ଭୁବନେଶ୍ୱର: ବାୟୁ ପ୍ରଦୂଷଣ ଯୋଗୁଁ ବିଷ ବଳୟରେ ଓଡ଼ିଶାର ୪ ସହର। ଅନୁଗୁଳ ସମେତ କଟକ, ଭୁବନେଶ୍ବର, ତାଳଚେରବାସୀ ଏବେ ବିଷାକ୍ତ ଗ୍ୟାସ ଭିତରେ ଅଣନିଶ୍ୱାସୀ ହୋଇପଡ଼ିଛନ୍ତି। ଶୀତ ଦିନେ ଧୂଳିକଣା ତଳେ ବସିବାକୁ ସମୟ ଲାଗୁଥିବା ବେଳେ ରାସାୟନିକ ବାଣ, ରାସ୍ତାରେ ଗାଡ଼ି ଚଳାଚଳ ଓ ନିର୍ମାଣ କାମ ପାଇଁ ବାୟୁ ପ୍ରଦୂଷଣର ମାତ୍ରା ଅଧିକ ରହିଛି। ପ୍ରଦୂଷଣ ଏଭଳି ଭୟଙ୍କର ହୋଇଛି ଯେ ଛାତି, ଶ୍ୱାସ ଓ ଫୁସ୍ଫୁସ୍ ତଥା ସ୍ନାୟୁରୋଗ ବିଭାଗର ବିଶେଷଜ୍ଞ ଡାକ୍ତରଙ୍କ ନିକଟରେ ରୋଗୀଙ୍କ ଲମ୍ବା ଧାଡ଼ି ଲାଗୁଛି। ଦୀପାବଳିର ବାଣ ଫୁଟିବା ପରେ ବାୟୁ ମଣ୍ଡଳରେ ବାରୁଦ ଗ୍ୟାସର ସାନ୍ଦ୍ରତା ଏତେ ବଢ଼ିଯାଇଛି ଯେ ସ୍ଥିତି ସୁଧୁରିବାକୁ କେତେ ସମୟ ଲାଗିବ ତାହାର ଉତ୍ତର କାହା ପାଖରେ ନାହିଁ।
ବିଶିଷ୍ଟ ନ୍ୟୁରୋଲୋଜିଷ୍ଟ ଡା. ସୌମ୍ୟଦର୍ଶୀ ନାୟକ କହିଛନ୍ତି ଯେ ବାୟୁ ପ୍ରଦୂଷଣ କେବଳ ଫୁସ୍ଫୁସ୍କୁ ନୁହେଁ, ହୃଦୟ ଓ ମସ୍ତିଷ୍କ ଭଳି ଅନ୍ୟ ପ୍ରମୁଖ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିଥାଏ। ବୟସ୍କ, ସ୍କୁଲ୍ ପିଲା, ଗର୍ଭବତୀ ମହିଳା ଓ ଦୁର୍ବଳ ବ୍ୟକ୍ତିଙ୍କ ମଧ୍ୟରେ ବ୍ରେନ୍ ଷ୍ଟ୍ରୋକ୍, ଡିମେନ୍ସିଆ, ବିଷାଦଗ୍ରସ୍ତତା, ମୁଣ୍ଡବିନ୍ଧା, ଚିଡ଼୍ଚିଡ଼ାପଣ, ବିଚାର ଓ ବୁଦ୍ଧି ହ୍ରାସ ଭଳି ରୋଗ ହଠାତ୍ ବୃଦ୍ଧି ପାଇଛି। ଏଥିସହ ନିଦ୍ରାହୀନତା ରୋଗ ମଧ୍ୟ ଅଧିକ ପରିଲକ୍ଷିତ ହେଉଛି। ନିଦ୍ରାହୀନତା କାରଣରୁ ଅନ୍ୟାନ୍ୟ ରୋଗ ମଧ୍ୟ ବୃଦ୍ଧି ପାଇଛି। ପ୍ରତି ବର୍ଗ ଓ ବୟସର ଲୋକକୁ ଫୁସ୍ଫୁସ୍, ଶ୍ୱାସକ୍ରିୟା ଓ ମସ୍ତିଷ୍କ ଭଳି ଏକାଧିକ ଅଙ୍ଗ ପ୍ରତ୍ୟଙ୍ଗକୁ ଆକ୍ରାନ୍ତ କରିବା ସହ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ବାୟୁରେ ବୃଦ୍ଧି ପାଉଥିବା ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍, ସଲଫର ଡାଇଅକ୍ସାଇଡ୍ ଓ କାର୍ବନ ମନୋକ୍ସାଇଡ୍ ସହ ସିଧାସଳଖ ଭାବେ ମସ୍ତିଷ୍କ ଜନିତ ରୋଗ ସ୍ନାୟୁତନ୍ତ୍ରକୁ ପ୍ରଭାବିତ କରିଥାଏ। ବିଦ୍ୟାଳୟକୁ ଯାଉଥିବା ପିଲାଙ୍କ ଉପରେ ମସ୍ତିଷ୍କ ଓ ସ୍ନାୟୁ ବିଶେଷଜ୍ଞମାନଙ୍କ ଦ୍ୱାରା କରାଯାଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ବାୟୁ ଗୁଣବତ୍ତା ସୂଚକାଙ୍କ(ଏକ୍ୟୁଆଇ) ସେମାନଙ୍କ ଗଣିତ କରିବାର ବୁଦ୍ଧି ଓ ସାମର୍ଥ୍ୟ ଉପରେ ପ୍ରଭାବ ପକାଏ। ବାୟୁ ପ୍ରଦୂଷଣ ଏକ ବଡ଼ ସଙ୍କଟ, ଯାହାକୁ ତୁରନ୍ତ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ରିପୋର୍ଟ ଅନୁସାରେ ଗତ ୨୪ ଘଣ୍ଟାରେ ଅନୁଗୁଳ ସହର ବାୟୁମଣ୍ଡଳର ପାଟିକୁଲେଟ୍ ମ୍ୟାଟର(ପିଏମ୍)-୨.୫ ତଥା ଛୋଟ ଧୂଳିକଣାର ମାତ୍ରା ୩୦୮ ରହିଥିଲା, ଯାହାକି ବହୁତ ଖରାପ ସ୍ଥିତିକୁ ଦର୍ଶାଉଛି। ଦେଶର ୨୩୩ଟି ସହର ମଧ୍ୟରୁ ୨ଟି ସହରର ପ୍ରଦୂଷଣ ସ୍ଥିତି ଭୟଙ୍କର(୪୦୦ ଉପରେ) ଥିବା ବେଳେ ଅନୁଗୁଳ ସମେତ ୨୨ଟି ସହରର ବାୟୁ ପ୍ରଦୂଷଣ ବହୁତ ଖରାପ ରହିଛି। ଅନୁଗୁଳ ତଳକୁ କଟକ ସହରର ପିଏମ୍-୨.୫ ମାତ୍ରା ୨୩୯, ଭୁବନେଶ୍ବରରେ ପିଏମ୍-୨.୫ ମାତ୍ରା ୨୨୬, ତାଳଚେରରେ ପିଏମ୍-୧୦ ମାତ୍ରା ୨୧୭ ଥିଲା। ଏହାବ୍ୟତୀତ କେନ୍ଦୁଝରରେ ୧୭୩, ନୟାଗଡ଼ରେ ୧୭୨, ରାଉରକେଲାରେ ୧୬୧ ଥିଲା, ଯାହାକି ସମ୍ବେଦନଶୀଳତାକୁ ଦର୍ଶାଉଛି।
ଏକ ଗବେଷଣାରୁ ଜଣାପଡ଼ିଛି ଯେ ବାୟୁ ପ୍ରଦୂଷଣ କାରଣରୁ ଗାଙ୍ଗେୟ ସମତଳ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟଗତ ବିପଦ ବଢ଼ିଛି। ଧୀରେ ଧୀରେ ଏହା ଅନ୍ୟ ଅଞ୍ଚଳକୁ ବ୍ୟାପିବାରେ ଲାଗିଛି। ପ୍ରଦୂଷଣର ସ୍ତର ହ୍ରାସ କରିବା ପାଇଁ ସରକାରୀ ସ୍ତରରେ ସ୍ଥାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ତୁରନ୍ତ ଆବଶ୍ୟକତା ରହିଛି। ରାସ୍ତାଘାଟ ସବୁବେଳେ ଧୂଳିଧୂଆଁରେ ଭରି ରହୁଥିଲେ ମଧ୍ୟ ପ୍ରାଶାସନିକ ସ୍ତରରେ ଏଥିପ୍ରତି ଆଦୌ ଗୁରୁତ୍ବ ଦିଆଯାଉ ନାହିଁ। ପ୍ରଦୂଷଣ ନିୟନ୍ତ୍ରଣ କେବଳ ନାମକୁ ମାତ୍ର ଉପର ଠାଉରିଆ ଭାବେ ଘୋଷଣାରେ ସୀମିତ ରହୁଛି ବୋଲି ପରିବେଶବିତ୍ମାନେ ଅଭିଯୋଗ କରିଛନ୍ତି। ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ବିଧାନସଭାରେ କହିଛନ୍ତି ଯେ ରାଜ୍ୟରେ କାର୍ଯ୍ୟରତ ଶିଳ୍ପ ସଂସ୍ଥାଗୁଡ଼ିକୁ ଆବଶ୍ୟକ ପ୍ରଦୂଷଣ ନିୟନ୍ତ୍ରଣ ଯନ୍ତ୍ର ଇଲେକ୍ଟ୍ରୋଷ୍ଟିକ୍ ପ୍ରିସିପିଟେଟ୍ର(ଇଏସ୍ପି), ବ୍ୟାଗ୍ ଫିଲଟର, ସ୍କ୍ରବର ଆଦି ବସାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଶିଳ୍ପାନୁଷ୍ଠାନ ଓ ଖଣିଗୁଡ଼ିକରେ ବାୟୁ ନିୟନ୍ତ୍ରଣର ମାତ୍ରା ଯାଞ୍ଚ କରିବାକୁ ସିଏଏକ୍ୟୁଏମ୍ଏସ୍, ସିଇଏମ୍ଏସ୍ ଆଦି ସ୍ଥାପନ କରାହୋଇଛି। ଶିଳ୍ପାନୁଷ୍ଠାନ ଓ ଖଣିଗୁଡ଼ିକରେ ଫ୍ୟୁଜିଟିଭ୍ ଏମିସନ୍ ହ୍ରାସ କରିବାକୁ ପକ୍କା ରାସ୍ତା ନିର୍ମାଣ ସହ ବ୍ୟାପକ ଜଳ ସିଞ୍ଚନ ବ୍ୟବସ୍ଥା ହୋଇଛି। ୭ଟି ସହରର ବାୟୁର ଗୁଣବତ୍ତା ଉନ୍ନତି ପାଇଁ ନ୍ୟାସନାଲ କ୍ଲିନ୍ ଏୟାର ପ୍ରୋଗ୍ରାମ(ଏନ୍ସିଏପି)ରେ ଅନ୍ତର୍ଭୁକ୍ତ କରାଯାଇଛି। ସହରଗୁଡ଼ିକର ବାର୍ଷିକ କାର୍ଯ୍ୟକାରିଣୀ ଯୋଜନା ପ୍ରସ୍ତୁତ ହୋଇଛି ଏବଂ ସେହି ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/sfhffhfhf.jpg)