ରେଳ ଦୁର୍ଘଟଣା ରୋକି ପୁରସ୍କୃତ

ବ୍ରହ୍ମପୁର : ଚଳନ୍ତା ଏବଂ ଜଳନ୍ତା ମାଲବାହୀ ଟ୍ରେନ୍ ନିଶ୍ଚିତ ଦୁର୍ଘଟଣାକୁ ରୋକିଛନ୍ତି ରେଳକର୍ମଚାରୀ ଏସ.କାମେଶ୍ବର। ବ୍ରହ୍ମପୁର ସହର ଗେଟବଜାର ବାସିନ୍ଦା କାମେଶ୍ବରଙ୍କ ଏଭଳି ସାହସିକ ଉଦ୍ୟମ ପାଇଁ ରେଳ ସୁରକ୍ଷା ବିଭାଗ ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯାଇଛି।

ମିଳିଥିବା ସୂଚନାନୁସାରେ, ଗତମାସ ୧୫ ତାରିଖ ଅପରାହ୍ନ ୩ଟା ୨୨ରେ ଏକ କୋଇଲା ବୋଝେଇ ଟ୍ରେନ (ଏମ୍‌ଜିପିବି) ବ୍ରହ୍ମପୁରରୁ ଆନ୍ଧ୍ରପ୍ରଦେଶ ପଲାସା ଆଡକୁ ଯାଉଥିଲା। ଏହି ସମୟରେ କନିଷି ଲେବଲ କ୍ରସିଂ ଗେଟ୍‌ରେ ଟ୍ରାକ୍‌ ମେଣ୍ଟେନର ଏସ୍‌.କାମେଶ୍ବର ରାଓ ଡ୍ୟୁଟିରେ ଥିଲେ। ଉକ୍ତ ଟ୍ରେନର ଚକ ନିକଟ ଏକ୍ସ‌ଏଲ୍‌ରେ ନିଆଁ ଲାଗିଯାଇଥିବା ସେ ପ୍ରଥମେ ଦେଖିବାକୁ ପାଇଥିଲେ। ସେତେବେଳକୁ ୨୦ଟି ବଗି ରେଳ ଫାଟକ ଅତିକ୍ରମ କରି ସାରିଥିଲା। ଆହୁରି ପ୍ରାୟ ୨୦ଟି ବଗି ଅତିକ୍ରମ କରିବାକୁ ବାକି ରହିଥିଲା। ନିଆଁ ଲାଗିଥିବା ଦେଖି କାମେଶ୍ବର ଉପସ୍ଥିତ ବୁଦ୍ଧି ଖଟାଇ ଲାଲ ରଙ୍ଗର ପତାକା ଦେଖାଇ ଟ୍ରେନ୍‌ର ପଛ ପାର୍ଶ୍ବରେ ନିୟୋଜିତ ଗାର୍ଡଙ୍କୁ ଟ୍ରେନ ଅଟକାଇବାକୁ ସୂଚନା ଦେଇଥିଲେ। ଏହାସହ ଗୋଳନ୍ଥରା ଷ୍ଟେସନ ମାଷ୍ଟରଙ୍କୁ ବି ସଂଗେ ସଂଗେ ଅବଗତ କରିଥିଲେ। ଗୋଳନ୍ଥରା ଷ୍ଟେସନରେ ଉକ୍ତ ମାଲବାହୀ ଟ୍ରେନ୍‌କୁ ଅଟକାଯିବା ସହ ସୁରକ୍ଷା ବିଭାଗକୁ ସୂଚନା ଦିଆଯାଇଥିଲା। ସୁରକ୍ଷା ବିଭାଗର କର୍ମଚାରୀ ପହଞ୍ଚି ଏକ ବଡ଼ଧରଣର ଦୁର୍ଘଟଣାକୁ ରୋକିବାରେ ସକ୍ଷମ ହୋଇଥିଲେ। ଫଳରେ ଏକ ବଡ଼ ଧରଣର ଅଘଟଣକୁ ଏଡ଼ାଇ ଦିଆଯାଇପାରିଥିଲା। ଗୋଳନ୍ଥରା ଷ୍ଟେସନ ଠାରେ ତିନି ଦିନ ଟ୍ରେନ ଅଟିକିଥିଲା। ଏହାପରେ ଟ୍ରେନକୁ ଛଡ଼ାଯାଇଥିଲା।

ଘଟଣାର ଅନୁଧ୍ୟାନ କରି ରେଳ ସୁରକ୍ଷା ବିଭାଗ ପକ୍ଷରୁ ଟ୍ରେନ୍‌କୁ ଏତେ ବଡ଼ ଦୁର୍ଘଟଣାରୁ ରକ୍ଷା କରିଥିବା ରେଳ କର୍ମଚାରୀ କାମେଶ୍ୱରଙ୍କୁ ଗତ ୫ ତାରିଖରେ ପୁରସ୍କୃତ କରାଯାଇଛି। ମୁଖ୍ୟ ରେଳ ସୁରକ୍ଷା ଅଧିକାରୀ ତାଙ୍କୁ ୧ହଜାର ଟଙ୍କା ଓ ପ୍ରମାଣପତ୍ର ପ୍ରଦାନ କରି ପୁରସ୍କୃତ କରିଥିବା କାମେଶ୍ବର କହିଛନ୍ତି। କାମେଶ୍ବରଙ୍କ ଘର ବ୍ରହ୍ମପୁର ସହର ଗେଟ୍‌ ବଜାର ମିତ୍ର ସାହିରେ। ସେ ୨୦୦୫ ମସିହାରୁ ରେଳ ବିଭାଗରେ ଟ୍ରାକ୍‌ ମେଣ୍ଟେନର ଭାବେ କାର୍ଯ୍ୟ କରୁଛନ୍ତି।

ସମ୍ବନ୍ଧିତ ଖବର