ଘର କଳି ନୂଆ ମୋଡ଼ ନେଲା, ଆବାସ୍ ପ୍ଲସ୍ ପୋର୍ଟାଲ୍ ଖୋଲାଯାଉ: ଧର୍ମେନ୍ଦ୍ର
କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଭେଟି ପତ୍ର ଦେଲେ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଟଣାଓଟରା ଜାରି ରହିଛି। ଏହି ଯୋଜନା ନିମନ୍ତେ ଉର୍ଦ୍ଦିଷ୍ଟ ଆବାସ ପ୍ଲସ୍ ୱିଣ୍ଡୋ ଖୋଲିବା ପାଇଁ ରାଜ୍ୟ ସରକାର ଓ ଶାସକ ଦଳ ବିଭିନ୍ନ ସମୟରେ ଦାବି କରିଚାଲିଛନ୍ତି। ଗତ ବିଧାନସଭା ଅଧିବେଶନ ସମୟରେ ମଧ୍ୟ ଏହି ପ୍ରସଙ୍ଗ ଉଠିଥିଲା। ଶୁକ୍ରବାର ଦିନ ଏହି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜେ ଆଗକୁ ଆସିଛନ୍ତି। ନୂଆଦିଲ୍ଲୀରେ କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଭେଟି ସହ ଆବାସ ପ୍ଲସ୍ ୱିଣ୍ଡୋ ଖୋଲିବାକୁ ଅନୁରୋଧ କରିଛନ୍ତି। ସେ ଯୁକ୍ତି ବାଢ଼ିଛନ୍ତି ଯେ ୨୦୨୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ବଜେଟ୍ ଓ ସମୟସୀମା ବୃଦ୍ଧି କରାଯାଇଛି। ତେଣୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଓଡ଼ିଶାକୁ ସୁଯୋଗ ଦିଆଯାଉ। ଆଲୋଚନା ସମୟରେ ଏ ଦିଗରେ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ସିଂହ ପ୍ରତିଶ୍ରୁତି ଦେଇଛନ୍ତି।
କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀଙ୍କୁ ଦେଇଥିବା ପତ୍ରରେ ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ଆବାସ ପ୍ଲସ ଓ୍ୱିଣ୍ଡୋ ଖୋଲାଯାଇ ରୁରାଲ ହାଉସିଂ ପୋର୍ଟାଲରୁ ଯୋଗ୍ୟ ହିତାଧିକାରୀଙ୍କ ତଥ୍ୟକୁ ସ୍ୱଚ୍ଛ ଓ ପାରଦର୍ଶୀ ଭାବରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ‘ସ୍ଥାୟୀ ଓ୍ୱେଟିଂ ଲିଷ୍ଟ’କୁ ସ୍ଥାନାନ୍ତର କରାଯାଉ ଏବଂ ଓଡ଼ିଶାକୁ ସୁଯୋଗ ଦିଆଯାଉ। ଏହା ସହ କିପରି ଭାବରେ ଜଣେ ବି ଯୋଗ୍ୟ ହିତାଧିକାରୀ ବଞ୍ଚିତ ନ ହେବେ ସେ ଦିଗରେ ବ୍ୟାପକ ତଦାରଖ କରାଯାଉ। ଦେଶର ଗରିବ, ମହିଳା, ଦିବ୍ୟାଙ୍ଗ, ଏସ୍ସି, ଏସ୍ଟି, ଓବିସି, ସଂଖ୍ୟାଲଘୁ ଓ ଆର୍ଥିକ ଦୁର୍ବଳ ଦୃଷ୍ଟିରୁ ପଛୁଆ ଲୋକଙ୍କୁ ପକ୍କା ଘର ଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନା କରାଯାଇଛି। ଏହି ଯୋଜନା ଅଧୀନରେ ୨.୯୫ କୋଟି ଗୃହ ନିର୍ମାଣ କରିବାର ଲକ୍ଷ୍ୟ ରଖାଯାଇଥିବା ବେଳେ ଅତିରିକ୍ତ ୧.୨୫ ଲକ୍ଷ କୋଟି ଟଙ୍କାର ବଜେଟ୍ ଅନୁଦାନ ସହ ୨୦୨୪ ପର୍ଯ୍ୟନ୍ତ ଏହି ଯୋଜନାର ସମ୍ପ୍ରସାରଣ କରାଯାଇଛି। ବର୍ତ୍ତମାନ ଦେଶରେ ୧.୯ କୋଟି ଘର ନିର୍ମାଣ କରାଯାଇଛି। ସେହିପରି ଓଡ଼ିଶାରେ ପ୍ରାୟ ୨୭ ଲକ୍ଷ ହିତାଧିକାରୀ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ସାମିଲ ଅଛନ୍ତି।
ଅନେକ ଯୋଗ୍ୟ ହିତାଧିକାରୀ ଆବାସ ପ୍ଲସ୍ ପ୍ଲାଟ୍ଫର୍ମରୁ ବଞ୍ଚିତ ହୋଇଛନ୍ତି
ବିଜେଡିର ଭୋଟ୍ ଅଧିକ ଥିବା ଜିଲ୍ଲାରେ ଅଧିକ ଘର ଦିଆଯାଇଛି
ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର କ୍ରିୟାନ୍ୱୟନରେ ବ୍ୟାପକ ଅନିୟମିତତା ଅଭିଯୋଗ ନେଇ ୨୦୨୧ ଓ ୨୦୨୨ ଫେବ୍ରୁଆରିରେ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ତଦନ୍ତ ହୋଇଥିଲା। ପ୍ରଥମ ତଦନ୍ତ ରିପୋର୍ଟରୁ ଜଣାପଡ଼ିଥିଲା ଯେ ଯୋଗ୍ୟ ହିତାଧିକାରୀଙ୍କୁ ସ୍ଥାୟୀ ୱେଟିଂ ଲିଷ୍ଟରୁ ବାଦ୍ ଦିଆଯାଇଛି। ଆବାସ ସଫ୍ଟରେ ଦିଆଯାଇଥିବା ତଥ୍ୟରେ ବ୍ୟାପକ ଅନିୟମିତତା ଥିବା ମଧ୍ୟ ରିପୋର୍ଟରେ କୁହାଯାଇଥିଲା। ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ଲୋଗୋର ଟ୍ୟାମ୍ପରିଂ କରାଯାଇଥିବା ଉକ୍ତ ରିପୋର୍ଟରେ ପ୍ରକାଶ ପାଇଥିଲା। ସେହିପରି ଦ୍ୱିତୀୟ ତଦନ୍ତରୁ ଜଣାପଡ଼ିଥିଲା ଯେ ନିମ୍ନମାନର ବାସଗୃହ ନିର୍ମାଣ, ଆବାସ ପ୍ଲସ୍ ସର୍ଭେରେ ତ୍ରୁଟି, ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଯୋଜନାର ଲୋଗୋ ବ୍ୟବହାରରେ ଅବହେଳା, ଯୋଜନାକୁ ରାଜ୍ୟରେ ବ୍ୟାପକ ଭାବରେ କ୍ରିୟାନ୍ୱୟନ କରିବାରେ ଓଡ଼ିଶା ସରକାର ଠିକ୍ ଭାବରେ ତଦାରଖ କରି ନଥିଲେ। ଏ ଦିଗରେ ରାଜ୍ୟବ୍ୟାପୀ ଠିକ୍ ଭାବରେ ପିଏମ ଗ୍ରାମୀଣ ଆବାସ ଯୋଜନାକୁ କ୍ରିୟାନ୍ୱୟନ କରିବା ପାଇଁ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖିଥିଲେ।

ଶ୍ରୀ ପ୍ରଧାନ ଆହୁରି ଅଭିଯୋଗ କରିଛନ୍ତି ଯେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଚୂଡ଼ାନ୍ତ ଆବାସ ପ୍ଲସ ତାଲିକାରେ ୮ ଲକ୍ଷ ୧୭ ହଜାର ୫୧୩ ଘର ପ୍ରଦାନ କରାଯାଇଥିବା ବେଳେ ରାଜ୍ୟ ସରକାର ଶାସକ ଦଳର ଭୋଟ୍ ହାର ଅଧିକ ଥିବା ଜିଲ୍ଲାରେ ଜାଣିଶୁଣି ଅଧିକ ଘର ପ୍ରଦାନ କରିଥିଲେ। ତଥ୍ୟରୁ ଜଣାପଡ଼ୁଛି ଯେ ଏହି ୮ ଲକ୍ଷ ୧୭ ହଜାର ୫୧୩ ଘର ମଧ୍ୟରୁ ଦକ୍ଷିଣ ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ୧୪ଟି ଜିଲ୍ଲା ଜନଜାତି ବହୁଳ ଏବଂ ମାଓବାଦୀ ପ୍ରବଣ ଅଞ୍ଚଳ ଯଥା ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଗଜପତି, କନ୍ଧମାଳ, ଦେବଗଡ଼ ଏବଂ ସୋନପୁର ଇତ୍ୟାଦି ୧୪ଟି ଜିଲ୍ଲାକୁ ମାତ୍ର ୬ ହଜାର ୬୪୮ ଘର ଆବଣ୍ଟନ କରାଯାଇଛି।
ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ବେଳେ ଅଧିକ ଗ୍ରାମୀଣ ପରିବାର ଦୁର୍ଗମ ଜିଲ୍ଲାରେ ବସବାସ କରୁଛନ୍ତି। ତାହା ମଧ୍ୟରୁ ଜନଜାତି ଜନସଂଖ୍ୟା ଅଧିକ ଥିବାରୁ ଘର ଗୁଡ଼ିକ ପ୍ରଭାବିତ ହେଉଛି । ୨୦୧୯ରେ ଫନି, ୨୦୨୦ରେ ଅମ୍ଫାନ ଏବଂ ୨୦୨୧ରେ ଜଓ୍ୱାଦ ବାତ୍ୟାର ସମ୍ମୁଖୀନ ହୋଇଛି। ବାତ୍ୟା ଓ ବନ୍ୟା ଦ୍ୱାରା ପ୍ରଭାବିତ ଥିବା ପରିବାରଗୁଡ଼ିକ ସ୍ଥାୟୀ ଓ୍ୱେଟିଂ ଲିଷ୍ଟ କିମ୍ବା ଆବାସ ପ୍ଲସ ପ୍ଲାଟଫର୍ମରେ ସାମିଲ ହେବା ପାଇଁ ଅପେକ୍ଷା କରିଛନ୍ତି । ଜିଓ ଟ୍ୟାଗିଂରେ କିମ୍ବା ଆବାସ ପ୍ଲସ ସଫ୍ଟଓୟାରରେ ଆଧାର ଓ ଜବ୍ କାର୍ଡ ସଂଯୋଗୀକରଣରେ ବିଳମ୍ବ ଭଳି ବୈଷୟିକ ଆଧାରରେ ତ୍ରୁଟି ଲାଗି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଯୋଗ୍ୟ ହିତାଧିକାରୀ ସ୍ଥାୟୀ ଓ୍ୱେଟିଂ ଲିଷ୍ଟରେ ଥାଇ ମଧ୍ୟ ବାସଗୃହ ପାଇପାରିନାହାନ୍ତି। ଏହା ବ୍ୟତୀତ ଅନେକ ଯୋଗ୍ୟ ହିତାଧିକାରୀଙ୍କୁ ଆବାସ ପ୍ଲସ୍ ପ୍ଲାଟଫର୍ମରୁ ବଞ୍ଚିତ ରଖାଯାଇଛି।
ଓଡ଼ିଶା ସରକାର ଦାବି କରିଛନ୍ତି ଯେ ଦକ୍ଷିଣ ପଶ୍ଚିମ ଜିଲ୍ଲାର ୫.୦୯ ଲକ୍ଷ ହିତାଧିକାରୀ ସମେତ ମୋଟ ୬.୬୫ ଲକ୍ଷ ହିତାଧିକାରୀଙ୍କୁ ଷ୍ଟେଟ୍ ରୁରାଲ ହାଉସିଂ ପୋର୍ଟାଲରେ ଯୋଡ଼ାଯାଇଛି। ରାଜ୍ୟ ସରକାର ଫନି ସ୍ପେସାଲ ଓ୍ୱିଣ୍ଡୋ ସମୟରେ ଆବାସ ପ୍ଲସ ପ୍ଲାଟଫର୍ମରେ ୫.୫ ଲକ୍ଷ ଅଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତର୍ଭୁକ୍ତ କରିଥିବା ବେଳେ ହିତାଧିକାରୀଙ୍କ ତାଲିକାକୁ ତଦାରଖ କରିବାକୁ ହେବ। ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଓ ରାଜ୍ୟର ନିଜସ୍ୱ ଗୃହ ଯୋଜନାରେ ହିତାଧିକାରୀଙ୍କ ଯେପରି ନକଲ ନ ହୁଏ, ସେ ଦିଗରେ ବ୍ୟାପକ ତଦାରଖ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି।