ସାଇବର ଅପରାଧ ରୋକିବାକୁ ସ୍ବତନ୍ତ୍ର ପ୍ରୟାସ: ରାଜ୍ୟବ୍ୟାପୀ ବୁଲିବ ସଚେତନତା ରଥ, ବାଣ୍ଟିବ ବାର୍ତ୍ତା

ଭୁବନେଶ୍ୱର: ରାଜ୍ୟରେ ସାଇବର ଅପରାଧ ରୋକିବାକୁ ସରକାରୀସ୍ତରରେ ଜାରି ପ୍ରୟାସକୁ ଆହୁରି ବ୍ୟାପକ କରାଯିବ। ଦୈନିକ ଆର୍ଥିକ ଏବଂ ମହିଳା ଓ ଶିଶୁମାନଙ୍କ ଉପରେ ଯୌନଜନିତ ସାଇବର ଅପରାଧ ବୃଦ୍ଧି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। କୌଣସି ବ୍ୟକ୍ତି ସାଇବର ଜନିତ ଅପରାଧ ସଂପର୍କରେ ଅଭିଯୋଗ କରିବାକୁ ହେଲେ ୧୯୩୦ ସହ ଯୋଗାଯୋଗ କରି ଅଭିଯୋଗ କରିପାରିବେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତୃଣମୂଳ ସ୍ତରରେ ସାଇବର ଅପରାଧ ବିରୋଧ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ବାରୋପ କରିଛନ୍ତି। ଲୋକଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ରଥ ବୁଲିବ।

ବିଶେଷକରି ବୃଦ୍ଧବୃଦ୍ଧା, ଛାତ୍ରଛାତ୍ରୀ, ଆଶା ଓ ଅଙ୍ଗନୱାଡି କର୍ମୀ, ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟଙ୍କ ସମେତ ଉକ୍ତ ଅଭିଯାନରେ ସବୁ ବର୍ଗକୁ ସାମିଲ କରିବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି। ଏଥ୍ ନିମନ୍ତେ ୩୪ଟି ସଚେତନତା ରଥ ରାଜ୍ୟର ପ୍ରତ୍ୟେକ ଥାନାକୁ ଗସ୍ତ କରି ଭିଡ଼ିଓ ଅଡ଼ିଓ ମାଧ୍ୟମରେ ସଚେତନତା ବାର୍ତ୍ତା ପ୍ରଦାନ କରିବ । ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରର କାନ୍ଥରେ ପେଣ୍ଟିଂ ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବ। ଏପରିକି ବିଦ୍ୟାଳୟସ୍ତରରେ ଅଭିଭାବକ-ଶିକ୍ଷକମାନଙ୍କ ବୈଠକରେ ସାଇବର କ୍ରାଇମ ପ୍ରତି ସଚେତନ ରହିବାକୁ ମଧ୍ୟ ଆଲୋଚନା ହେବ। ଅର୍ଥ ନେଣଦେଣ ପୂର୍ବରୁ ସତ୍ୟତା ଯାଞ୍ଚ କରିବା, ଅଜଣା ବ୍ୟକ୍ତିଙ୍କ ସହ ଅନାବଶ୍ୟକ ବନ୍ଧୁତା ରକ୍ଷା ନକରିବା, ଅଜଣା ଏସ୍.ଏମ୍.ଏସ୍, ଲିଙ୍କ କିମ୍ବା ସନ୍ଦେହାତ୍ମକ ଆପ୍ ଡାଉନଲୋଡ ନକରିବା ଉପରେ ମୁଖ୍ୟତଃ ସଚେତନ ସୃଷ୍ଟି କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା।

ଉଭୟ ଅନ୍‌ଲାଇନ୍ ଏବଂ ଅଫ୍‌ଲାଇନ୍ ମାଧ୍ୟମରେ ମଧ୍ଯ ଅଭିଯାନ ଜାରି ରହିବ। ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମଧ୍ଯ ନିୟମିତ ଭାବେ ସାଇବର ଅପରାଧ ନିୟନ୍ତ୍ରଣଜନିତ ବାର୍ତ୍ତା ପ୍ରଦାନ କରାଯିବ । ଏଥ୍ ନିମନ୍ତେ ବିଭିନ୍ନ ଆଲୋଚନା ଚକ୍ରର ମଧ୍ୟ ଆୟୋଜନ କରାଯିବ। ଏପରିକି ‘ସଚେତନ ରହିବା ଏବଂ ସୁରକ୍ଷିତ ରହିବା-ସାଇବର ଅପରାଧ ମୁକ୍ତ ଓଡ଼ିଶା’ ଉପରେ ରୋଡ ରନ, ସାଇକ୍ଲୋଥନ, ଶୋଭାଯାତ୍ରା, ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ବକ୍ତୃତା, ପ୍ରବନ୍ଧ ଓ କୁଇଜ ପ୍ରତିଯୋଗିତା ମଧ୍ୟ କରାଯିବ। ଏଭଳି ଅଭିଯାନ ଆରମ୍ଭ କରିବାରେ ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ।

ସୂଚନାଯୋଗ୍ୟ ଦେଶରେ ୨୦୨୧ ମସିହାରେ ୫୨ ହଜାର ୯୭୫ ମାମଲା ପଞ୍ଜିକୃତ ହୋଇଥିଲା ଯାହା ଏହାର ପୂର୍ବ ବର୍ଷ ଅପେକ୍ଷା ସାଇବର ଅପରାଧଜନିତ ମାମଲାରେ ୫.୯ ପ୍ରତିଶତ ଅଧିକ। ସେହିଭଳି ଓଡ଼ିଶାରେ ୨୦୧୯ ମସିହାରେ ୧୪୮୫ଟି, ୨୦୨୦ରେ ୧୯୩୧ ଏବଂ ୨୦୨୧ରେ ୨୦୩୭ଟି ମାମଲା ରୁଜୁ ହୋଇଛି। ଅନ୍ୟପକ୍ଷରେ ସାଇବର ହେଲ୍ସ ଡେସ୍କ ମାଧ୍ୟମରେ ରାଜ୍ୟରେ ୨୦୨୧ ମସିହାରେ ୩୪୦୨ଟି ପିଟିସନ ଗ୍ରହଣ କରାଯାଇଥିବା ବେଳେ ୨୦୨୨ ମସିହାରେ ୭୭୦୦ଟି ପିଟିସନ ଗ୍ରହଣ କରାଯାଇଛି।

ଉକ୍ତ ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓ ରଂଜନ କୁମାର ସିଂ, ଇଲୋକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର, ଗୃହ ବିଭାଗ ସ୍ବତନ୍ତ୍ର ସଚିବ ଡଃ ସନ୍ତୋଷ ବାଲା, ଡିଜିପି ସୁନୀଲ ବଂଶଲ, ମିଶନ ଶକ୍ତି ବିଭାଗ ଶାସନ ସଚିବ ସୁଜାତା କାର୍ତ୍ତିକେୟନ, ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅଶୁଥ୍ ଏସ୍, ମହିଳା ଓ ଶିଶୁ ବିକାଶ ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲ, ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ଆଇଜି ଅଫ ପୁଲିସ ସି.ଆଇ.ଡି. ସି.ବି ସିଫିନ୍ ଅହମ୍ମଦ କେ. ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର