ଜଙ୍ଗଲ ସୁରକ୍ଷା ନେଇ ସଚେତନତା ସାଇକଲ ଶୋଭାଯାତ୍ରା

ବଲାଙ୍ଗୀର : ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ଦିଗରେ ଜନସେଚତନତା ସୃଷ୍ଟି ଉଦ୍ଦେଶ୍ୟରେ ବଲାଙ୍ଗୀର ଜଙ୍ଗଲ ଜୀବନ ସୁରକ୍ଷା ଅଭିଯାନ ପକ୍ଷରୁ ବୁଧବାରଠାରୁ ସପ୍ତାହବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଥମ ଦିନ ସ୍ଥାନୀୟ ଗାନ୍ଧୀଭବନ ସମ୍ମୁଖରୁ ଗନ୍ଧରେଲ ଗାଁକୁ ଏକ ସଚେତନତା ସାଇକଲ ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଗାନ୍ଧୀ ପ୍ରତିମୂର୍ତ୍ତିରେ ପୂଜାର୍ଚ୍ଚନା ପରେ ପ୍ରଫେସର ମଧୁସୂଦନ ପତି ଶୋଭାଯାତ୍ରାକୁ ସବୁଜ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ। ସାଧାରଣ ନାଗରିକ ସମାଜ ଓ ପ୍ରଶାସନ ସହଯୋଗୀ ହେଲେ ସମାଜରେ ବୈପ୍ଳବିକ ପରିବର୍ତ୍ତନ ସମ୍ଭବ ହେବ ବୋଲି ପ୍ରଫେସର ପତି ଶୁଭେଚ୍ଛା ବାର୍ତ୍ତାରେ କହିଥିଲେ।

ଜଙ୍ଗଲ ଜୀବନ ସୁରକ୍ଷା ଅଭିଯାନର ଆବାହକ ସୁନୀଲ ମହାନ୍ତି ଏବଂ ଅଧ୍ୟକ୍ଷ ହେମନ୍ତ ପଣ୍ଡାଙ୍କ ନେତୃତ୍ୱରେ ଅନୁଷ୍ଠିତ ସାଇକଲ ଶୋଭାଯାତ୍ରାରେ ବଲାଙ୍ଗୀର ଡିଏଫ୍‌ଓ ସମୀର ଶତପଥୀ, ଜିଲ୍ଲା ଜଙ୍ଗଲ ଫୋରମ୍ ଆବାହକ କୁଳମଣି ସାହୁ, ରାଜ୍ୟ ଅମଲା ସଂଘ ସଭାପତି ଅନନ୍ତ ପାଣିଗ୍ରାହୀ, ୟୁଥ୍ ଆକ୍ସନ କମିଟି ସଭାପତି ବିନୋଦ କାଲସାଏ, ମାହେଶ୍ୱରୀ ସଙ୍ଗଠନର ଅଙ୍କୁଶ ପାଣ୍ଡିଆ, ଶୋଭନ ଅଗ୍ରୱାଲ, କୀର୍ତ୍ତି କେଶୱାନୀ, ପରିବେଶ ପ୍ରେମୀ ସୁଧୀର ମିଶ୍ର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବୀରେନ୍ଦ୍ର ଝାଙ୍କର, ପ୍ରଶାନ୍ତ ମହାକୁର, ଫରେଷ୍ଟର ବ୍ୟାସଦେବ ସାହୁ, ଅନିରୁଦ୍ଧ ଖର୍ସେଲ, ବିଶ୍ୱନାଥ କଠାର, ଶିବଶଙ୍କର ସିଂହ, ସନ୍ତୋଷ ପଟେଲ, ରାମନାରାୟଣ ଦାଶ, ସୋମେଶ ଡାଙ୍ଗ, ବିବେକ କୁମାର, ସନ୍ତୋଷ କର୍ମୀ, ପ୍ରୀତୀଶ ସାହୁଙ୍କ ସହ ୫୦ରୁ ଅଧିକ ସ୍ୱେଚ୍ଛାସେବୀ ଯୋଗ ଦେଇଥିଲେ। ଗନ୍ଧରେଲଠାରେ ଅଭିଯାନ ଅଧ୍ୟକ୍ଷ ଶ୍ରୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ସହ କିଭଳି ଜୈବ ବିବିଧତାକୁ ସୁରକ୍ଷା ଦେବା ସେନେଇ ଆଲୋଚନା ହୋଇଥିଲା। ସଭାରେ ବଲାଙ୍ଗୀର ବ୍ଲକ୍‌ ସଭାପତି ଗୋଲାପ ବାଗ, ଗନ୍ଧରେଲ ବନ ସୁରକ୍ଷା ସମିତି ସଭାପତି ମନୋରଞ୍ଜନ ସାଏ, ଗୋପଭୂଷଣ ନାଥ, ପରିବେଶ ପ୍ରେମୀ ସୁଧୀର ମିଶ୍ର, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବୀରେନ୍ଦ୍ର ଝାଙ୍କର ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ।

ଫୁଲଝରନ୍ ଗାଁରେ ଜଙ୍ଗଲ ସୁରକ୍ଷା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବନ ସୁରକ୍ଷା ସମିତି ଓ ଗ୍ରାମବାସୀଙ୍କୁ ୧୦ ହଜାର ଟଙ୍କା ପୁରସ୍କାର ଦିଆଯିବ ଓ ଗନ୍ଧରେଲ ଗ୍ରାମବାସୀଙ୍କୁ ୪ଟି ଟର୍ଚ୍ଚଲାଇଟ୍ ଦିଆଯିବ ବୋଲି ଡିଏଫ୍‌ଓ ଶ୍ରୀ ଶତପଥୀ ସଭାରେ ଘୋଷଣା କରିଥିଲେ। କବି ଅର୍ଜୁନ ସାହୁ ସଚେତନତାମୂଳକ କୋଶଲୀ କବିତା ପାଠ କରିଥିଲେ। ୟୁଥ୍ ଆକ୍ସନ କମିଟି ସଭାପତି ଶ୍ରୀ କାଲସାଏ ଓ ଶ୍ରୀ ମହାକୁର ଉପସ୍ଥିତ ଲୋକଙ୍କୁ ଜଙ୍ଗଲ ସୁରକ୍ଷା ନେଇ ଶପଥ ପାଠ କରାଇଥିଲେ। ଆଜିଠୁ ଆରମ୍ଭ ହୋଇଥିବା ଏହି ସଚେତନତା ଅଭିଯାନ ପଥରଚେପା, ଫୁଲଝରନ୍‌, ବୈଦିପାଲି, ମାଙ୍କଡ଼ଚୁଆଁ, ବରକାନୀ ଓ ଖର୍ଲିକାନୀ ଗ୍ରାମ ପରିକ୍ରମା କରିବ। ଶେଷରେ ଆବାହକ ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର