଲ୍‌ ମାରନ୍ତି ତାହା ହେଲେ ସ୍ବୟଂଶାସିତ ମାନ୍ୟତା ହରାଇବା ଥୟ। ସେହି ଅନୁଯାୟୀ ରାଜ୍ୟର ୧୪ଟି ସରକାରୀ ମହାବିଦ୍ୟାଳୟର ସ୍ବୟଂଶାସିତ ମାନ୍ୟତା ନାହିଁ। ଏମିତିକି ରାଜ୍ୟର ପ୍ରମୁଖ ସ୍ବୟଂଶାସିତ ମହାବିଦ୍ୟାଳୟ ବିଜେବିର ମାନ୍ୟତା ୨୦୨୧-୨୨ରେ ସରିଯାଇଛି। ସେହିପରି ୧୭ଟି ଅନୁଦାନପ୍ରାପ୍ତ ସ୍ବୟଂଶାସିତ ମହାବିଦ୍ୟାଳୟ ମଧ୍ୟରୁ ୩ଟିର ମାନ୍ୟତା ରହିଥିଲେ ମଧ୍ୟ ୨୦୧୮ ୟୁଜିସି ନିୟମକୁ ବିଚାରକୁ ନେଲେ କୌଣସି ଅନୁଦାନପ୍ରାପ୍ତ ସ୍ବୟଂଶାସିତ ମହାବିଦ୍ୟାଳୟ ମାନ୍ୟତା ପାଇବାକୁ ଯୋଗ୍ୟ ନୁହନ୍ତି।

ନାକ୍‌ ମାନ୍ୟତା ପାଇବା ଲାଗି କଲେଜଗୁଡ଼ିକୁ ୫ବର୍ଷର ବାର୍ଷିକ ଗୁଣବତ୍ତା ବା ଏକ୍ୟୁଏଆର ରିପୋର୍ଟ ଦାଖଲ କରିବାକୁ ପଡ଼େ। ପାଠ୍ୟକ୍ରମ ଦିଗ, ଶିକ୍ଷାଦାନ, ଶିକ୍ଷା, ନବସୃଜନ, ଗବେଷଣା, ଭିତ୍ତିଭୂମି, କଲେଜର ବିଶେଷତ୍ୱ, ଇ-ଗଭର୍ଣ୍ଣାନ୍ସ, ଛାତ୍ର/ଛାତ୍ରୀଙ୍କ ପାଇଁ ସହାୟତା ଆଦିର ବିବରଣୀ ଦେବାକୁ ପଡ଼ିଥାଏ। ଅନ୍‌ଲାଇନ୍‌ ଅପଲୋଡ୍ ହୋଇଥିବା ତଥ୍ୟରୁ ୭୦% ମୂଲ୍ୟାୟନ ଏବଂ ‘ନାକ୍’ ଟିମ୍ ସମ୍ପୃକ୍ତ କଲେଜକୁ ପରିଦର୍ଶନ କରି ୩୦% ମୂଲ୍ୟାୟନ କରେ। ବିଜେବି କଲେଜ ଅଧ୍ୟକ୍ଷ ନିରଞ୍ଜନ ମିଶ୍ର ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ୨୦୨୧ ଡିସେମ୍ବର ପର୍ଯ୍ୟନ୍ତ ନାକ୍‌ ମାନ୍ୟତା ରହିଥିଲା। ନବୀକରଣ ଲାଗି ଆବେଦନ କରାଯାଇଛି। ପ୍ରି କ୍ବାଲିଫାଏଡ୍‌ ‌ହୋଇଛି। ଅଟୋନୋ‌ମି ଟିମ୍‌ ଆଗକୁ ଆସିବାକୁ ଥିବାରୁ ସେଥିପାଇଁ ଆମେ ପ୍ରସ୍ତୁତ ହେଉଛୁ। ତା’ପରେ ନାକ୍‌ ଟିମ୍‌ ଆସିବ। ବିଜେବି ପରି ରାଜ୍ୟର ଆଉ କିଛି କଲେଜ ମଧ୍ୟ ଇତିମଧ୍ୟରେ ନାକ୍‌ ମାନ୍ୟତା ପାଇବାକୁ ଆବେଦନ କରିଥିବା ଜଣାପଡ଼ିଛି।

ଉଚ୍ଚଶିକ୍ଷା ବିଭାଗ ଅଧୀନ ୮୬% ଶିକ୍ଷାନୁଷ୍ଠାନର ନାକ୍‌ ମାନ୍ୟତା ନାହିଁ। ୨୦୨୨ସୁଦ୍ଧା ସମସ୍ତ ଶିକ୍ଷାନୁଷ୍ଠାନ ନାକ୍‌ ମାନ୍ୟତା ହାସଲ କରିବା ବାଧ୍ୟତାମୂଳକ କରାଯାଇଥିଲା। ୨୦୧୯ରେ ତତ୍‌କାଳୀନ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ, ସଚିବ ଶାଶ୍ବତ ମିଶ୍ର ଏନେଇ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ୩ବର୍ଷ ବିତିଯାଇଥିଲେ ମଧ୍ୟ ନାକ୍‌ ମାନ୍ୟତା ପାଇଥିବା ଶିକ୍ଷାନୁଷ୍ଠାନ ସଂଖ୍ୟା ବଢ଼ିବ କ’ଣ, ବରଂ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ୨୦୧୯ରେ ପାଖାପାଖି ୧୯୪ଟି ଶିକ୍ଷାନୁଷ୍ଠାନର ନାକ୍‌ ମାନ୍ୟତା ଥିବା ବେଳେ ଏବେ ତାହାକୁ ୧୫୦ ତଳକୁ ଖସି ଆସିଲାଣି। ଅଧାରୁ ଅଧିକ ବିଶ୍ବବିଦ୍ୟାଳୟର ମାନ୍ୟତା ହିଁ ନାହିଁ। ନାମକରା କଲେଜଗୁଡ଼ିକ ବି ପଛରେ ପଡ଼ିଛନ୍ତି। ବିଭିନ୍ନ ଆଡ଼ୁ ସମାଲୋଚନାର ଶିକାର ହେବା ପରେ ଗତ ଜୁନ୍‌ ମାସରେ ବିଭାଗୀୟ ମନ୍ତ୍ରୀ ଓ ସଚିବ ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟ କୁଳପତିମାନଙ୍କୁ ଡାକି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରେ ବୈଠକ କରିଥିଲେ। ତା’ପରେ ବି ସୁଧାର ଆସି ପାରିନାହିଁ।

ସମ୍ବନ୍ଧିତ ଖବର