ଅବହେଳିତଙ୍କ କଥା କହୁଥିବା ଗଣମାଧ୍ୟମ ହିଁ ହୃଦୟ ଜିଣେ: ରାଜ୍ୟପାଳ

‘ବଡ଼ ଖବର’ର ସ୍ବନକ୍ଷତ୍ର ଉତ୍ସବ

ଭୁବନେଶ୍ୱର : ନ୍ୟୁଜ୍‌ ଚ୍ୟାନେଲ ‘ବଡ଼ ଖବର’ର ପ୍ରଥମ ସ୍ବନକ୍ଷତ୍ର ଉତ୍ସବ ସୋମବାର ଦିନ ହୋଟେଲ ସ୍ବସ୍ତି ପ୍ରିମିୟମ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଭର୍ଚୁଆଲ୍‌ରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ରାଜ୍ୟପାଳ ଶ୍ରୀ ଲାଲ କହିଥିଲେ, ସମାଜର ଶୋଷିତ, ଅବହେଳିତ ଶ୍ରେଣୀର ଲୋକଙ୍କ ସ୍ବରକୁ ସରକାରଙ୍କ ପର୍ଯ୍ୟନ୍ତ ପହଞ୍ଚାଇବା, କ୍ଷମତାଶାଳୀ ଲୋକଙ୍କ ଦ୍ବାରା ନିର୍ଯାତିତ ଲୋକଙ୍କ କଥା ସାମ୍ନାକୁ ଆଣିବା ତଥା ଲୋକଙ୍କୁ ତାଙ୍କ ଅଧିକାର ଦେବାରେ ସାହାଯ୍ୟ କରୁଥିବା ଗଣମାଧ୍ୟମ ହିଁ ଲୋକଙ୍କ ଚ୍ୟାନେଲ ହୋଇପାରିବ ବୋଲି ସେ କହିଥିଲେ।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର ଓ କାବୁ ଦାସ ଯୋଗଦେଇ ବକ୍ତବ୍ୟ ରଖିଥିଲେ। ‘ସମ୍ବାଦ’ର ସମ୍ପାଦକ ଶ୍ରୀ ପଟ୍ଟନାୟକ କହିଥିଲେ, ଅମଲାତାନ୍ତ୍ର ଶାସନ ବ୍ୟବସ୍ଥା ହିଁ ଗଣତନ୍ତ୍ର ପାଇଁ ବଡ଼ ବିପଦ। ନିର୍ବାଚିତ ପ୍ରତିନିଧିମାନେ ଗଣତନ୍ତ୍ରରେ ମୁଖ୍ୟ। ମାତ୍ର ସେ ବ୍ୟବସ୍ଥା ଆଉ ଦେଖିବାକୁ ମିଳୁ ନାହିଁ। ନିର୍ବାଚିତ ପ୍ରତିନିଧିମାନେ ଏବେ ଅମଲାମାନଙ୍କ ସଖୀକଣ୍ଢେଇ ପାଲଟିଛନ୍ତି। କିଛି ନେତା ନିଜର ସ୍ଥିତି ବଞ୍ଚାଇବା ପାଇଁ ସବୁ ଚୁପଚାପ୍‌ ସହି ଯାଉଛନ୍ତି। ଏଭଳି ଆଭିମୁଖ୍ୟ ଗଣତନ୍ତ୍ର ପାଇଁ ଆହୁରି ବିପଦ। ଏଭଳି କ୍ଷେତ୍ରରେ ନେତାମାନେ ସ୍ଥିର କରିବା ଉଚିତ ଯେ ବୃତ୍ତି, ଦଳ ଓ ମାଟି ମଧ୍ୟରୁ କେଉଁଟି ବଡ଼? ଏଭଳି ନିଷ୍ପତ୍ତି ନେବାକୁ ହେଲେ ତୃତୀୟ ନୟନର ଆବଶ୍ୟକତା ରହିଛି। କେବଳ ଭଗବାନ ଶିବଙ୍କର ତୃତୀୟ ନୟନ ଅଛି। ବଡ଼ ଖବର ଭଗବାନ ଶିବଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ। ସେ ଆହୁରି କହିଥିଲେ, ଗଣମାଧ୍ୟମ ସ୍ୱାବଲମ୍ବୀ ହେବା ପାଇଁ ପୃଷ୍ଠପୋଷକ ଆବଶ୍ୟକ। ସେଥିପାଇଁ ଗଣମାଧ୍ୟମ ନିରପେକ୍ଷ ହୋଇପାରିବ ନାହିଁ। ସାଧାରଣ ନାଗରିକ କାବୁ ଦାସ ଯୋତା ବିକିଲେ, ଛିଣ୍ଡା ଯୋତା ସିଲେଇ କଲେ ନିଜ ପରିବାର ପ୍ରତିପୋଷଣ କରନ୍ତି। ନିଜର ଝାଳବୁହା ପରିଶ୍ରମରୁ ମାସକୁ ୫୦୦ ଟଙ୍କା ବଡ଼ ଖବରକୁ ଦେବା ପାଇଁ ଇଚ୍ଛା କରିଛନ୍ତି। ତାଙ୍କ ଭଳି ୧୦ଲକ୍ଷ ଦର୍ଶକ ବଡ଼ ଖବରକୁ ମିଳନ୍ତୁ ବୋଲି ଶ୍ରୀ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି।

ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ର କହିଥିଲେ, ଏବେ ସାମ୍ବାଦିକମାନଙ୍କୁ ଲୋକସେବା ଭବନ ମନା। କେହି ସରକାରଙ୍କ ଏହି ଅନ୍ୟାୟ ନିଷ୍ପତ୍ତି ବିରୋଧରେ ମୁହଁ ଖୋଲୁନାହାନ୍ତି। ଏ କି’ ପ୍ରକାର ଗଣତନ୍ତ୍ର ବୋଲି ବରିଷ୍ଠ ନେତା ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି। ଅହଂକାର ଓ ଗର୍ବ ଯେତେବେଳେ ସୀମା ଟପେ, ଏଭଳି ଘଟଣା ଘଟେ। ଫଳରେ ଗଣତନ୍ତ୍ର ବିପଦରେ ପଡ଼ିଥାଏ ବୋଲି ସେ କହିଛନ୍ତି।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଥିଲେ, ସ୍ବାଧୀନତାର ୭୬ ବର୍ଷ ପରେ ମଧ୍ୟ ଏବେ ମାନ୍ୟବର ସମ୍ବୋଧନ ଚାଲିଛି। ଭୟରେ ଚାଲିଛି ଏହି ସମ୍ବୋଧନ। କାଳେ ପଦବି ଚାଲିଯିବ, ସେଇ ଭୟ ଏବେ ନେତା ଓ ଅମଲାଙ୍କୁ ଘାରିଛି ବୋଲି ସେ କହିଥିଲେ। ଗଠନମୂଳକ ସମାଲୋଚନା, ତର୍କ ଆଉ ହେଉନାହିଁ। ସୁସ୍ଥ ଗଣତନ୍ତ୍ର ପାଇଁ ଏହା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି।

‘ବଡ଼ ଖବର’ର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ସ୍ବାଗତ ଭାଷଣ ଦେଇ କହିଲେ, ଗଣତନ୍ତ୍ରର ୪ଟି ଯାକ ସ୍ତମ୍ଭ ଏବେ ଅସୁସ୍ଥପ୍ରାୟ। ବ୍ୟବସ୍ଥାପିକା, କାର୍ଯ୍ୟପାଳିକା, ନ୍ୟାୟପାଳିକା ଓ ଗଣମାଧ୍ୟମ ଅସୁସ୍ଥ ଅଛନ୍ତି। କାର୍ଯ୍ୟପାଳିକା ବ୍ୟବସ୍ଥାପିକାର ସୁପରବସ୍‌ ବନିଯାଇଛି। ଚାଳକ ସିଟ୍‌ରେ କାର୍ଯ୍ୟପାଳିକା ଅଛି, ବ୍ୟବସ୍ଥାପିକା ସିଟ୍‌ ଖୋଜୁଛି।

କାର୍ଯ୍ୟକ୍ରମର ଦ୍ୱିତୀୟ ସୋପାନର ଶୀର୍ଷକ ଥିଲା ‘ଇଣ୍ଡିଆନ୍‌ ମିଡିଆ ସୋ ସରି’। ବରିଷ୍ଠ ସ୍ତମ୍ଭକାର, ଲେଖକ ତଥା ରାଜନୀତି ସମୀକ୍ଷକ ରଶିଦ କିଦୱାଇ ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଉପସ୍ଥିତ ଶ୍ରୋତାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ସେ ସହଜ ଓ ସରଳ ଢଙ୍ଗରେ ରଖିଥିଲେ। ତୃତୀୟ ସୋପାନର ଆଲୋଚ୍ୟ ବିଷୟ ଥିଲା ‘ବିପଦରେ ଗଣତନ୍ତ୍ର’। ବରିଷ୍ଠ ସାମ୍ବାଦିକ ବିଭୂତି ଭୂଷଣ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯକ୍ରମରେ ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ, ପୂର୍ବତନ ପ୍ରଶାସକ ସହଦେବ ସାହୁ, ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା, ବରିଷ୍ଠ ଆଇନଜୀବୀ ଜନ୍ମେଜୟ ରାୟ ପ୍ରମୁଖ ଯୋଗ ଦେଇଥିଲେ। ଶେଷ ସୋପାନରେ ‘ବଡ଼ ଖବର’ର ଡେପୁଟି ଏଡିଟର୍‌ କିସାନ ବରାଇ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ମଧ୍ୟରେ ଓଡ଼ିଶା ରାଜନୀତିର ଗହନ କଥା ସମ୍ପର୍କରେ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର