ବାହାରିଲା ସଚେତନତା ରଥ, ୩ ମାସ ଧରି ବର୍ଷାଦିନିଆ ରୋଗ ସଂପର୍କରେ କରିବ ସଚେତନ

ଭୁବନେଶ୍ୱର: ମ୍ୟାଲେରିଆ,ଡେଙ୍ଗୁ ଓ ଡାଇରିଆ ଭଳି  ଜଳବାହିତ ରୋଗ ସଂପର୍କରେ ଲୋକଙ୍କୁ ସଚେତନ କରିବା ନିମନ୍ତେ ଆଜିଠାରୁ ସଚେତନତା ରଥ ବାହାରିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦ କୁମାର ମେହେର୍ଦ୍ଦା ଏହି ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ଡାଃ ମେହେର୍ଦ୍ଦା  ଜନସଚେତନତା ପାଇଁ ପ୍ରସ୍ତୁତ ସୂଚନାପତ୍ର ଏବଂ ପରିଚାଳନା ପ୍ରୋଟୋକଲ ପୁସ୍ତିକା ଉନ୍ମୋଚନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ପ୍ରତିବର୍ଷ ବର୍ଷାଋତୁ ଆରମ୍ଭରୁ ଲୋକଙ୍କୁ ଜଳ ଓ ଭେକ୍ଟରବାହିତ ରୋଗ ସଂପର୍କରେ ସଚେତନ କରାଯାଇଥାଏ । ପୂର୍ବରୁ ଏହା ୧୫ ଦିନ ପାଇଁ ଚାଲୁଥିବା ବେଳେ ଚଳିତ ବର୍ଷ ପ୍ରଥମେ ଏହାକୁ ଏକ ମାସ ଓ ପରେ ୩ ମାସ ପାଇଁ ଚଳାଯିବ। ସଚେତନତା କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ବିଶେଷ କରି ପଞ୍ଚାୟତିରାଜ ଓ ପାନୀୟଜଳ , ବିଦ୍ୟାଳୟ ଓ ଗଣଶିକ୍ଷା, ମହିଳା ଓ ଶିଶୁ କଲ୍ୟାଣ , ଶିଳ୍ପ ଆଦି ବିଭାଗକୁ ସାମିଲ କରାଯାଇଛି ।

ଏହାଛଡା ଗାଁ କଲ୍ୟାଣ ସମିତିର କର୍ମକର୍ତ୍ତା, ଅଙ୍ଗନବାଡି କର୍ମୀ, ଆଶାକର୍ମୀ ଓ ଶିକ୍ଷକମାନଙ୍କୁ ମଧ୍ୟ ସାମିଲ କରାଯିବ। କୌଣସି ଠାରେ ଜଳ କିମ୍ବା ଭେକ୍ଟରବାହିତ ରୋଗଦେଖା ଦେଲେ ତାହା ଯେପରି ଅନ୍ୟ ଅଂଚଳକୁ ନବ୍ୟାପିବ ସେଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ବର୍ଷା ଋତୁକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରତ୍ୟେକ ସରକାରୀ ଡାକ୍ତରଖାନାମାନଙ୍କରେ ପର୍ଯ୍ୟାପ୍ତ ପରିମାଣର ସାଲାଇନ୍‌ ଓ ଔଷଧ ମହଜୁଦ ରଖାଯାଇଛି ବୋଲି ଡାଃ ମେହେର୍ଦ୍ଦା ପ୍ରକାଶ କରିଛନ୍ତି ।

ସେହିପରି ବିହାରରେ ଏନେ୍‌ସଫାଲାଇଟସ୍‌ ରୋଗରେ ଅନେକ ଶିଶୁ ମୃତ୍ୟୁବରଣ କରୁଥିବା ବେଳେ ରାଜ୍ୟ ସରକାର ଏନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏହି ରୋଗର ନିୟନ୍ତ୍ରଣ ପାଇଁ ଥିବା ଗାଇଡଲାଇନ ଗୁଡିକ ପାଳନ କରିବ ନିମନ୍ତେ ଗାଁ କଲ୍ୟାଣ ସମିତିଠାରୁ ଆରମ୍ଭ କରି ଆଶା କର୍ମୀ ଓ ସ୍‌ୱାସ୍ଥ୍ୟକର୍ମୀମାନଙ୍କୁ ପଠାଯାଇଥିବା ସେ କହିଛନ୍ତି ।

ସମ୍ବନ୍ଧିତ ଖବର