ପୁରୀ: ଜଗମୋହନ ମରାମତି ସମୟରେ ପାଳିଆ ସେବକ ଓ ଅଧିକ ପାଳିଆ ସେବକମାନଙ୍କୁ ଦୁଇଗୁଣା ହାରରେ ଆର୍ଥିକ ପୁରସ୍କାର ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ସମ୍ମତି ଜଣାଇଥିଲା। କୁହାଯାଇଥିଲା, ମରାମତି ସମୟରେ ନୀତି ନିର୍ଘଣ୍ଟ ଅନୁସାରେ ଯଥା ସମୟରେ ନୀତିନିର୍ବାହ ପାଇଁ ଏହି ପୁରସ୍କାର ଦିଆଯିବ। ଏଥିରେ ସର୍ତ୍ତ ବି ଥିଲା ଯେ ନୀତିରେ ସାମାନ୍ୟ ବିଳମ୍ବ ହେଲେ ପାଳିଆ ସେବକମାନେ ଏହି ପୁରସ୍କାର ପାଇବେନି। ହେଲେ ନୀତିରେ ବିଳମ୍ବ ପାଇଁ କେତେ ଟଙ୍କାର ପ୍ରାପ୍ୟ କାଟିଛି? କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି? ନୀତିରେ ଅନେକ ଥର ବିଳମ୍ବ ଘଟିଛି। ହେଲେ ଏ ରିପୋର୍ଟ କିଏ ରଖିଛି?
ଏମିତି ପ୍ରଶ୍ନ ଏବେ ସବୁ ମହଲକୁ ଆନ୍ଦୋଳିତ କଲାଣି। କେବଳ ସେତିକି ନୁହେଁ, ଶ୍ରୀମନ୍ଦିର ପ୍ରଶାସନର ଦୋ ମୁହାଁ ନୀତିକୁ ନେଇ ଶ୍ରୀଜଗନ୍ନାଥ ପ୍ରେମୀ ଏବେ ସନ୍ଦେହ ଆଖିରେ ଦେଖିଲେଣି। ମନେ ହେଉଛି, ଶ୍ରୀମନ୍ଦିର ପ୍ରଶାସନ ଶ୍ରୀଜଗନ୍ନାଥ ଓ ତାଙ୍କ ଭକ୍ତଙ୍କ ସ୍ୱାର୍ଥରେ କମ୍ ବରଂ ସେବାୟତଙ୍କୁ ଖୁସି କରି ବାହା ବା ଗୋଟାଇବା ପାଇଁ ବେଶୀ ତତ୍ପରତା ଦେଖାଉଛନ୍ତି। କାରଣ, ବାରମ୍ବାର ନୀତି ବିଶୃଙ୍ଖଳା ସତ୍ୱେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କି ତିରସ୍କାର ତ ଦୂରର କଥା। ଶ୍ରୀମନ୍ଦିର ପ୍ରଶାସନ ସେବାୟତମାନଙ୍କୁ କେବଳ ପୁରସ୍କାର ଦେଇ ଚାଲିଛି। ମାସିକ ପୁରସ୍କାର ବାବଦକୁ ଏମାନେ କୌଣସି ଆଇଏଏସ୍, ଓଏଏସ୍ ଅଧିକାରୀଙ୍କଠାରୁ ବି କମ୍ ଟଙ୍କା ପାଇନାହାନ୍ତି। ତା' ବାଦ୍ ବର୍ଷକୁ ବର୍ଷ ପାଳିଆ ପୁରସ୍କାର ରାଶି ବାବଦରେ ୧୦ ପ୍ରତିଶତ ବୃଦ୍ଧି ବି କରାଯାଇଛି। ହିସାବ କଲେ ଶ୍ରୀମନ୍ଦିର ପ୍ରଶାସନ ଗତ ଦୁଇ ବର୍ଷ ଭିତରେ ପ୍ରାୟ ୧୦.୬୫ କୋଟି ଟଙ୍କା ପାଳିଆ ପୁରସ୍କାର ବାବଦକୁ ଦେଇ ସାରିଲାଣି।
ଦୋ-ମୁହାଁ ନୀତି ଅବଲମ୍ବନ କରୁଛି ଶ୍ରୀମନ୍ଦିର ପ୍ରଶାସନ
କେବଳ ସେବାୟତଙ୍କୁ ତୁଷ୍ଟୀକରଣ ପାଇଁ ଉଦ୍ୟମ ଚାଲିଛି
ପାଳିଆ ସେବକଙ୍କୁ ଦିଆଯାଇଛି ଦୁଇଗୁଣ ପ୍ରାପ୍ୟ
ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ଅନୁସାରେ, ୨୦୧୫ ମେ ୨୪ ଓ ଜୁଲାଇ ୧ରେ ଶ୍ରୀମନ୍ଦିର ପରିଚାଳନା କମିଟିର ଦୁଇଟି ବୈଠକ ବସିଥିଲା। ଶ୍ରୀମନ୍ଦିର କାର୍ଯ୍ୟାଳୟ ଚିଠି ସଂଖ୍ୟା-୪୬୨୦/୩୦.୦୪.୨୦୧୫ ଆଧାରରେ ଏହି ଦୁଇଟି ବୈଠକରେ ଶ୍ରୀଜିଉଙ୍କ ସେବା ପାଳି କରୁଥିବା ପାଳିଆ ସେବକମାନଙ୍କର ଦୈନିକ ପାଳିଆ ପୁରସ୍କାର ଧାର୍ଯ୍ୟ ହୋଇଥିଲା। ୮୫୦ ଟଙ୍କା ପାଳିଆ ପୁରସ୍କାର ପାଉଥିବା ପାଳିଆ ସେବକ ପାଟ୍ଟଯୋଶୀ ମହାପାତ୍ରଙ୍କ ପୁରସ୍କାର ରାଶି ବୃଦ୍ଧି କରାଯାଇ ୧୬୦୦ ଟଙ୍କା ଧାର୍ଯ୍ୟ ହୋଇଥିଲା। ସେହିଭଳି ପୂଜାପଣ୍ଡା, ବାହାର ବିଜେ ପୂଜାପଣ୍ଡା, ହୋମ ପାଳିଆ ପୂଜାପଣ୍ଡା ସେବକଙ୍କ ପୁରସ୍କାର ୮୨୦ ଟଙ୍କାରୁ ୧୫୫୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଭିତରଚ୍ଛ, ତଳୁଚ୍ଛ, ମୁଦିରସ୍ତ, ପତିମହାପାତ୍ର, ପୁଷ୍ପାଳକ, ମହାଜନ, ଦକ୍ଷିଣୀଘର ମହାଜନ ସେବକଙ୍କ ପୁରସ୍କାର ରାଶି ୭୩୦ ଟଙ୍କାରୁ ୧୪୫୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ସେହିପରି ଅଖଣ୍ଡ ମେକାପ, ଧୁକୁଡ଼ି ପ୍ରତିହାରୀ, ଦକ୍ଷିଣୀ ପ୍ରତିହାରୀ, ସେରିକିଆ ପ୍ରତିହାରୀ, ଗୁରୁଡ଼ ପ୍ରତିହାରୀ, ବଡ଼ଦ୍ଵାର ପ୍ରତିହାରୀ, ଗୋଚ୍ଛିକାର, ଗରାବଡ଼ୁ, ପତ୍ରିବଡ଼ୁ, ସୁଆରବଡ଼ୁ, ଅଧିକ ସୁଆରବଡ଼ୁ, ହଡ଼ପନାୟକ, ବାସିପାଳିଆ ଗରାବଡ଼ୁ, ଖଟଶେଜ ମେକାପ, ପାଳିଆ ମେକାପ, ପାଳିଆ ମୁଦୁଲି, ବାସିପାଳିଆ ମୁଦୁଲି, ଚାଙ୍ଗଡ଼ା ମେକାପ, ଖୁଣ୍ଟିଆ, ଭଣ୍ଡାର ମେକାପ, ଭିତର ଗାୟଣୀ, ମୁଖ ପଖାଳ, ପାଣିଆପଟ, ଅଧିକ ପାଣିଆପଟ, ମୁଦ୍ରା, କୋଠଭୋଗ ପାଣିଆ, ଦତ୍ତମହାପାତ୍ର, ରୋଷପାଇକ, ତୁଣସୁଆର, ଅମାଲୁ ସୁଆର, ତୋଳାବଡ଼ୁ, ଚଣାପୁଆ, ପାଗୁଆ, ବିଣ୍ଡୁଆ, ବଡ଼ୁସୁଆର, ବିଡ଼ୁଆ, ପନ୍ତିବଡ଼ୁ, ବେହେରା ପନ୍ତିବଡ଼ୁ, ଥାଳିସୁଆର, ହାଣ୍ଡି ଯୋଗାଣିଆ, ବିରିବୁହା, ବାହାର ଦେଉଳିସୁଆର, ବାହାର ଦେଉଳି ଯୋଗାଣିଆ, ମହାସୁଆର, ଦେଉଳକରଣ, ଧୋପଖାଳ (ଅଙ୍ଗାରୁଆ ଓ ଗୋବର ପାଣିଆ), ତଢ଼ଉକରଣ (କ) ସେବକଙ୍କ ପୁରସ୍କାର ରାଶି ୫୦୦ ଟଙ୍କାରୁ ୧୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ପୁରସ୍କାର ରାଶି ବାବଦକୁ ଘଟୁଆରୀ, କାହାଳିଆ, ସୁଦ୍ଧସୁଆର, ଦର୍ପଣିଆ, ଘଣ୍ଟୁଆ, ବିମାନବଡ଼ୁ, ପ୍ରଧାନୀ, ମନ୍ଦିର ପୁରୋହିତ, ଲାଗୁଧୁଆ ଓ ପାଣିକୁଣ୍ଡିଆ, ଲେଙ୍କା ସେବକମାନଙ୍କ ୩୮୦ ଟଙ୍କାରୁ ୮୦୦ ଟଙ୍କା, ବୈଜୟନ୍ତୀ, ଆସ୍ଥାନ ପ୍ରତିହାରୀ, ବିଡିଆ ଯୋଗାଣିଆ, ବଲ୍ଲଭ ଯୋଗାଣିଆ, ଓଲାର, ଛତାର, ଛାମୁଦିହୁଡି, ଅଣସର ସୁଦ୍ଧସୁଆର ସେବକମାନଙ୍କ ୨୮୦ ଟଙ୍କାରୁ ୬୦୦ ଟଙ୍କା, ଚାମର, ପୁରାଣ ପଣ୍ଡା, ବେହେରାକରଣ, ଚଢ଼ାଉକରଣ (ଖ) ସେବକମାନଙ୍କ ୨୫୦ ଟଙ୍କାରୁ ୫୦୦ ଟଙ୍କା, ଦ୍ଵାରଘର ପ୍ରତିହାରୀ ସେବକମାନଙ୍କ ୨୫୦ ଟଙ୍କାରୁ ୫୦୦ ଟଙ୍କା, ବେହେରା ଖୁଣ୍ଟିଆ, ଯୌତିଷ, ଗନ୍ଧଣ ମେକାପ, ଚକ୍ରଦିହୁଡି ସେବକମାନଙ୍କ ୨୦୦ ଟଙ୍କାରୁ ୪୦୦ ଟଙ୍କା, ଚକ୍ରକାନ୍ତି ମହାସୁଆର, ଅମୁଣିଆ ଛତାର, ପର୍ବଯାତ୍ରା ଯୋଗାଣିଆ, ବଲ୍ଲଭ ଗୁଡ଼ିଆ (୨), ରଥ ଡାହୁକ ସେବକମାନଙ୍କ ୨୩୦ ଟଙ୍କାରୁ ୫୦୦ ଟଙ୍କା, ମଣ୍ଡଣୀ, କୋଠଭୋଗ ଯୋଗାଣିଆ ମେକାପ, ବିରିମୁଣ୍ଡା ସାମର୍ଥା, ତାଟୁଆ ସେବକମାନଙ୍କ ୧୬୦ ଟଙ୍କାରୁ ୪୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାବାଦ ପ୍ରତିବର୍ଷ ପୂର୍ବବର୍ଷ ପାଳିଆ ପୁରସ୍କାରଠାରୁ ୧୦ ପ୍ରତିଶତ ବୃଦ୍ଧି ହାରରେ ପାଳିଆ ପୁରସ୍କାର ପ୍ରଦାନ କରାଯିବ ବୋଲି ନିର୍ଦେଶନାମା ଜାରି କରାଯାଇଥିଲା। ଜୁଲାଇରେ ଏ ନେଇ ବିଧିବଦ୍ଧ ନିଷ୍ପତ୍ତି ହୋଇଥିଲେ ବି ପ୍ରଶାସନ ଦରଦ ଦେଖାଇବାକୁ ଯାଇ ୨୦୧୫ ଏପ୍ରିଲ ୧ରୁ ଏହି ବର୍ଦ୍ଧିତ ପାଳିଆ ପୁରସ୍କାର ଲାଗୁ କରିଥିଲା। ଏହା ପରେ ଚିଠି ନଂ-୮୯୦ରେ ୨୦୧୬ ଜାନୁଆରି ୨୧ରେ ଶ୍ରୀମନ୍ଦିର ପ୍ରଶାସନ ଆଉ ଏକ ନିର୍ଦେଶନାମା ଜାରି କଲା। ଶ୍ରୀମନ୍ଦିର ଜଗମୋହନ ମରାମତି ପାଇଁ ଅନୁମୋଦିତ ନୀତି ନିର୍ଘଣ୍ଟ ଅନୁସାରେ ଯଥା ସମୟରେ ନୀତି ନିର୍ବାହ ପାଇଁ ପାଳିଆ ସେବକ ଓ ଅଧିକ ପାଳିଆ ସେବକଙ୍କୁ ଦ୍ଵିଗୁଣିତ ହାରରେ ପାଳିଆ ପୁରସ୍କାର ଦେବାକୁ ଘୋଷଣା କଲା। ନୀତିରେ ବିଶୃଙ୍ଖଳା କିମ୍ବା ଅବହେଳା ପ୍ରଦର୍ଶନ କରି ୧୫ ମିନିଟ୍ କିମ୍ବା ତତୋଧିକ ବିଳମ୍ବ କଲେ ସଂପୃକ୍ତ ପାଳିଆ ଦ୍ଵିଗୁଣ ହାରରେ ପୁରସ୍କାର ପାଇବାରୁ ବଞ୍ଚିତ ହେବେ ଓ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଘୋଷଣା କରାଗଲା। ହେଲେ ଶୃଙ୍ଖଳା ବଦଳରେ ଶ୍ରୀମନ୍ଦିରରେ ବାରମ୍ବାର ନୀତି ବିଭ୍ରାଟ ହେଉଥିଲେ ବି ଆଜି ପର୍ଯ୍ୟନ୍ତ ସେବାୟତଙ୍କ ପାଉଣାରେ କିଛି ବି ଉଣା କରାଯାଇନାହିଁ। ଓଲଟା ପୁରସ୍କାର ପରେ ପୁରସ୍କାର ପ୍ରଦାନ କରାଯାଇଛି। ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ଅନୁସାରେ, ପାଳିଆ ସେବକମାନେ ୨୦୧୬-୧୭ରେ ୫ କୋଟି ୧୩ ଲକ୍ଷ ୨୪ ହଜାର ୫୩୪ ଟଙ୍କା ଓ ୨୦୧୭-୧୮ରେ ୫ କୋଟି ୫୨ ଲକ୍ଷ ୪୯ ହଜାର ୪୧୩ ଟଙ୍କା, ଏପରି ମୋଟ ୨ ବର୍ଷରେ ୧୦ କୋଟି ୬୫ ଲକ୍ଷ ୭୩ହଜାର ୯୪୭ ଟଙ୍କା ପାଳିଆ ପୁରସ୍କାର ପାଇଛନ୍ତି।