କେବଳ ସଚେତନ ହେଲେ ହିଁ କରୋନାରୁ ରକ୍ଷା ମିଳିପାରିବ: ବାଚସ୍ପତି

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଚଳିତ ମାସ ୩୦ ତାରିଖ ଯାଏଁ ମୁଲତବୀ ରହିବା ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କରୋନା ଭାଇରସ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ବାଚସ୍ପତି କହିଛନ୍ତି, କେବଳ ସଚେତନ ହେଲେ ହିଁ କରୋନାରୁ ରକ୍ଷା ମିଳିପାରିବ। କରୋନା ଠାରୁ ରକ୍ଷା ପାଇବା ପାଇଁ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବା। ହାତକୁ ବାରମ୍ବର ଧୋଇବା। କାର୍ଯ୍ୟାଳୟରେ ଟେବୁଲ, ଅନ୍ୟ ସାମଗ୍ରୀ ଭଲ ଭାବେ ସଫା କରିବା।

ସେହିପରି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି, କରୋନା ଭାଇରସ ଏପର୍ଯ୍ୟନ୍ତ ୧୧୭ଟି ଦେଶକୁ ବ୍ୟାପିସାରିଛି। ଏଥିରେ ୧ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ଅଛନ୍ତି। ଚାରି ହଜାର ୬ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି। ୟୁରୋପ ଓ ୟୁଏସଏ ମଧ୍ୟରେ ଯାତାୟତ ବନ୍ଦ ହୋଇଯାଇଛି। ଓଡ଼ିଶା ମଧ୍ୟ ପ୍ରତିଷେଧ ମୂଳକ ପଦକ୍ଷେପ ନେଇଛି। ସତର୍କ ରହିବାକୁ ଜିଲ୍ଳାପାଳମାନଙ୍କୁ ନିର୍ଦ୍ଦେଶ ଦଆଯାଇଛି। ଜନସଭା, ବଡ଼ ଧରଣର ବିବାହ ଉତ୍ସବ ଉପରେ କଟକଣା ଜାରି କରାଯାଇଛି। ଏନେଇ ଜିଲ୍ଲାପାଳମାନଙ୍କୁ ପୂର୍ଣ୍ଣ କ୍ଷମତା ପ୍ରଦାନ କରାଯାଇଛି। କରୋନା ନେଇ ସମସ୍ତ ବିଧାୟକଙ୍କୁ ସଚେତନ କରାଯାଇଛି।

ସୂଚନାଯୋଗ୍ୟ, କରୋନା ପାଇଁ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ବିଧାନସଭାକୁ ମୁଲତବୀ ଘୋଷଣା କରାଯାଇଛି। ଏନେଇ ଆଜି ବିଧାନସଭାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାକୁ ମୁଲତବୀ ଘୋଷଣା କରିଥିଲେ। ବିପର୍ଯ୍ୟୟ ପ୍ରଶମନ ଆଇନ ୨୦୦୫ ଅନୁସାରେ ରାଜ୍ୟ ବିପର୍ଯ୍ୟୟ ଭାବେ କରୋନାକୁ ଘୋଷଣା କରାଯାଇଥିବା ହେତୁ ମାର୍ଚ୍ଚ ୩୦ ଯାଏଁ ବିଧାନସଭା ସ୍ଥଗିତ ରଖିବାକୁ ମୁଖ୍ୟ ସଚେତକ ଗୃହରେ ପ୍ରସ୍ତାବ ଦେଇଥିଲେ। ମୁଖ୍ୟ ସଚେତକଙ୍କ ଏହି ପ୍ରସ୍ତାବକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମର୍ଥନ କରିଥିଲେ।

ସମ୍ବନ୍ଧିତ ଖବର