ବିଧାନସଭାରେ ଆବାସ କଳି : ହିତାଧିକାରୀ ଚୟନରେ କେଳେଙ୍କାରୀ ନେଇ ଗର୍ଜିଲେ ବିରୋଧୀ

ଭୁବନେଶ୍ବର : ଅଯୋଗ୍ୟଙ୍କୁ ଦିଆଯାଇଛି ଘର। ଯୋଗ୍ୟ ହିତାଧିକାରୀ ବାଦ୍‌ ପଡିଛନ୍ତି। କେଉଁଠି ପିସି ଆଦାୟ ହୋଇଛି ତ ଆଉ କେଉଁଠି ଅଧା ଘର ତିଆରି ଅବସ୍ଥାରେ ରହିଯାଇଛି। ଏଭଳି ମେଞ୍ଚା ମେଞ୍ଚା ଅଭିଯୋଗ ଆଣି ଆଜି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ସଂପର୍କରେ ସବୁ ବିଷ ଓଗାଳିଥିଲେ ବିରୋଧୀ ବିଜେପି ଓ କଂଗ୍ରେସ ବିଧାୟକ। ଯୋଜନା କାହା ନାମରେ ହେବ, କିଏ କେତେ ଅଂଶ ଧନ ଦେଉଛନ୍ତି, ପ୍ରକଳ୍ପରେ କାହାର ଲୋଗୋ ଲାଗିବ, ସେଥିରେ ବିଜେଡି-ବିଜେପି ଓ କଂଗ୍ରେସ ନେତାଙ୍କ କଳି ବିଧାନସଭାରେ ଆଜି ମୁଲତବୀ ପ୍ରସ୍ତାବ ଆଲୋଚନାକୁ ବେଶ୍ ରୋଚକ ସ୍ଥିତିକୁ ଟାଣି ନେଇଥିଲା। ତେବେ ବିଧାୟକମାନେ ଦାବି କରିଥିଲେ ଯେ ଘର ଆବଣ୍ଟନରେ ସେମାନଙ୍କର ସିଧାସଳଖ ସୁପାରିସ ମଧ୍ୟ ରହିବା ଦରକାର। ହେଲେ କିଏ ୨୦୦ ମାଗିଥିଲେ ତ ଆଉ କିଏ ୩୦୦, ପୁଣି କିଏ ୫୦୦ ଘର ସେମାନଙ୍କୁ ଦେବା ଲାଗି ଦାବି ଜଣାଇଥିଲେ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ରାଜ୍ୟ ସରକାର ନିଜସ୍ବ ଯୋଜନା ଭଳି ବ୍ୟବହାର କରିବା ଓ ବିଜୁ ବାବୁଙ୍କ ଫଟୋ ଥିବା ଲୋଗୋ ବ୍ୟବହାର ସଂକ୍ରାନ୍ତରେ ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବ ଆଲୋଚନାରେ ବିରୋଧୀ ଅସନ୍ତୋଷର ପାହା଼ଡ଼ ଠିଆ କରିଥିଲେ। ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ ଯେ ଓଡ଼ିଶାରେ ଆବାସ କେଳେଙ୍କାରୀରେ ସହ୍ୟ କରିବାର ସବୁ ସୀମା ଟପି ସାରିଲାଣି। ପ୍ରତିବାଦ କଲେ ସରକାର ଉତ୍ତର ଦେଉନାହାନ୍ତି। ତଥ୍ୟର ହେରଫେର କରି ଯେଉଁ ଉତ୍ତର ରଖାଯାଉଛି, ତାହା ଦିନରେ ଲୋକଙ୍କୁ ଲଣ୍ଠନ ଦେଖାଇବା ଭଳି।

ଶ୍ରୀ ମାଝୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ଦେଶର ୭୫ ବର୍ଷ ପୂରିବା ପୂର୍ବରୁ ସମସ୍ତଙ୍କୁ ପକ୍କାଘର ନିଶ୍ଚିତ ଲାଗି ଘୋଷଣା କରିଛନ୍ତି। ଏହି ଯୋଜନାରେ ୨୦୧୪ରୁ ୨୦୧୮ ମଧ୍ୟରେ ୧୮ଲକ୍ଷ ୬୩ ହଜାର ଘର ପାଇଁ କେନ୍ଦ୍ର ସରକାର ଅନୁଦାନ ଦେଇଛନ୍ତି। କିନ୍ତୁ ଏହାର ସଠିକ୍ କାର୍ଯ୍ୟାନ୍ବୟନ େହାଇପାରୁନାହିଁ। ଚଳିତ ଅଧିବେଶନରେ ମନ୍ତ୍ରୀ କହିଛନ୍ତି ଯେ ୨୦୧୪-୧୫ରୁ ୨୦୧୯ ନଭେମ୍ବର ୧୮ ତାରିଖ ସୁଦ୍ଧା ରାଜ୍ୟରେ ୨୨ଲକ୍ଷ ୯୨ ହଜାର ୭୪୪ ଟି ଘର ନିର୍ମାଣ ହୋଇଛି। ଆହୁରି ୬ଲକ୍ଷ ୯୯ ହଜାର ୮୬୮ଟି ଗୃହ ନିର୍ମାଣ ଜାରି ରହିଛି। ଅନ୍ୟପକ୍ଷରେ ସରକାରଙ୍କ ମୁଖପାତ୍ର ଆଇନାରେ ୨୦୧୯ ସୁଦ୍ଧା ସବୁ କଚ୍ଚା ଘର ପକ୍କା ଘର ହେବ ବୋଲି କହିଥିଲେ ହେଁ ୨୦୨୦ରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କେତେ ଦୂର କାର୍ଯ୍ୟକାରୀ ହେଲା, ସେ କଥା ମନ୍ତ୍ରୀ ଉତ୍ତର ଦିଅନ୍ତୁ। ସରକାର ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ େମାଟ ଖର୍ଚ୍ଚରୁ ୮୩.୮୪ ଭାଗ ଅର୍ଥ ବ୍ୟୟ େହାଇଥିବା ବେଳେ ବିଜୁ ପକ୍କା ଘର କ୍ଷେତ୍ରରେ ଏହା ମାତ୍ର ୧୨ ପ୍ରତିଶତ। ୧୨ ପ୍ରତିଶତ ଅର୍ଥରେ ମାତ୍ର ୧ଲକ୍ଷ ୪୩ ହଜାର ୨୨ଟି ବିଜୁ ପକ୍କା ଘର ନିର୍ମାଣ ହୋଇଥିବ। ସରକାରଙ୍କ ତାଲିକାରେ ଏତେ ଘର କେମିତି ଆସିଲା େବାଲି ଶ୍ରୀ ମାଝୀ ପ୍ରଶ୍ନ କରିଥିଲେ।

ହିତାଧିକାରୀ ଚୟନରେ କେଳେଙ୍କାରୀ ନେଇ ଗର୍ଜିଲେ
ବିଜୁଙ୍କ ଲୋେଗା ବ୍ୟବହାରକୁ ନେଇ ବିରୋଧୀଙ୍କ ଆପତ୍ତି
ବିଜେଡି କହିଲା, ଅନ୍ୟ ରାଜ୍ୟରେ ହେଉଛି, ଭୁଲ୍‌ ନାହିଁ

ବିଜେପି ପକ୍ଷରୁ ମୁକେଶ ମହାଲିଙ୍ଗ, ଭାସ୍କର ମଢେଇ ପ୍ରମୁଖ ଆଲୋଚନାରେ ଭାଗ ନେଇ କେଉଁ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ବାବୁଙ୍କ ଲୋଗୋ ଲାଗିବ, ସେ ନେଇ ମନ୍ତ୍ରୀଙ୍କ ଠାରୁ କୈଫିୟତ ଲୋଡିଥିଲେ।

କଂଗ୍ରେସ ପକ୍ଷରୁ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଥିଲେ ଯେ ନାମକୁ ନେଇ ଗଣ୍ଡଗୋଳ ଚାଲିଛି। କିନ୍ତୁ ଲୋକେ ଜାଣିଛନ୍ତି ଓ ମନେ ରଖିଛନ୍ତି ଯେ ଏହା ହେଉଛି ଇନ୍ଦିରା ଆବାସ। ଏହି ଅବସରରେ ଶ୍ରୀ ସାଲୁଜା ତାଲିକା ପ୍ରସ୍ତୁତିରେ କିଭଳି କେଳେଙ୍କାରୀ ହୋଇଛି ସେ ନେଇ ଗୃହର ଦୃଷ୍ଟି ଆକର୍ଷଣ କରିଥିଲେ। ଦଳ ପକ୍ଷରୁ ବିଧାୟକ ମହମ୍ମଦ ମୋକିମ୍ ମୁଲତବୀ ଆଲୋଚନାରେ ଭାଗ ନେଇଥିବା ବେଳେ ପିସି ନ ଦେଲେ ଘର ନାହିଁ େବାଲି ସଙ୍ଗିନ୍ ଅଭିଯୋଗ ଆଣିଥିଲେ। ବୈଧାନିକ ପ୍ରଶ୍ନ ଉତ୍‌ଥାପନ ଛଳରେ କଂଗ୍ରେସ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ମଧ୍ୟ ନିଜ ମତ ରଖିଥିଲେ।

ବିଜେଡି ପକ୍ଷରୁ ଅଶ୍ବିନୀ ପାତ୍ର, ରମେଶ ସାଏ, ଧ୍ରୁବ ଚରଣ ସାହୁ ଓ ପ୍ରଫୁଲ୍ଲ ସାମଲ ଭାଗ ନେଇ ପଡୋଶୀ ପଶ୍ଚିମବଙ୍ଗ, ସିକିମ୍‌ ଓ ତାମିଲନାଡୁର ଉଦାହରଣ ଦେଇଥିଲେ। କହିଥିଲେ ଯେ ପଶ୍ଚିମବଙ୍ଗରେ ବାଂଲା ଆବାସ ଯୋଜନା ଲେଖାଯାଉଛି। ମମତା ବାନାର୍ଜୀଙ୍କ ଫଟୋ ରହୁଛି। ସିକିମ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ରହୁଛି। ତାମିଲନାଡୁରେ ବି ମୁଖ୍ୟମନ୍ତ୍ରୀଙ୍କ ଫଟୋ ଏହି କାର୍ଯ୍ୟକ୍ରମରେ ଲାଗୁଥିବା କହିଥିଲେ। ଓଡ଼ିଶା ସରକାର ବିଜୁ ବାବୁଙ୍କ ଲୋଗେ ବ୍ୟବହାର କରି କିଛି ଭୁଲ କରିନାହାନ୍ତି ବୋଲି ସଭ୍ୟମାନେ ମତ ରଖିଥିଲେ।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ ଯେ ଉପକୂଳରେ ଧନୀ ଲୋକମାନେ ଅଯୋଗ୍ୟ ଲୋକଙ୍କୁ ସାମିଲ କରିବାର ନଜିର ଅଛି। ପଶ୍ଚିମଓଡ଼ିଶାରେ େସମିତି ନାହିଁ। ସରକାର ଅଯୋଗ୍ୟଙ୍କୁ କାଟନ୍ତୁ ଓ ଯୋଗ୍ୟଙ୍କୁ ସାମିଲ କରନ୍ତୁ ବୋଲି ଦାବି କରିଥିଲେ। ଶାସକ ଦଳର ସଭ୍ୟଙ୍କ ସହିତ ସ୍ବର ମିଳାଇଥିଲେ ବି ବିଧାୟକଙ୍କ ହାତରେ ୩୦୦ ପର୍ଯ୍ୟନ୍ତ ଘରର ହିତାଧିକାରୀ ଚୟନ କ୍ଷମତା ରଖାଯିବା ନେଇ ସେ ଦାବି କରିଥିଲେ। ବିଜେଡି ବିଧାୟକମାନଙ୍କ ମଧ୍ୟରୁ କିଏ ୫୦୦ ତ ଆଉ କିଏ ୩୦୦ ହିତାଧିକାରୀ ଚୟନ ଦାୟିତ୍ବ ତାଙ୍କୁ ଦେବାକୁ ମନ୍ତ୍ରୀଙ୍କୁ ନିବେଦନ କରିଥିଲେ।

ସମ୍ବନ୍ଧିତ ଖବର