ମୟୂରଭଞ୍ଜରେ ଆବାସ ତାଲିକା ଯାଞ୍ଚ୍‌ ପ୍ରହସନ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀ ତାଲିକା ପ୍ରସ୍ତୁତିରେ ବ୍ୟାପକ ଅନିୟମିତା ହୋଇଥିବ‌ା ଜଣାପଡ଼ିଛି। ଏନେଇ ୨୬ଟି ବ୍ଲକ୍‌ରୁ ୨୩୬୩ଟି ଅଭିଯୋଗ ହୋଇଥିବା ବେ‌ଳେ ୯୧୧ ଜଣ ଅଯୋଗ୍ୟ ହିତାଧିକାରୀ ତାଲିକାରେ ସାମିଲ ଥିଲେ। ସେମାନଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି। ଗ୍ରାମସଭାରେ ଚୁଡ଼ାନ୍ତ ନିଷ୍ପତ୍ତି ପରେ ବାକି ରହିଥିବା ଯୋଗ୍ୟ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯିବ ବୋଲି ପ୍ରଶାସନ କହୁଛି। ତେବେ ଜିଲ୍ଲାରେ ହୋଇଥିବା ଏହି ଯାଞ୍ଚ୍‌ ପ୍ରକ୍ରିୟା କେବଳ ପ୍ରହସନ ବୋଲି ଅନୁସନ୍ଧାନରୁ ଜଣାପଡ଼ିଛି। କାରଣ ତାଲିକାରେ ଏବେ ବି ଶହଶହ ଅଯୋଗ୍ୟ ହିତାଧିକାରୀ ରହିଯାଇଛନ୍ତି। ଚାପ କିମ୍ବା ଭୟରେ ସେମାନଙ୍କ ବିରୋଧରେ କେହି ଅଭିଯୋଗ କଲେନି। ନିଜ ଅଞ୍ଚଳରେ ସେମାନଙ୍କ ପ୍ରଭାବ ପାଇଁ ସ୍ଥାନୀୟ ପ୍ରଶାସନ ବି ଏକ୍ଷେତ୍ରରେ ନିରବଦ୍ରଷ୍ଟା ସାଜୁଛି। ଯେଉଁଥିପାଇଁ ଶିକ୍ଷକ, ଗୃହରକ୍ଷୀ ଓ ଧନିକ ଶ୍ରେଣୀର ସରପଞ୍ଚ, ସମିତି ସଭ୍ୟ ବି ଏହି ତାଲିକାରେ ସ୍ଥାନ ପାଇ ଘର ପାଇବାକୁ ଯାଉଛନ୍ତି।

ଅଭିଯୋଗ ଦାଖଲର ଅବିଧି ସରିବା ପରେ ବି ଶ୍ୟାମାଖୁଣ୍ଟା, କୁଳିଅଣା, ବେତନଟୀ, ଶୁଳିଆପଦା, ବାଙ୍ଗିରିପୋଷି, ବିଶୋଇ, ଜାମଦା, ରରୁଆଁ, ତିରିଂ, ଠାକୁରମୁଣ୍ଡା, କରଞ୍ଜିଆ, ଯଶିପୁର ବ୍ଲକ୍‌ରୁ ଅଯୋଗ୍ୟ ହିତାଧିକାରୀଙ୍କ ବାବଦରେ ଗଦାଗଦା ଅଭିଯୋଗ ଆସୁଛି। ଶ୍ୟାମାଖୁଣ୍ଟା ବ୍ଲକ୍‌ ଗୋବିନ୍ଦପୁର ଗାଁର ଜଣେ ଶିକ୍ଷକ, ଅସ୍ତିଆ ଗାଁର ଜଣେ ଗୃହରକ୍ଷୀଙ୍କ ନାଁ ଆବାସ ତାଲିକାରେ ରହିଛି। ଉକ୍ତ ଶିକ୍ଷକଙ୍କ ଭାଇ ଜଣେ ରାଜନେତା। ଗୃହରକ୍ଷୀ ଜଣକ ହେଉଛନ୍ତି ଶାସକ ଦଳର ଜଣେ ଦୃଢ଼ ସମର୍ଥକ। ତେଣୁ ବ୍ଲକ୍‌ ପ୍ରଶାସନ ସେମାନଙ୍କ ନାଁ ତାଲିକାରୁ କାଟିବାକୁ କୁଣ୍ଠାବୋଧ କରୁଥିବା ଅଭିଯୋଗ ଆଣିଛନ୍ତି ସାମାଜିକ କର୍ମୀ ମନ୍ମଥ ପୁହାଣ। ଏ ନେଇ ସେ ଜିଲ୍ଲାପାଳ, ମୁଖ୍ୟ ଶାସନ ସଚିବ ଓ ପଞ୍ଚାୟତରାଜ ବିଭାଗ ନିର୍ଦ୍ଦେଶକଙ୍କୁ ଅବଗତ କରାଇଥିବା କହିଛନ୍ତି। ଏହି ବ୍ଲକ୍‌ର ଅନେକ ଯୋଗ୍ୟ ହିତାଧିକାରୀଙ୍କ ନାଁ ତାଲିକାରେ ନାହିଁ। ଏମାନେ ମୁହଁ ଖୋଲିଲେ ଭତ୍ତା କାଟି ଦେବା, ଚାଉଳ ବନ୍ଦ କରି ଦେବାକୁ କୁଆଡ଼େ କୁଜିନେତାମାନେ ଭୟ ଦେଖାଉଛନ୍ତି। ସେହିଭଳି ବିଶୋଇ ବ୍ଲକ୍‌ରେ ଜଣେ ଥିଲାବାଲା ସରପଞ୍ଚଙ୍କ ନାଁ ଆବାସ ତାଲିକାରୁ କଟିନାହିଁ। ଜଣେ ପ୍ରତିପତ୍ତିଶାଳୀ ପୂର୍ବତନ ସମିତି ସଭ୍ୟଙ୍କ ନାଁ ବି ତାଲିକାରେ ଥିବାର ଅଭିଯୋଗ ହୋଇଛି। ଏସବୁକୁ ହିସାବକୁ ନେଲେ ଜିଲ୍ଲାରେ ୮ ହଜାରରୁ ଅଧିକ ଅଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ୍‌ ପଡ଼ିବେ ବୋଲି କୁହାଯାଉଛି।

ଏନେଇ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୌଲତ ଚନ୍ଦ୍ରକାରଙ୍କୁ ପଚାରିବାରୁ ସେ କହିଲେ; ପ୍ରଶାସନ ପକ୍ଷରୁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଉଛି। ଯଦି କେହି ଅଯୋଗ୍ୟ ତାଲିକାରେ ରହିଯାଇଥାନ୍ତି ଓ କାର୍ଯ୍ୟାଦେଶ ହାତେଇ ନିଅନ୍ତି, ଶେଷ ପର୍ଯ୍ୟାୟ ଯାଞ୍ଚ୍‌ରେ କାର୍ଯ୍ୟାଦେଶ ବାତିଲ କରଯିବ। ଘର ତିଆରି କରିଥିଲେ ଦିଆଯାଇଥିବା ଟଙ୍କା ବି ସୁଧ ସହ ଆଦାୟ କରାଯିବ। ତେଣୁ କେହି ବି ଅଯୋଗ୍ୟ ହିତାଧିକାରୀ ସରକାରଙ୍କୁ ଠକି ଘର ହାତେଇ ପାରିବେନି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର