ଏସ୍‌ସିବି ପୁର୍ନବିନ୍ୟାସ ପ୍ରକଳ୍ପ ଲାଗି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ: ସଚେତନତା ଅଭିଯାନ ଜାରି, ପ୍ରଭାବିତଙ୍କ ପରିଚୟ ଓ ରହଣି ଦସ୍ତାବିଜ୍ ସଂଗ୍ରହ ହେବ

କଟକ: ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ୍ ଓ ହସ୍ପିଟାଲ୍ (ଏସ୍‌ସିବି) ପୁର୍ନବିନ୍ୟାସ ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ଗତ ଶନିବାର ଅନୁମୋଦନ କରିବା ପରେ ଆଜିଠାରୁ ଜବରଦଖଲ ଉଚ୍ଛେଦ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାର ସୂଚନା ମିଳିଛି। ତେବେ ପ୍ରଶାସନ ପକ୍ଷରୁ ପ୍ରଥମେ ଉଚ୍ଛେଦ ନେଇ ସଚେତନତା ଅଭିଯାନ ଆରମ୍ଭ ହୋଇଛି । ଉଚ୍ଛେଦ ଅଂଚଳରେ ପ୍ରଶାସନ ପକ୍ଷରୁ ଡାକବାଜିରେ ଘୋଷଣା କରାଯାଉଛି ।

ଏହି ଉଚ୍ଛେଦ ପ୍ରକ୍ରିୟାରେ ଯେଉଁ ପରିବାର ପ୍ରଭାବିତ ହେବେ ସେମାନଙ୍କର ଘର ନମ୍ବର୍, ଆଧାର କାର୍ଡ ନମ୍ବର୍ ଏବଂ ରାସନ୍ କାର୍ଡ ନମ୍ବର୍, ବ୍ୟାଙ୍କ୍ ପାସବୁକ୍ ନମ୍ବର୍ ଆଦି ସଂଗ୍ରହ କରିବାକୁ ପୂର୍ବତନ କର୍ପୋରେଟରଙ୍କୁ ଦାୟିତ୍ବ ଦିଆଯାଇଛି। ଏହାପରେ ସେମାନଙ୍କ ଆକାଉଣ୍ଟକୁ କ୍ଷତିପୂରଣ ବାବଦ ଅର୍ଥ ପଠାଯିବ।

ଏହାପରେ ପ୍ରକଳ୍ପ ପାଇଁ ଦୋକାନ, କ୍ୱାର୍ଟସ ଓ ବେଆଇନ ଘର ଭଙ୍ଗା ତ୍ୱରାନ୍ୱିତ କରିବ ଜିଲ୍ଲା ପ୍ରଶାସନ। ଏହି ଉଚ୍ଛେଦ ପ୍ରକ୍ରିୟାରେ ୩୦୦ରୁ ଅଧିକ ପରିବାର ପ୍ରଭାବିତ ହେବେ। ପ୍ରଭାବିତ ପରିବାରଙ୍କୁ ଯୋବ୍ରା ବ୍ରିଜ୍‌ ଅପରପାର୍ଶ୍ୱରେ ଥଇଥାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଥଇଥାନ ନେଇ କଟକ ମହାନଗର ନିଗମ ସହ ଆଲୋଚନା ହୋଇଛି। ଦୋକାନ ଓ କ୍ୱାର୍ଟର୍ସ ଭଙ୍ଗାଯିବା କାମ ମଧ୍ୟ ତ୍ୱରାନ୍ଵିତ କରାଯିବ। ଏଥିନେଇ ଆଉ ୨/ ୩ ଦିନ ସମୟ ଲାଗିପାରେ ବୋଲି ସୂଚନା ମିଳିଛି।

ଥଇଥାନ ଓ ପୁନର୍ବାସ ପ୍ୟାକେଜ କଟକ ଜିଲ୍ଳାପାଳଙ୍କ ଦ୍ବାରା କାର୍ଯ୍ୟକାରୀ କରାଯିବ। ଯେହେତୁ ଏହି ପ୍ରକଳ୍ପ ପାଇଁ ଜମି ଓ ସମ୍ପତ୍ତି ଅଧିଗ୍ରହଣ ଆଲୋଚନା ଭିତ୍ତିରେ କରାଯିବ, ସେଥିପାଇଁ କେନ୍ଦ୍ରାଞ୍ଚଳ ଆର୍‌.ଡି.ସିଙ୍କ ଅନୁମୋଦନକ୍ରମେ କଟକ ଜିଲ୍ଲାପାଳ ଆବଶ୍ୟକସ୍ଥଳେ ସହାୟତାରେ ବୃଦ୍ଧି ବା ପରିବର୍ତ୍ତନ ସଂପର୍କରେ ନିଷ୍ପତ୍ତି ନେଇପାରିବେ। ଏହି ଥଇଥାନ ପୁନର୍ବାସ ପ୍ୟାକେଜ କାର୍ଯ୍ୟକାରୀ କରିବାପାଇଁ କଟକ ଜିଲ୍ଲାପାଳଙ୍କୁ ସରକାର ପାଣ୍ଠି ଯୋଗାଇ ଦେବେ। ରାଜ୍ୟସରକାରଙ୍କ କ୍ଷତିପୂରଣ ଆଇନ ଅନୁସାରେ କ୍ଷତିପୂରଣ ମିଳିବ ଓ ବାସହରା ପରିବାରକୁ ଜରୁରୀ ବ୍ୟବସ୍ଥା ପାଇଁ ୧ ଲକ୍ଷ ଟଙ୍କା ସହାୟତା ମିଳିବ ।

ସମ୍ବନ୍ଧିତ ଖବର