କରୋନା ମୁକାବିଲା ନିମନ୍ତେ ସଚେତନତା ହେଉଛି ମୁଖ୍ୟ ପ୍ରସଙ୍ଗ: ଭଞ୍ଜସେନା

ବନ୍ଦ କରିବା ନିମନ୍ତେ ରାଜରାସ୍ତାକୁ ଯିବନାହିଁ ସଂଗଠନ

ବାରିପଦା : ବାରିପଦା ସହରରେ କରୋନା ମହାମାରୀ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଯାହା ସମସ୍ତଙ୍କ ପାଇଁ ଉଦ୍‌ବେଗର କାରଣ ପାଲଟିଯାଇଛି । ସହରର ସମସ୍ତ ୱାର୍ଡରେ କରୋନା ପଜିଟିଭ ଚିହ୍ନଟ ହେବା ସହ ସଂକ୍ରମଣର ଏକ ଚେନ୍ ସୃଷ୍ଟି ହୋଇଛି । ଏହାକୁ ପ୍ରତିହତ କରିବା ନିମନ୍ତେ ଦୋକାନ ବଜାର ବନ୍ଦର ଆବଶ୍ୟକତା ବଦଳରେ ଜନସଚେତନତା ଜରୁରୀ ହୋଇପଡ଼ିଛି । ଯଦି ଜନସାଧାରଣ ପରସ୍ପରଠାରୁ ସର୍ବନିମ୍ନ ସାମାଜିକ ଦୂରତା ରକ୍ଷା କରନ୍ତି, ମାସ୍କ ପରିଧାନ ଏବଂ ବିନା ସୁରକ୍ଷାରେ କୌଣସି ପଦାର୍ଥକୁ ସ୍ପର୍ଶ ନ କରନ୍ତି ତେବେ କରୋନାକୁ ସଫଳତାର ସହିତ ମୁକାବିଲା କରିବା ସହ କରୋନା ସଂକ୍ରମଣ ଚେନକୁ ପ୍ରତିହତ କରିବା ସମ୍ଭବ ହୋଇପାରିବ ।

ଚଳିତ ମାସ ୨୭ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ବାରିପଦା ସହର ଓ ତାର ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଦୋକାନ ବଜାର ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ଡାକରା ଦିଆଯାଇଛି। ଜିଲ୍ଲାର ଅଗ୍ରଣୀ ସାମାଜିକ ସଂଗଠନ ଭଞ୍ଜସେନା ବନ୍ଦ ସପକ୍ଷରେ ନଥିବା ବେଳେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ସମର୍ଥନ ଜଣାଇବାକୁ ବାଧ୍ୟ ହୋଇଛି । ଜୀବନ ଥିଲେ ଜୀବିକା ରହିଛି । ଏଣୁ ଜନସାଧାରଣ ଜୀବନ, ଜୀବିକା ଓ ପରିବାରକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଜିଲ୍ଲାର ଯୁବ ଛାତ୍ର ସଙ୍ଗଠନ ଭଞ୍ଜସେନା ବାରିପଦା ଓ ଆଖପାଖ ଅଞ୍ଚଳବାସୀଙ୍କୁ ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୩ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ଘରେ ପରିବାରର ସଦସ୍ୟମାନଙ୍କ ସହିତ ସୁରକ୍ଷିତ ରହିବା ସାଙ୍ଗକୁ ସମାଜକୁ ସୁସ୍ଥ ରଖିବାରେ ସହାୟକ ହେବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ଏହା ଦ୍ୱାରା ଆମେ ଜିତିବା ଓ କରୋନା ହାରିବ। ଯଦି ଆବଶ୍ୟକ ସ୍ଥଳେ କୌଣସି ଜରୁରୀ କାର୍ଯ୍ୟରେ ଘରୁ ବାହାରକୁ ବାହାରନ୍ତି ତେବେ ତେବେ ମାସ୍କ ପିନ୍ଧିବା, ପରସ୍ପରଠାରୁ ସର୍ବନିମ୍ନ ସାମାଜିକ ଦୂରତାକୁ ରକ୍ଷା କରିବା, ସାନିଟାଇଜର ବ୍ୟବହାର କରିବାକୁ ଯେପରି ଭୂଲି ନ ଯାଆନ୍ତି ବୋଲି ସେନା ପରାମର୍ଶ ଦେଇଛି । ଏଥି ସହିତ ୭ ଦିନ ଦୋକାନ ବଜାର ବନ୍ଦ ଡ଼ାକରାରେ ଭଞ୍ଜସେନାର କୌଣସି ସଦସ୍ୟ ବନ୍ଦ ପାଇଁ ରାଜରାସ୍ତାକୁ ଓହ୍ଲାଇବ ନାହିଁ ବୋଲି ସେନାର ସଭାପତି ପିଣ୍ଟୁ ମାଇତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର