ହାତୀମୃତ୍ୟୁ ରୋକିବା ନେଇ ବୁଲିଲା ସଚେତନତା ରଥ

ଭଞ୍ଜନଗର: ଗଂଜାମ ଜିଲ୍ଳା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ବର୍ତ୍ତମାନ ହାତୀମୃତ୍ୟୁ ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇ ଉଠିଛି। ବିଶେଷ କରି ଏହି ବନଖଣ୍ଡ ନିଘଞ୍ଚ ଓ ହାତୀମାନଙ୍କ ଚଳପ୍ରଚଳ ଦୃଷ୍ଟିରୁ ନିରାପଦ ହୋଇଥିବା ବେଳେ ବର୍ଷ ତମାମ୍ ଏଠାରେ ହାତୀଙ୍କ ଗତିବିଧି ଲକ୍ଷ୍ୟ କରାଯାଉଛି। ଏଭଳି ସ୍ଥିତିରେ ହାତୀପଲ ଜନବସତି ମୁହାଁ ହେଉଥିବା ‌ବେଳେ ବିପଦ ସଙ୍କୁଳ ବିଦ୍ୟୁତ ତାର କିମ୍ବା ବନ୍ୟଜନ୍ତୁଙ୍କ ପାଇଁ ବିଚ୍ଛା ଯାଇଥିବା ବିଦ୍ୟୁତ ତାର ସଂଶ୍ପର୍ଶରେ ଆସି ନିରୀହ ହାତୀର ମୃତ୍ୟୁ ଘଟୁଥିବା ଅନେକ ନଜିର ରହିଛି। ତେଣୁ ହାତୀ ମାନଙ୍କ ସୁରକ୍ଷା ସମେତ ବନ୍ୟଜନ୍ତୁମାନଙ୍କୁ ବିଦ୍ୟୁତ ଆଘାତରୁ ରକ୍ଷା କରିବା ପାଇଁ ବନଖଣ୍ଡ ଏବଂ ଟିପିଏଓଡିଏଲ୍‌ର ମିଳିତ ସହାୟତାରେ ଏକ ସଚେତନ ରଥକୁ ଆଜି ଶୁଭାରମ୍ଭ କରାଯାଇଛି।

ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା ଏବଂ ଟିପିଏସ୍‌ଓଡିଏଲ୍‌ ଅଧୀକ୍ଷକ ନୃସିଂହ ନାଥ ପଣ୍ଡା ସବୁଜ ପତକା ଦେଖାଇ ଉଦ୍‌ଘାଟନ କରିଥିଲେ। ଏହି ସଚେତନ ରଥ ଭଞ୍ଜନଗର,ଜଗନ୍ନାଥପ୍ରସାଦ, ସୋରଡ଼ ଓ ବେଲଗୁଣ୍ଠା ବ୍ଳକ୍‌ର ବିଭିନ୍ନ ଗ୍ରାମକୁ ଯାଇ ଲୋକ ମାନଙ୍କୁ ବନ୍ୟଜନ୍ତୁଙ୍କୁ ବିଦ୍ୟୁତ ଆଘାତରୁ ରକ୍ଷା କରିବା ନେଇ ସଚେତନ କରିବ ବୋଲି ଟିପିଏସ୍‌ଓଡିଏଲ୍‌ ନିର୍ବାହୀଯନ୍ତ୍ରୀ ଜଗତଜୀତ ଦାସ ମହାପାତ୍ର ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଏସିଏଫ୍‌ ବି‌କ୍ରମ ଦେବ ପଟ୍ଟନାୟକ,ଏସ୍‌ଡିଓ ମନୋଜ କୁମାର ସାହୁଙ୍କ ସମେତ ବନବିଭାଗ ଓ ଟିପିଏସ୍‌ଡିଏଲ୍‌ କର୍ମଚାରୀ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର