କରୋନା ଆଣିଲା ଦୁଃଖ : ଜଗାର ଚିକିତ୍ସା ଅଧାରୁ ବନ୍ଦ
ସରକାର ନେଇଥିଲେ ଦାୟିତ୍ୱ, ଦ୍ୱିତୀୟ ପର୍ଯ୍ୟାୟ ଚିକିତ୍ସା ପାଇଁ ଯାଇ ନିରାଶରେ ଫେରିଲେ
ଶେରଗଡ଼ : ଦୁଃସାଧ୍ୟ ଚର୍ମରୋଗ (ଅଟୋସମାଲ୍ ଜେନେଟିକ୍ ଡିଜ୍ଅର୍ଡ଼ର୍)ରେ ଆକ୍ରାନ୍ତ ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ୍ ଗୋଠଗାଁ ଗ୍ରାମର ପ୍ରଭାକର ପ୍ରଧାନ ସାନପୁଅ ଜଗାର ଚିକିତ୍ସାରେ କରୋନା ସାଜିଲା ବାଧକ। ଜଗାର ଚିକିତ୍ସା ଅଧାରୁ ବନ୍ଦ ହୋଇଯାଇଥିବାରୁ ସେ ପୁଣି ପୂର୍ବାବସ୍ଥାକୁ ଫେରିଯାଇଛି।
ଦୀର୍ଘ ୧୦ ବର୍ଷ କାଳ ଜଗା ଯନ୍ତ୍ରଣାରେ ଜର୍ଜରିତ ହେଉଥିବା ସଂକ୍ରାନ୍ତରେ ‘ସମ୍ବାଦ’ରେ ବାରମ୍ବାର ରିପୋର୍ଟ ପ୍ରକାଶ ପାଇଥିଲା। ପରେ ଜିଲ୍ଲାପାଳ ଗୋଠଗାଁ ଗ୍ରାମକୁ ଯାଇ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଆଉ ଜଗାର ସମସ୍ତ ଚିକିତ୍ସା ଦାୟିତ୍ବ ରାଜ୍ୟ ସରକାର ବହନ କରିଥିଲେ।
ଗତ ଜାନୁଆରି ୧୭ ତାରିଖରେ ଶେରଗଡ଼ ବାଳ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ପକ୍ଷରୁ ଜଗାକୁ ଭୁବନେଶ୍ବରସ୍ଥିତ ଏମ୍ସକୁ ନିଆଯାଇଥିଲା। ୨୦ ତାରିଖରେ ଚର୍ମବିଭାଗ ଇନ୍ଡୋର୍ରେ ରଖାଯାଇ ତାର ରକ୍ତ ଓ ଚର୍ମ ପରୀକ୍ଷା ସହ ଚିକିତ୍ସା ଆରମ୍ଭ ହୋଇଥିଲା। ପ୍ରାଥମିକ ପର୍ଯ୍ୟାୟ ଚିକିତ୍ସା ଶେଷ ପରେ ଫେବ୍ରୁଆରି ୨୪ ତାରିଖରୁ ଦ୍ବିତୀୟ ପର୍ଯ୍ୟାୟ ଚିକିତ୍ସା ଆରମ୍ଭ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ଚିକିତ୍ସା ସାଙ୍ଗକୁ ଔଷଧ ସେବନ ପରେ ଜଗାର ଚେହେରାରେ ପରିବର୍ତ୍ତନ ଦେଖାଦେବା ସହ ଓଠରେ ହସ ଫୁଟିଥିଲା।
ଫେବ୍ରୁଆରି ୨୪ ତାରିଖରେ ଜଗାକୁ ବାପା ପ୍ରଭାକର ପୁଣି ଏମ୍ସକୁ ଯାଇଥିଲେ। କିନ୍ତୁ ସେଠାରେ ଜଗାକୁ ଆଉ ଚିକିତ୍ସା ପାଇଁ ସହଯୋଗ ମିଳିଲା ନାହିଁ। ବାପାପୁଅ ଚର୍ମ ବିଭାଗ ଇନ୍ଡୋର୍, ଆଉଟ୍ଡୋର୍ ଓ ଅଭ୍ୟର୍ଥନା କକ୍ଷକୁ ଏପଟସେପଟ ହୋଇ ୩ ଘଣ୍ଟା କାଳ ଗୁହାରି କଲେ ବି କେହି ଶୁଣିଲେ ନାହିଁ। ଏପରିକି ପୂର୍ବ ପ୍ରେସ୍କ୍ରିପ୍ସନ୍ ଦେଖାଇ ଔଷଧ କିଣିବାକୁ ଦୋକାନକୁ ଯାଇଥିଲେ ବି ନୂ୍ଆ ପ୍ରେସ୍କ୍ରିପ୍ସନ୍ ଆଣିଲେ ହିଁ ଔଷଧ ଦିଆଯିବ ବୋଲି ଦୋକାନୀ କହିଥିଲେ। ଫଳରେ ବାପାପୁଅ ନିରାଶରେ ଘରକୁ ଫେରିଥିଲେ।
ବର୍ତ୍ତମାନ ଜଗା ପୁଣି ତାର ପୂର୍ବାବସ୍ଥାକୁ ଫେରିଯାଇଛି। ରୋଗ ପୁଣି ବଢ଼ିବାରେ ଲାଗିଛି। ପାଖରେ ଔଷଧ ବି ନାହିଁ। କରୋନା ପାଣି ଲକ୍ଡାଉନ୍ ଲାଗି ରହିଥିବାରୁ ଜଗାର ଚିକିତ୍ସା ପାଇଁ ବାପା ପ୍ରଭାକର ଆଉ ଭୁବନେଶ୍ବର ଯାଇପାରୁ ନାହାନ୍ତି। ବର୍ତ୍ତମାନ ଗରମ ଯୋଗୁଁ ଜଗା ଯନ୍ତ୍ରଣା ସହ୍ୟ କରିପାରୁନି।
ପୂର୍ବରୁ ପ୍ରଭାକରଙ୍କ ୬ ସନ୍ତାନ ଏହି ଦୁଃସାଧ୍ୟ ଚର୍ମରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ଏବେ ଶେଷ ଆଶା ଜଗାକୁ ଭଲ କରିବା ଲାଗି ୫ ଲକ୍ଷ ଟଙ୍କା ସରିଲାଣି। ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଜଗାର ଚିକିତ୍ସା ଦାୟିତ୍ବ ନେଲେ ସତ। ହେଲେ ପ୍ରାଥମିକ ପର୍ଯ୍ୟାୟ ପରେ ଦ୍ବିତୀୟ ପର୍ଯ୍ୟାୟ ଚିକିତ୍ସା ଆରମ୍ଭ ହୋଇପାରୁ ନଥିବାରୁ ପ୍ରଭାକରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏଥିପାଇଁ ସେ ସରକାରଙ୍କ ସହାୟତା ପାଇଁ ନିବେଦନ କରିଛନ୍ତି।