ମଦ ଦୋକାନୀଙ୍କୁ ପୁରସ୍କାର ଦିଅ

ଭୁବନେଶ୍ବର : ଯେଉଁ ଲାଇସେନ୍ସପ୍ରାପ୍ତ ମଦ ଦୋକାନୀମାନେ ଧାର୍ଯ୍ୟ ଲକ୍ଷ୍ୟ ପରିମାଣ କିମ୍ବା ତା’ଠାରୁ ଅଧିକ ମଦ ବିକ୍ରି କରୁଛନ୍ତି, ସେମାନଙ୍କୁ ପୁରସ୍କୃତ କରିବା ଓ ରାଜସ୍ୱ ପାଇଁ ଅଧିକ ସଂଖ୍ୟକ ଭାରତ ତିଆରି ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ଓଡ଼ିଶା ବିଧାନସଭାର ବିଭାଗୀୟ ଗୃହ କମିଟି ସୁପାରିସ୍‌ କରିଛନ୍ତି। ଆଜି ବିଧାନସଭାରେ ଉପସ୍ଥାପିତ ଅବକାରୀ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି।

କେଉଁ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ସର୍ବନିମ୍ନ କେତେ ମଦ ଉଠାଇବେ, ସେଥିପାଇଁ ‘ମିନିମମ୍ ଗ୍ୟାରେଣ୍ଟି କୋଟା’ (ଏମ୍‌ଜିକ୍ୟୁ) ସରକାର ଧାର୍ଯ୍ୟ କରିଥାନ୍ତି। ଯେଉଁ ମଦ ଦୋକାନୀମାନେ ଏମ୍‌ଜିକ୍ୟୁ ଲକ୍ଷ୍ୟ ପୂରଣ କରୁଛନ୍ତି କିମ୍ବା ଏହାଠାରୁ ଅଧିକ ମଦ ଉଠାଉଛନ୍ତି, ସେମାନଙ୍କ ଲାଗି ପୁରସ୍କାର ବ୍ୟବସ୍ଥା କରିବାକୁ ବିଧାନସଭା‌ରେ ଏହି ଗୃହ କମିଟି ସୁପାରିସ୍‌ କରିଛନ୍ତି। ବିଜେଡି ବିଧାୟକ ସୁବ୍ରତ ତରାଇଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସୁରେଶ ରାଉତରାୟ, ଚନ୍ଦ୍ରସାରଥୀ ବେହେରା, ସ୍ନେହାଙ୍ଗିନୀ ଛୁରିଆ, ରଘୁରାମ ପଡାଲ, ପର୍ଶୁରାମ ଧଡ଼ା, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗଣେଶ ରାମସିଂ ଖୁଣ୍ଟିଆ, ଜଗନ୍ନାଥ ନାୟକ, ମୌଷଧି ବାଗ, ସମ୍ବିତ ରାଉତରାୟ ଓ ପ୍ରଭୁ ଜାନିଙ୍କ ଭଳି ବିଭିନ୍ନ ଦଳର ବିଧାୟକ ସଦସ୍ୟ ଅଛନ୍ତି।

ଏହି କମିଟି ମୋଟ ୧୨ଟି ସୁପାରିସ୍‌ କରିଛି। ରାଜସ୍ୱ ଆଦାୟ କ୍ଷେତ୍ରରେ ଅବକାରୀ ବିଭାଗ ପ୍ରତିବର୍ଷ ସଫଳତା ହାସଲ କରୁଛି। ୨୦୦୯-୧୦ ବର୍ଷରେ ଓଡ଼ିଶାରେ ଅବକାରୀ ରାଜସ୍ୱ ୮୪୯ କୋଟି ଟଙ୍କା ଥିବା ବେଳେ ୨୦୧୮-୧୯ ବର୍ଷରେ ଏହା ବଢ଼ି ୩,୯୨୫ କୋଟି ଟଙ୍କାରେ ପହଞ୍ଚିଛି। ୨୦୧୯-୨୦ ବର୍ଷରେ ଓଡ଼ିଶାର ଅବକାରୀ ରାଜସ୍ୱ ପରିମାଣ ୪,୬୦୦ କୋଟି ଟଙ୍କା ହେବ ବୋଲି ଲକ୍ଷ୍ୟ ରହିଛି। ଏ ପରିପ୍ରେକ୍ଷୀରେ ଅବକାରୀ ବିଭାଗର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ କର୍ମଚାରୀ ସଂଖ୍ୟା ବଢ଼ାଇବା ସହ ଅବକାରୀ ପୁଲିସକୁ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇବା ଏବଂ କ୍ଷେତ୍ର ଅଧିକାରୀଙ୍କ ପାଇଁ ଅଧିକ ଯାନବାହନ ବ୍ୟବସ୍ଥା ପାଇଁ ବିଧାନସଭା ଷ୍ଟାଣ୍ଡିଂ କମିଟି ସୁପାରିସ୍‌ କରିଛନ୍ତି।

ଅନ୍ତତଃ ୧୦ଟି ସ୍ଥାନରେ ଆଦର୍ଶ ଅବକାରୀ ଥାନା ପ୍ରତିଷ୍ଠା, ବେଆଇନ ନିଶା କାରବାର ସଂକ୍ରାନ୍ତରେ ଖବର ଦେଉଥିବା ବ୍ୟକ୍ତିଙ୍କ ଲାଗି ଆକର୍ଷଣୀୟ ପୁରସ୍କାର ଯୋଜନା ଓ ଗ୍ରାମାଞ୍ଚଳରେ ଥିବା ମଦ ଦୋକାନଗୁଡ଼ିକର ଏମ୍‌ଜିକ୍ୟୁରେ ସଂଶୋଧନ ଲାଗି ମଧ୍ୟ କମିଟି କହିଛନ୍ତି। ବେଆଇନ ଚୋରା ମଦ ରୋକିବା ସହ ଆହୁରି ବେଶି ଅବକାରୀ ରାଜସ୍ୱ ସଂଗ୍ରହ ଲାଗି ରାଜ୍ୟରେ ଆହୁରି ଅଧିକ ଭାରତ ତିଆରି ବିଦେଶୀ ମଦର ଠିପି ବନ୍ଦ ଦୋକାନ ଖୋଲିବାକୁ ଏହି କମିଟି ସୁପାରିସ୍‌ କରିଛନ୍ତି।

ବେଆଇନ ନିଶା କାରବାର ରୋକିବା ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ସ୍ପେସାଲ୍ ସ୍କ୍ବାଡ୍‌ ଗଠନ, ଗଞ୍ଜେଇ ଚାଷ ଓ ବେପାର ବିରୋଧରେ କାର୍ଯ୍ୟାନୁଷ୍ଠାନ, ମଦ ଦୋକାନୀଙ୍କୁ ସୁବିଧାରେ ମଦ ଯୋଗାଇବା ପାଇଁ ଓଡ଼ିଶା ପାନୀୟ ନିଗମ ଅଧିକ ଡିପୋ ଖୋଲିବା, ଅବକାରୀ କ୍ୟାଡର୍‌ ପୁନର୍ଗଠନ ସହ ଖାଲିଥିବା ପଦ ପୂରଣ ଆଦି ଲାଗି ଏହି କମିଟି ମଧ୍ୟ ସୁପାରିସ୍‌ କରିଛନ୍ତି।

କମିଟିର ରି ପୋର୍ଟରୁ ଜଣାପଡ଼ିଛି ଯେ ୨୦୦୯-୧୦ ବର୍ଷରେ ରାଜ୍ୟରେ ୨୬୫.୨୬ ଲକ୍ଷ ଲଣ୍ଡନ ପ୍ରୁଫ୍‌ଲିଟର ବିଦେଶୀ ମଦ, ୬୮.୩୯ ଲକ୍ଷ ଲିଟର ଦେଶୀମଦ ଓ ୬୩୫.୧୩ ଲକ୍ଷ ଲିଟର ବିଅର ଲାଇସେନ୍ସପ୍ରାପ୍ତ ମଦ ଦୋକାନୀମାନେ ଉଠାଇଥିବା ବେଳେ ଏହାର ପରିମାଣ ବର୍ଷକୁ ବର୍ଷ ବୃଦ୍ଧି ପାଇ ୨୦୧୮-୧୯ ବେଳକୁ ଯଥାକ୍ରମେ ୫୨୮.୯୨ ଲିଟର, ୯୫.୫୬ ଲିଟର ଓ ୮୬୭.୫୩ ଲିଟରରେ ପହଞ୍ଚିଛି। ଅବକାରୀ ରାଜସ୍ୱ ଛଡ଼ା ମଦରୁ ବିକ୍ରି କର, ପ୍ରବ‌େଶ କର ଇତ୍ୟାଦି ବାବଦରେ ଗତ ଆର୍ଥିକ ବର୍ଷରେ ୧୬୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ମିଳିଛି। ରାଜ୍ୟ ମଦ ନିଗମର ବାର୍ଷିକ ଆୟବ୍ୟୟ ୨୦୦୭-୦୮ ବର୍ଷରେ ୭୩୫ କୋଟି ୨୮ଲକ୍ଷ ଥିବା ବେଳେ ତାହା ବଢ଼ି ବଢ଼ି ୨୦୧୮-୧୯ ବର୍ଷରେ ୪୭୩୮ କୋଟି ୩୬ ଲକ୍ଷ ଟଙ୍କାରେ ପହଞ୍ଚିଛି। ମଦ ନିଗମ ୨୦୦୨-୦୩ରୁ୨୦୧୮-୧୯ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୮୯ କୋଟି ଟଙ୍କା ପ୍ରଦାନ କରିଥିବା ଏହି ରିପୋର୍ଟରୁ ଜଣାଯାଇଛି।

ସମ୍ବନ୍ଧିତ ଖବର