ଆବାସ ଅନିୟମିତତା: ଅଭିଯୋଗ କରିବାରୁ ଗାଁରୁ ବାସନ୍ଦ

ପାଳଲହଡ଼ା : ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ଚୟନରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏଥର ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ପଞ୍ଚାୟତରେ ପ୍ରକାଶିତ ହିତାଧିକାରୀ ତାଲିକାରେ ଯଦି କେହି ଅଯୋଗ୍ୟ ବ୍ୟକ୍ତି ଥାଆନ୍ତି, ତାଙ୍କ ବିରୋଧରେ ଲୋକେ ଅଭିଯୋଗ କରିବାକୁ ସରକାର ସୁଯୋଗ ରଖିଛନ୍ତି। ମାତ୍ର, ଏହାର ଓଲଟା ଫଳ ଦେଖିବାକୁ ମିଳିଛି। ଅନୁଗୁଳ ଜିଲ୍ଲା ପାଳଲହଡ଼ା ବ୍ଲକ୍‌ କରଡ଼ାପାଳ ପଞ୍ଚାୟତ ମୁନିପାଳପୁର ଗାଁର ଜଣେ ବ୍ୟକ୍ତିଙ୍କୁ ଗଁା ବୈଠକରେ ବାସନ୍ଦ କରାଯାଇଛି। ତାଙ୍କୁ ନିଆଁ ପାଣି ବନ୍ଦ କରାଯିବା ସହ ଗାଁର କୌଣସି ସାମୂହିକ କାର୍ଯ୍ୟକୁ ଡକାଯିବ ନାହିଁ ବୋଲି ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି।

ଏହି ବ୍ୟକ୍ତି ଜଣକ ‌ହେଲେ, ଲୋକନାଥ ସେଠୀ। ଲୋକନାଥଙ୍କ କହିବା ମୁ୍ତାବକ, ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ତାଲିକାରେ ତାଙ୍କ ନାମ ରହିଥିଲା। ଗାଁର ବର୍ତ୍ତମାନର ୱାର୍ଡମେମ୍ବର ପୂର୍ଣ୍ଣଚନ୍ଦ୍ର ସାହୁ ଅଭିଯୋଗ କରିବାରୁ ତାଙ୍କ ନାମ ହିତାଧିକାରୀ ତାଲିକାରୁ ବାଦ୍‌ ପଡ଼ିଲା। ହେଲେ, ୱାର୍ଡମେମ୍ବର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ନାମ ହିତାଧିକାରୀ ତାଲିକାରେ ରହିଥିଲା। ଗତ ୨୫ ତାରିଖରେ ଲୋକନାଥ ଏ ସଂପର୍କରେ ଅଭିଯୋଗ କରିଥିଲେ। ୱାର୍ଡମେମ୍ବର ପୂର୍ଣ୍ଣଚନ୍ଦ୍ର ଜଣେ ସ୍ବଚ୍ଛଳ ବ୍ୟକ୍ତି। ତାଙ୍କର ଫ୍ରିଜ୍‌ ଓ ଗାଡ଼ି ଅଛି। ତେଣୁ ହିତାଧିକାରୀ ତାଲିକାରୁ ତାଙ୍କ ନାମ ବାଦ୍‌ ଦିଆଯିବାକୁ ଲୋକନାଥ ଅଭିଯୋଗରେ ଦର୍ଶାଇଥିଲେ। ଏହାପରେ ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ନାମ ହିତାଧିକାରୀ ତାଲିକାରୁ କଟିଯାଇଥିଲା।

ଏପଟେ ସୂଚନା ଅଧିକାର ଆଇନ ବଳରେ ଲୋକନାଥ ତାଙ୍କ ବିରୋଧରେ ଅଭିଯୋଗ କରିଥିବା ପୂର୍ଣ୍ଣଚନ୍ଦ୍ର ଜାଣିବାକୁ ପାଇଥିଲେ। ଲୋକନାଥ ତାଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରିଛନ୍ତି ବୋଲି ଦର୍ଶାଇ ସେ ଏହାର ବିଚାର ପାଇଁ ଗଁା କମିଟିକୁ ଅନୁରୋଧ କରିଥିଲେ। ତଦନୁଯାୟୀ ଆଜି ଗାଁରେ ବୈଠକ ବସି ଲୋକନାଥଙ୍କୁ ଡକାଯାଇଥିଲା। ବୈଠକରେ ଲୋକନାଥଙ୍କୁ କୁହାଗଲା ଯେ ସରକାରୀ ଆବାସ ହିତାଧିକାରୀ ତାଲିକାରୁ ପୂର୍ଣ୍ଣଚନ୍ଦ୍ରଙ୍କ ନଁା କଟିଯିବା ପାଇଁ ସେ ଦାୟୀ। ପୂର୍ଣ୍ଣଚନ୍ଦ୍ରଙ୍କ ଘର ତିଆରି କର, ନଚେତ୍‌ ଦେଢ଼ଲକ୍ଷ ଟଙ୍କା ଦିଅ। ହେ‌ଲେ, ଲୋକନାଥ ସଭା‌ରେ ଟଙ୍କା ଦେବା କି ଘର ତିଆରି କରିବାକୁ ରୋକଠୋକ୍‌ ମନା କରି ଦେଇଥିଲେ। ସେ କହିଥିଲେ, ‘ମୁଁ ଗରିବ ଲୋକ, ମୋ କଥା ମଧ୍ୟ ବିଚାରକୁ ନିଆଯାଉ। ପୂର୍ଣ୍ଣଚନ୍ଦ୍ର ଜଣେ ସ୍ବଚ୍ଛଳ ବ୍ୟକ୍ତି। ସେ ଅଭି‌ଯୋଗ କରି ହିତାଧିକାରୀ ତାଲିକାରୁ ମୋ ନାମ କାଟିଲେ। ମୁଁ ମଧ୍ୟ ଅଭିଯୋଗ କରିବାରୁ ତାଲିକାରୁ ତାଙ୍କ ନାମ କାଟିଗଲା।’ ଗ୍ରାମବାସୀଙ୍କ ନିଷ୍ପତ୍ତିକୁ ଗ୍ରହଣ ନକରିବାରୁ ତାଙ୍କୁ ବାସନ୍ଦ କରାଯାଇଛି ବୋଲି ଲୋକନାଥ ଅଭିଯୋଗ କରିଛନ୍ତି। ପୂର୍ଣ୍ଣଚନ୍ଦ୍ର ମଧ୍ୟ ଏହା ସ୍ବୀକାର କରିଛନ୍ତି। ଲୋକନାଥ ଓ ପୂର୍ଣ୍ଣଚନ୍ଦ୍ର ପରସ୍ପର ବିରୋଧରେ ମିଥ୍ୟା ଅଭିଯୋଗ କରି ହିତାଧିକାରୀ ତାଲିକାରୁ ତାଙ୍କ ନାମ କାଟିଛନ୍ତି ବୋଲି ଉଭୟ କହିଛନ୍ତି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର