ଭୁବନେଶ୍ବର : ଓଡ଼ିଶା ଆଦର୍ଶ ବିଦ୍ୟାଳୟ(ଓଏଭି)ର ଦ୍ବାଦଶ, ଦଶମ ତଥା ଜେଇଇ ମେନ୍‌ରେ କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବର୍ଦ୍ଧିତ କରିଛନ୍ତି। ଲୋକସେବା ଭବନ କନ୍‌ଭେନ୍‌ସନ ସେଣ୍ଟରଠାରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଦର୍ଶ ବିଦ୍ୟାଳୟରେ ଅନୁଭୂତି ସମ୍ପର୍କରେ ପିଲାମାନଙ୍କୁ ପଚାରି ବୁଝିବା ସହ ସେମାନଙ୍କ ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ।

Advertisment

ସମ୍ବର୍ଦ୍ଧିତ ହୋଇଥିବା କୃତୀ ଛାତ୍ରଛାତ୍ରୀ ହେଲେ ମୟୂରଭଞ୍ଜ ଜିଲ୍ଲା ଝରଗାଁ ଆଦର୍ଶ ବିଦ୍ୟାଳୟର ଆଦର୍ଶ ସାହୁ, ସରିତା ମାର୍ଡି, ଜିଲ୍ଲାର ରାଣିଭୋଳ ଓଏଭିର ମାନସ ମହୋଦଧି ପୁର୍ତ୍ତି, କୋରାପୁଟ ଜିଲ୍ଲା କୋଟପାଡ଼ ଓଏଭିର ଓମ୍‌ ଆର୍‌ୟାନ ବିଶ୍ବାଳ ଓ ମାଛରା ଓଏଭିର ସ୍ବସ୍ତିକ ଆଦିତ୍ୟ ରଞ୍ଜନ, ଗଞ୍ଜାମ ଜିଲ୍ଲା ପିତାପଲ୍ଲୀ ଓଏଭିର ଉତ୍କଳ ପଟ୍ଟନାୟକ, ସୋରଡ଼ା ଓଏଭିର ଶୁଭମ ପ୍ରସାଦ ଗୌଡ଼, ଶାସନମା ଗାଁ ଓଏଭିର ସୁମନ କୁମାରୀ ମହାରଣା, କଳାହାଣ୍ଡି ଜିଲ୍ଲାର ମଶାଣିମୁଣ୍ଡା ଓଏଭିର ଦିବେନ୍ଦୁ ସାହାନାଇ, କେନ୍ଦୁଝର ଜିଲ୍ଲା ଶାଳପଡ଼ା ଓଏଭିର ହେମନ୍ତ ବେହେରା। ଏମାନେ ସମସ୍ତେ ଜେଇଇ ମେନ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।

ସେହିପରି ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ଉଲ୍ଲେଖନୀୟ କୃତିତ୍ବ ହାସଲ କରି ସମ୍ବର୍ଦ୍ଧିତ ଛାତ୍ରଛାତ୍ରୀ ହେଲେ କେନ୍ଦୁଝର ଜିଲ୍ଲା ଶାଳପଡ଼ା ଓଏଭିର ଇଶାନୀ ବିଶୋଇ, ଗଞ୍ଜାମ ଜିଲ୍ଲାର ସିଦ୍ଧେଶ୍ବର ଓଏଭିର ଏସ୍‌ ଅନୁଭବ ଦୋରା, ଗଞ୍ଜାମ ଜିଲ୍ଲାର କରାପଲ୍ଲୀ ଓଏଭିର ଏମ୍‌ ମୋହିତ ରେଡ୍ଡୀ, କୋରାପୁଟ ଜିଲ୍ଲା କୋଟପାଡ଼ ଓଏଭିର ଓମ୍‌ ଆର୍‌ୟାନ ବିଶ୍ବାଳ, ଗଞ୍ଜାମ ଜିଲ୍ଲାର ସିଦ୍ଧେଶ୍ବର ଓଏଭିର ସିପଦ ଯଜ୍ଞ ପ୍ରସାଦ ଆଚାରୀ। ଦଶମ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା କଳାହାଣ୍ଡି ଜିଲ୍ଲା ମୁଷିଗୁଡ଼ା ଆଦର୍ଶ ବିଦ୍ୟାଳୟର ସୁଧନ୍ୟା ପତି, ମୟୂରଭଞ୍ଜ ଜିଲ୍ଲା ଗରୁଡ଼ବସା ଓଏଭିର ବୈବଶ୍ବେତା ଆଚାର୍ଯ୍ୟ ସମ୍ବର୍ଦ୍ଧିତ ହୋଇଛନ୍ତି।

publive-image

ପିଲାମାନଙ୍କ ସହ ମତ ବିନିୟମ କରି ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି କେ ପାଣ୍ଡିଆନ ଆଦର୍ଶ ବିଦ୍ୟାଳୟରେ କିପରି ଆହୁରି ପ୍ରଭାବଶାଳୀ ଶିକ୍ଷାଦାନ କରାଯାଇପାରିବ ସେନେଇ ଛାତ୍ରଛାତ୍ରୀଙ୍କ ମତାମତ ଲୋଡ଼ିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ଆଦର୍ଶ ବିଦ୍ୟାଳୟ ସଙ୍ଗଠନର ଅଧ୍ୟକ୍ଷ ଉପେନ୍ଦ୍ର ତ୍ରିପାଠୀ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ ଜେନା, ବରିଷ୍ଠ ଅଧିକାରୀ ଏବଂ ସମ୍ବର୍ଦ୍ଧିତ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଉପସ୍ଥିତ ଥିଲେ। ବିଭାଗୀୟ ସଚିବ ଅଶ୍ବଥି ଏସ୍‌ ସ୍ବାଗତ ଭାଷଣ ଦେଇଥିଲେ।