ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ରେ ଆବାସ ଦୁର୍ନୀତି ଥମିବାର ନାଁ ନେଉନି। ପ୍ରତିଦିନ କେଉଁଠି ନାଁ କେଉଁଠି ନୂଆ ନୂଆ କେଳେଙ୍କାରୀର ଚିତ୍ର ସାମ୍‌ନାକୁ ଆସୁଛି। ବ୍ଲକ୍‌ର ସଙ୍କୁଲେଇ ପଞ୍ଚାୟତର କମ୍ଭୁନାଥପୁର ଗ୍ରାମର ରଜନୀ ବେହେରା ନାମକ ଜଣେ ଗରିବ ମହିଳା ଓ ତାଙ୍କର ଦିନ ମଜୁରିଆ ପରିବାର ଆବାସ ଯୋଜନାରେ ଘର ଖଣ୍ଡେ ପାଇବାକୁ ପଞ୍ଚାୟତ ଅଫିସରେ ବାରମ୍ବାର ଗୁହାରି କରୁଥିଲେ। କିନ୍ତୁ ଏନେଇ କୌଣସି ସୁଫଳ ନମି​ଳିବାରୁ ନିରାଶ ହୋଇ ହରଭଙ୍ଗା ବିଡିଓଙ୍କୁ ଭେଟି ଦୁଃଖ ଜଣାଇଥିଲେ।

Advertisment

publive-image

ଏହାପରେ ବିଡିଓଙ୍କ ନିର୍ଦେଶରେ ହିତାଧିକାରୀଙ୍କ ତାଲିକା ଯାଞ୍ଚ୍‌ ବେଳେ ତାଙ୍କ ନାମରେ ୨୦୧୪-୧୫ ଆର୍ଥିକ ବର୍ଷ ରେଜିଷ୍ଟ୍ରେସନ ନଂ ଆର୍‌ଏଜେ ୧୭୦୪୨୧୩୨୯ଏଲ  ଏକ ଆବାସ ଗୃହ ମଞ୍ଜୁର ହୋଇଥିବା ଜଣାପଡ଼ିଥିଲା। ୨୦୧୬-୧୭ରେ ଘର ଶେଷ ହୋଇ ଫାଇନାଲ୍‌ ବିଲ୍‌ ମଧ୍ୟ ଉଠି ସାରିଥିବା ଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି। ଏକଥା ଶୁଣି ପରିବାର ଲୋକଙ୍କ ପାଦତଳୁ ମାଟି ଖସି ଯାଇଥିଲା। ଏହି ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରଜନୀ ଲିଖିତ ଅଭିଯୋଗ କରିଛନ୍ତି। ତେବେ ବିଡିଓ ନିଜେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏନେଇ ହରଭଙ୍ଗା ବିଡିଓ ନୀଳକଣ୍ଠ ବେହେରାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳି ପାରିନାହିଁ। ୯ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟ ଅବକାଶ ସାହୁ ଆବାସ ଯୋଜନାରେ ହିତାଧିକାରୀଙ୍କ ଅନୁଦାନ ଅର୍ଥ ହଡ଼ପ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି। ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।