ପାହାଡ଼ି ଇଲାକାବାସୀଙ୍କ ଆଶାର ବତୀ ‘ପାର୍ବତୀ’

କୁଇ ଭାଷାରେ କରୁଛନ୍ତି କରୋନା ସଚେତନତା, ମୁଖ୍ୟମନ୍ତ୍ରୀ କଲେ ପ୍ରଶଂସା

ରାୟଗଡ଼ା: କେଉଁ ଗାଁକୁ ୨/୩ଟି ପାହାଡ଼ ଚଢ଼ି ତ କେଉଁ ଗାଁକୁ ନଦୀ, ନାଳ ଡେଇଁ ଯିବାକୁ ପଡୁଛି। ତଥାପି ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ସହ ଡଙ୍ଗରିଆଙ୍କୁ କରୋନାରୁ ରକ୍ଷା କରିବା ପାଇଁ ନିଜ କର୍ତ୍ତବ୍ୟ ଜାରି ରଖିଛନ୍ତି ଆଦିବାସୀ ଇଲାକାର ଝିଅ ପାର୍ବତୀ ହିକକା। କୁଇ ଭାଷାରେ ଜାରି ରଖିଛନ୍ତି ସଚେତନତା। ଆଶା, ଅଙ୍ଗନବାଡ଼ି କର୍ମୀ, ଏଏନ୍ଏମଙ୍କ ସହ ମିଶି ପାର୍ବତୀ ଜନ ସଚେତନତା କ୍ଷେତ୍ରରେ ପାହାଡ଼ି ଇଲାକାବାସୀଙ୍କ ଆଶାର ବତୀ ପାଲଟି ଥିବାରୁ ଟୁଇଟ୍ କରି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

. ପାହାଡ଼ ଚଢ଼ି, ନଦୀ ନାଳ ଡେଇଁ ଯାଉଛନ୍ତି ୩୨ଟି ଗାଁକୁ
. ଏଯାବତ୍ ଜଣେ ବି ଡଙ୍ଗରିଆକୁ ଛୁଇଁପାରିନି କରୋନା

କଲ୍ୟାଣସିଂହପୁର ବ୍ଲକ୍ ଢ଼େପାଗୁଡା ଗ୍ରାମର ଶିକ୍ଷିତ ଝିଅ ପାର୍ବତୀ ୨୦୧୯ ମସିହାରେ ରାୟଗଡ଼ା ସ୍ବଂୟ ଶାସିତ ମହାବିଦ୍ୟାଳୟରୁ ଗ୍ରାଜୁଏସନ୍ ପାସ୍ କରିଥିଲେ। ବାପା ଦୀନବନ୍ଧୁ ହିକକା ବୃତ୍ତିରେ ଚାଷୀ ହୋଇଥିବା ବେଳେ ମାଆ ମାତି ହିକକା ବୃତ୍ତିରେ ଗୃହିଣୀ। କିନ୍ତୁ ପିଲାଟି ଦିନରୁ ଉଚ୍ଚ ଶିକ୍ଷିତ ହେବାର ଆଶା ନେଇ ପାଠ ପଢ଼ା ଜାରି ରଖିଥିଲେ ପାର୍ବତୀ। ଗ୍ରାଜୁଏସନ୍ ପାସ୍ କରିବା ପରେ ଉଚ୍ଚଶିକ୍ଷା ପାଇଁ ଆଶା ରଖିଥିଲେ ମଧ୍ୟ ଘରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନଥିବାରୁ ବାପା ଦୀନବନ୍ଧୁ ବାହାରକୁ ଯାଇ ପାଠ ପଢ଼ିବାକୁ ମନା କରି ଦେଇଥିଲେ। ଫଳରେ ପାର୍ବତୀ ରାୟଗଡ଼ାର ଏକ କ୍ଲିନିକରେ ସ୍ବଳ୍ପ ଦରମାରେ କାମ କରିଥିଲେ। ୩ ମାସ କ୍ଲିନିକରେ କାମ କରିବା ପରେ ଜଣେ ବନ୍ଧୁଙ୍କ ପରାମର୍ଶକ୍ରମେ ଡଙ୍ଗରିଆ ଅଞ୍ଚଳରେ କାମ କରିବା ପାଇଁ ଏନଜିଓରେ ଯୋଗ ଦେଇଥିଲେ। ପାର୍ସାଲି ପଞ୍ଚାୟତର ୩୨ଟି ଗାଁରେ ପାର୍ବତୀ ସ୍ବାସ୍ଥ୍ୟ ସଂପର୍କିତ ଜନ ସଚେତନତା ପ୍ରକଳ୍ପରେ କାମ କରିବାର ସୁଯୋଗ ପାଇଥିଲେ। ଆଶା, ଅଙ୍ଗନବାଡ଼ି, ଏଏନ୍ଏମଙ୍କ ସହ ମିଶି ସବୁ ଗାଁକୁ ଯାଇ ଟୀକାକରଣ, ସୁରକ୍ଷିତ ମାତୃତ୍ବ, ମେଡ଼ିକାଲରେ ପ୍ରସବ, ପୃଷ୍ଟିହୀନତା ଦୂର କରିବା ଦିଗରେ କାମ କରିଥିଲେ। ମାର୍ଚ୍ଚ ମାସରେ କରୋନା ମହାମାରୀ ବ୍ୟାପିବା ପରେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ପରାମର୍ଶକ୍ରମେ ଡଙ୍ଗରିଆଙ୍କୁ କରୋନାର ଭୟାବହତା ସଂପର୍କରେ ସଚେତନ କରିବା ପାଇଁ ଆରମ୍ଭ ହୋଇଥିଲା ପ୍ରୟାସ।

ପାର୍ସାଲି ପଞ୍ଚାୟତର ଅପହଞ୍ଚ ଇଲାକା ଲାମ୍ବା, ପାକେରୀ, ଗୁମ୍ମା, ଡଙ୍ଗାମାଟି, ପାଟଙ୍ଗାପଦର, ସାରିଝୋଲା, ନିର୍ଗୁଣ୍ଡି, ବଙ୍ଗପାଡ଼ୁ, ଲାଖପଦରରେ ଜନସଚେତନତାର ମଙ୍ଗ ଧରିଥିଲେ ପାର୍ବତୀ। ଓଡ଼ିଆ ବାର୍ତ୍ତାକୁ କୁଇ ଭାଷାରେ ଅନୁବାଦ କରି ମୋବାଇଲରେ ରେକର୍ଡିଂ କରି ଗାଁ ଗାଁ ବଜାଇ ଡଙ୍ଗରିଆଙ୍କ ନିକଟରେ ପହଞ୍ଚାଇଥିଲେ। ପାର୍ସାଲି ପଞ୍ଚାୟତର ବହୁ ଗାଁକୁ ନିତି ଦିନିଆ ରାସ୍ତା ନଥିବାରୁ ବହୁ କଷ୍ଟରେ ପାହାଡ଼ ଚଢ଼ି, ନଦୀ ନାଳ ଡେଇଁ, କିମି କିମି ବାଟ ପାଦରେ ଚାଲି ଗାଁକୁ ଗାଁ ଯାଇ ପାର୍ବତୀ ନିଜ ସହଯୋଗୀଙ୍କ ସହ ଦୀର୍ଘ ୮ ମାସ ହେଲା ଜନସଚେତନତା ଜାରି ରଖିଛନ୍ତି। କରୋନା ମହାମାରୀ ରାୟଗଡ଼ା ଜିଲ୍ଲାରେ ଉଗ୍ର ରୂପ ଧାରଣ କରି ସଂକ୍ରମଣ ସଂଖ୍ୟା ୮ ହଜାର ପାର କରିବା ସହ ୪୦ ଲୋକଙ୍କ ଜୀବନ ନେଇଛି। କିନ୍ତୁ ଡଙ୍ଗରିଆଙ୍କୁ ଆଜି ପର୍ଯ୍ୟନ୍ତ ଛୁଇଁ ପାରିନି। ଜଣେ ବି ଡଙ୍ଗରିଆ ସଂପ୍ରଦାୟର ବ୍ୟକ୍ତି ବିଶେଷ କରୋନା ସଂକ୍ରମିତ ହୋଇନାହାନ୍ତି। ଯାହା ପାର୍ବତୀଙ୍କୁ ଆତ୍ମ ସନ୍ତୋଷ ପ୍ରଦାନ କରିଛନ୍ତି। ଅନେକ କଷ୍ଟ, ବାଧାବିଘ୍ନ ସତ୍ତ୍ବେ ପାର୍ବତୀ ଡଙ୍ଗରିଆ ଇଲାକାରେ ଜନସଚେତନତା ପାଇଁ ନିଜକୁ ନିୟୋଜିତ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର