ବଲାଙ୍ଗୀରରେ ଆବାସ ଦୁର୍ନୀତି: ଥିଲାବାଲା ପାଉଛି, ଗରିବ ବାଦ୍‌ ପଡୁଛି

ଜିଆର୍‌ଏସ୍‌ ପଠାଇଥିବା ଯୁବକକୁ ଘେରିଲେ ରଣ୍ଡା ଗ୍ରାମବାସୀ

ବଲାଙ୍ଗୀର: ଦୁର୍ନୀତିର ଦୁର୍ନାମ ବଢ଼ିଚାଲିଛି। ଗାଁ ଗାଁରେ ଏବେ ଦୁର୍ନୀତିର ଚିତ୍ର। ଘେରାଏ ବୁଲି ଆସିଲେ ଜଣାପଡ଼ିଯାଉଛି କେମିତି ହେଉଛି ଦୁର୍ନୀତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ ରଣ୍ଡା ପଂଚାୟତରେ। ଜିଆର୍‌ଏସ୍‌ ପଠାଇଥିବା ଜଣେ ଯୁବକ ଘର ଫଟୋ ଉଠାଇବାକୁ ଯାଇଥିବା ବେଳେ ଗାଁ ଲୋକଙ୍କ ହାବୁଡ଼ରେ ପଡ଼ିଛନ୍ତି। ତାଲିକାରେ ଥାଇ ବାଦ୍‌ ପଡ଼ିଥିବା ହିତାଧିକାରୀମାନେ ଉକ୍ତ ଯୁବକଙ୍କୁ ଗାଁରେ ଅଟକ ରଖିଥିଲେ। ଯୁବକ ଜଣକ ବି ସବୁ ଭୁଲ୍‌ ସ୍ୱୀକାର କରି କଷ୍ଟରେ ଗାଁ ଲୋକଙ୍କ କବଳରୁ ମୁକୁଳିଥିଲେ।

ରଣ୍ଡା ଗ୍ରାମବାସୀଙ୍କ କହିବା ହେଲା, ଏସ୍‌ଇସିସି ତାଲିକାରେ ଗରିବ ପରିବାରର ନାମ ସ୍ଥାନ ପାଇଥିଲା। ହେଲେ ସେମାନଙ୍କୁ ଚଞ୍ଚକତା କରି ତାଲିକାରୁ ବାଦ୍‌ ଦେଇ ଯେଉଁମାନଙ୍କ ପକ୍କା ଘର ରହିଛି ସେମାନଙ୍କୁ ଘର ଦିଆଯାଇଥିଲା। ଗାଁର ଶ୍ୟାମଚରଣ ସିଂହ, ରାଧାକାନ୍ତ ସାହୁ, ବସୁ ମନହୀରା, ମିଲା ଚନ୍ଦନ, ଧୃବ ମାହାର, ଦଶରଥ ବନଛୋର, କର ବନଛୋର, ରଙ୍କ ମନହୀରା, ଉଗ୍ରସେନ ସାହୁ, ସନ୍ତୋଷ ମିଶ୍ର, ପୁରନ୍ଦର ସାହୁ, ଚୈତନ୍ୟ ବିଶ୍ୱାଲ, ଗୋପାଳ ଚନ୍ଦ୍ର ସିଂ ପ୍ରମୁଖଙ୍କ ନାଁ ଏସ୍‌ଇସିସି ତାଲିକାରେ ସ୍ଥାନ ପାଇଥିଲା। ପ୍ରାଥମିକତା ଭିତ୍ତିରେ ତାଲିକାରେ ନାଁ ରହିବା ସହ ପଂଚାୟତର କାନ୍ଥରେ ଲେଖାଯାଇଥିଲା।

ପଂଚାୟତର ଗ୍ରାମ ରୋଜଗାର ସେବକ ଓ ନିର୍ବାହୀ ଅଧିକାରୀ ସେମାନଙ୍କଠାରୁ ଆବଶ୍ୟକ କାଗଜପତ୍ର ସଂଗ୍ରହ କରି ଘର କରିବାକୁ ନିର୍ଦେଶ ଦେଇଥିଲେ। କିନ୍ତୁ ଗତ ଏକ ମାସ ତଳେ ସେମାନେ ଜାଣିବାକୁ ପାଇଲେ ସେମାନଙ୍କ ନାଁ ସବୁ ତାଲିକାରୁ କାଟି ଦିଆଯାଇଛି। ଏଣୁ ପୁଇଁତଲା ବିଡିଓଙ୍କୁ ସାକ୍ଷାତ କରି କାରଣ ଜାଣିବାକୁ ଚାହିଁଥିଲେ। ବିଡିଓ କହିଥିଲେ ଭୁବନେଶ୍ୱରରୁ ତାଙ୍କ ନାଁ ସବୁ କାଟି ଦିଆଯାଇଛି। ଏହାପରେ ଗରିବ ପରିବାରଙ୍କ ସମସ୍ୟା ଜାଣି ସ୍ଥାନୀୟ ସରପଞ୍ଚ ବୀରଭଦ୍ର ସିଂହ ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କୁ ଲିଖିତ ଭାବରେ ସବୁ ଜଣାଇଥିଲେ। କୌଣସି ପଦକ୍ଷେପ ନିଆଗଲା ନାହିଁ।

ଏପଟେ ଦୁର୍ନୀତି କରି ଥିଲାବାଲାଙ୍କୁ ଘର ଦେଇ ବିଲ୍‌ ପାଇଁ ଉକ୍ତ ଘରର ଫଟୋ ଉଠାଇବାକୁ ଜିଆର୍‌ଏସ୍‌ ଜଣକୁ ଗାଁକୁ ପଠାଇଥିଲେ। ଲୋକେ ଏହା ଜାଣିବା ପରେ ତାତିଥିଲେ ଓ ଯୁବକ ଜଣଙ୍କୁ ନାନା ପ୍ରଶ୍ନ କରିଥିଲେ। ତିନି ମହଲା ଘର ଥିବା ଲୋକଙ୍କୁ କେମିତି ଘର ଦିଆଗଲା? ଛାତ ପଡ଼ିନଥିଲେ ବି ସଂପୂର୍ଣ୍ଣ ବିଲ କେମିତି ଉଠିଲା? ଏଭଳି ନାନା ପ୍ରଶ୍ନ ପଚାରି ଅନେକ ସମୟ ଅଟକ ରଖିଥିଲେ। ପରେ ହିତାଧିକାରୀ ବିଡିଓଙ୍କ ନିକଟକୁ ଯାଇଥିଲେ। ଗାଁ ଲୋକେ କହିଛନ୍ତି, ଜିଆର୍‌ଏସ୍‌ଙ୍କ କାମ ଉକ୍ତ ଯୁବକ କରିଥାନ୍ତି।

ଲାଞ୍ଚ କାରବାର ହେଲେ ବି ସେ ସବୁ ବୁଝାବୁଝି କରୁଛନ୍ତି। ଯେଉଁମାନେ ଲାଞ୍ଚ ଦେଇଛନ୍ତି ସେମାନଙ୍କୁ ଜିଆର୍‌ଏସ୍‌ ଘର ଦେଇଛନ୍ତି। ଯେଉଁମାନେ ଲାଞ୍ଚ ଦେଇ ନାହାନ୍ତି ସେମାନେ ଘର ପାଇ ନାହାନ୍ତି ବୋଲି କହିଛନ୍ତି। ରଣ୍ଡା ପଂଚାୟତରେ ହୋଇଥିବା ଆବାସ ଦୁର୍ନୀତିର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ଗାଁ ଲୋକ ଦାବି କରିଛନ୍ତି।

ଏ ନେଇ ପୁଇଁତଲା ବିଡିଓଙ୍କୁ ପଚରାଯିବାରୁ ଏସ୍‌ଇସିସି ତାଲିକାରୁ ନାଁ କେମିତି କଟିଲା ତାହା ସେ ବୁଝିପାରୁ ନାହାନ୍ତି। ହେଲେ ଅଭିଯୋଗ ପାଇବା ପରେ ତଦନ୍ତ କରାଯାଇଥିଲା। ଯେଉଁମାନେ ବାଦ୍‌ ପଡ଼ିଛନ୍ତି ସେମାନଙ୍କୁ ଘର ଦେବାକୁ ପୁଣି ଥରେ ସରକାରଙ୍କୁ ଜଣାଯାଇଛି ବୋଲି କହିଛନ୍ତି। ଆଜି ଯାଇଥିବା ଯୁବକ ଜଣକ ଜିଓଟ୍ୟାଗ ବୋଲି ବିଡିଓ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର