ମଦ ଦୋକାନୀଙ୍କୁ ପୁରସ୍କାର!, ଉଦ୍ଭଟ ପ୍ରସ୍ତାବ, ତୀବ୍ର ପ୍ରତିକ୍ରିୟା

ଭୁବନେଶ୍ବର : ମଦ ଦୋକାନୀଙ୍କୁ ପୁରସ୍କାର ପ୍ରଦାନ କରାଯାଉ। ଧାର୍ଯ୍ୟ ଲକ୍ଷ୍ୟ କିମ୍ବା ତାହା ଠାରୁ ଅଧିକ ମଦ ବିକିଥିବା ଦୋକାନୀଙ୍କୁ ସରକାର ପୁରସ୍କାର ଦିଅନ୍ତୁ।

ବିଧାନସଭାର ଅବକାରୀ ବିଭାଗ ଗୃହ କମିଟିର ଏମିତି ଏକ ପ୍ରସ୍ତାବକୁ ନେଇ ବିବାଦ ମୁଣ୍ଡ ଟେକିଛି। ଏପରି ଏକ ଉଦ୍ଭଟ ପ୍ରସ୍ତାବ କମିଟି କିପରି ଦେଲା, ତାହା ସବୁ ମହଲକୁ ଆନ୍ଦୋଳିତ କରୁଛି। ଚୋରା ମଦ ବନ୍ଦ ଆଳରେ କମିଟିର ଏପରି ପ୍ରସ୍ତାବ ଦେଇଥିଲେ ବି ତାହାକୁ ଆଦୌ ଗ୍ରହଣ କରିପାରୁ ନାହାନ୍ତି ସାଧାରଣ ଜନତା। ନିଶା ନିବାରଣ ନେଇ ସବୁଆଡ଼େ ଆନ୍ଦୋଳନ ଚାଲିଥିଲା ବେଳେ କମିଟିର ଏପରି ସୁପାରିସ୍ ସରକାରଙ୍କୁ ବି ଅଡ଼ୁଆରେ ପକାଇ ଦେଇଛି।

କେଉଁ ଲାଇସେନ୍ସପ୍ରାପ୍ତ ମଦ ଦୋକାନ ସର୍ବନିମ୍ନ କେତେ ମଦ ଉଠାଇବେ, ସେଥିପାଇଁ ‘ମିନିମମ୍ ଗ୍ୟାରେଣ୍ଟି କୋଟା’ (ଏମ୍‌ଜିକ୍ୟୁ) ସରକାର ଧାର୍ଯ୍ୟ କରିଥାନ୍ତି। ଯେଉଁ ମଦ ଦୋକାନୀମାନେ ଏମ୍‌ଜିକ୍ୟୁ ଲକ୍ଷ୍ୟ ପୂରଣ କରୁଛନ୍ତି କିମ୍ବା ଏହାଠାରୁ ଅଧିକ ମଦ ଉଠାଉଛନ୍ତି, ସେମାନଙ୍କ ଲାଗି ପୁରସ୍କାର ବ୍ୟବସ୍ଥା କରିବାକୁ ବିଧାନସଭାର ଅବକାରୀ ଗୃହ କମିଟି ସୁପାରିସ୍ କରିଛି। ଏହାଦ୍ବାରା ଚୋରା ମଦ ରୋକାଯାଇପାରିବ ବୋଲି କମିଟି ଆକଳନ କରିଛି। କେବଳ ସେତିକି ନୁହେଁ, ରାଜସ୍ବ ପାଇଁ ଅଧିକ ସଂଖ୍ୟାରେ ବିଦେଶୀ ମଦ ଦୋକାନ ଖୋଲିବାକୁ ମଧ୍ୟ କମିଟି ପ୍ରସ୍ତାବ ଦେଇଛି। ବି‌େଜଡି ବିଧାୟକ ସୁବ୍ରତ ତରାଇଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସୁରେଶ ରାଉତରାୟ, ଚନ୍ଦ୍ରସାରଥୀ ବେହେରା, ସ୍ନେହାଙ୍ଗିନୀ ଛୁରିଆ, ରଘୁରାମ ପଡାଲ, ପର୍ଶୁରାମ ଧଡ଼ା, ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ଗଣେଶ ରାମସିଂ ଖୁଣ୍ଟିଆ, ଜଗନ୍ନାଥ ନାୟକ, ମୌଷଧି ବାଗ, ସମ୍ବିତ ରାଉତରାୟ ଓ ପ୍ରଭୁ ଜାନି ପ୍ରମୁଖ ସଭ୍ୟ ଅଛନ୍ତି।

କମିଟିର ସୁପାରିସ୍‌କୁ ସରକାର ଗ୍ରହଣ କରିବାକୁ ବାଧ୍ୟ ନୁହନ୍ତି। ତେଣୁ ସରକାର ଗ୍ରହଣ କରିବେ ନା ନାହିଁ, ତାହା ପରେ ଜଣାପଡ଼ିବ। କିନ୍ତୁ କମିଟି ଏପରି ଏକ ସୁପାରିସ୍ କାହିଁକି କଲା, ତାହା ସହଜରେ ହଜମ ହୋଇପାରୁନି। ପୁଣି କମିଟିରେ ସବୁ ଦଳର ବିଧାୟକ ଥାଇ ବି କେହି ଏହାକୁ ବିରୋଧ ନ କରିବା ଆଶ୍ଚର୍ଯ୍ୟର ବିଷୟ। କମିଟିର ସମସ୍ତ ସଦସ୍ୟ ଏହି ସୁପାରିସ୍ ସମ୍ପର୍କରେ ଅବଗତ ଅଛନ୍ତି କି ନାହିଁ, ତାହା ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

କମିଟିର ସଦସ୍ୟ ଥିବା କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କିନ୍ତୁ ଏପରି କୌଣସି ସୁପାରିସ୍ ସମ୍ପର୍କରେ ଜାଣି ନାହାନ୍ତି ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି, ଅଧିକ ମଦ ବିକୁଥିବା ‌ଦୋକାନୀକୁ ପୁରସ୍କାର ଦେବା ଚିନ୍ତା କରିବା ଲଜ୍ଜାଜନକ। ଚାଷୀ, ଛାତ୍ରଛାତ୍ରୀ, ଶିଳ୍ପପତିଙ୍କୁ ପୁରସ୍କାର ଦିଆଯାଉ। ଏମିତି ଉଦ୍ଭଟ ଚିନ୍ତା ସରକାର ନ କରନ୍ତୁ।

ଓଡ଼ିଶା ମଦମୁକ୍ତି ଅଭିଯାନ ଏପରି ପ୍ରସ୍ତାବକୁ ତୀବ୍ର ବିରୋଧ କରିଛି। ସରକାର ଏହି ପ୍ରସ୍ତାବକୁ ଗ୍ରହଣ ନ କରିବାକୁ ଅନୁଷ୍ଠାନର ନେତା ପ୍ରହ୍ଲାଦ ସିଂହ ଗଣମାଧ୍ୟମକୁ କହିଛନ୍ତି।

କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପ୍ରସ୍ତାବକୁ ବିରୋଧ କରି କହିଛନ୍ତି, ମଦ ବିକ୍ରିକୁ ସରକାର ପ୍ରୋତ୍ସାହିତ କରିବା ଓ ଦୋକାନୀଙ୍କୁ ପୁରସ୍କାର ଦେବା କଥା ଚିନ୍ତା କରିବା ଅତ୍ୟନ୍ତ ନିର୍ଲଜ୍ଜ କଥା। ସେହିପରି ବିଜେପିର ବରିଷ୍ଠ ନେତା ଦାମୋଦର ରାଉତ ସରକାରଙ୍କୁ କଟାକ୍ଷ କରି କହିଛନ୍ତି, ସରକାରଙ୍କ ଅବକାରୀ ରାଜସ୍ବ ବଢ଼ିଚାଲିଛି। ତାହା ସତ୍ତ୍ବେ କାଳିଆ, ପିଠା ଆଦି ଯୋଜନା ପାଇଁ ପଇସା ଅଣ୍ଟୁ ନ ଥିବ। ସେଥି ପାଇଁ ମଦ ବିକି ସେହି ପଇସା ଭରଣା କରିବାକୁ ସରକାର ଚେଷ୍ଟା କରୁଥାଇ ପାରନ୍ତି।

ପୂର୍ବତନ ଅବକାରୀ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ବିଧାୟକ ଶଶୀଭୂଷଣ ବେହେରା କହିଛନ୍ତି, କମିଟିର ରିପୋର୍ଟକୁ ସରକାର ଗ୍ରହଣ କରିନାହାନ୍ତି। କମିଟିର ସୁପାରିସ୍‌ ଗୃହରେ ଆଲୋଚନା ହୋଇ ଗୃହୀତ ହେଲା ପରେ ସରକାର ଗ୍ରହଣ କରନ୍ତି। ଯଦି କମିଟି ଏପରି କିଛି ସୁପାରିସ୍ କରିଛି, ତେବେ ଗୃହରେ ଏହା ଗ୍ରହଣ ହେବ ବୋଲି କିଛି ମାନେ ନାହିଁ।

ଅପର ପକ୍ଷରେ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ସୁବ୍ରତ ତରାଇ ଗଣମାଧ୍ୟମରେ ଯୁକ୍ତି ବାଢ଼ିଛନ୍ତି, ରାଜ୍ୟରେ ଚୋରା ମଦର ପ୍ରସାରକୁ ରୋକିବାକୁ ଏମିତି ପ୍ରସ୍ତାବ ଦିଆଯାଇଛି। କେବଳ ଲାଇସେନ୍ସପ୍ରାପ୍ତ ଦୋକାନରେ ମଦ ବିକ୍ରି କରାଯିବାର ବ୍ୟବସ୍ଥା ରହିଛି। ଯଦି ମଦର ଚାହିଦା ଅଧିକ ରହୁଛି, ତେଣୁ ତାହାକୁ ଯୋଗାଇବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର