ଜଳେଶ୍ବରରେ ଆବାସ ଯୋଜନା କେଳେଙ୍କାରୀ : ଜିଆର୍‌ଏସ୍‌ ବହିଷ୍କୃତ, ପିଇଓ, ଜେଇଙ୍କ ବଦଳି

‘ମୋ ସରକାର’ରୁ ଫୋନ୍‌ ‌ପରେ କାର୍ଯ୍ୟାନୁଷ୍ଠାନ

ବାଲେଶ୍ବର/ଜଲେଶ୍ବର : ଜଳେଶ୍ୱର ବ୍ଲକ୍‌ ପଶ୍ଚିମବାଡ଼ ପଞ୍ଚାୟତର ଦେବକୁମାର ଗ୍ରାମରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ କେଳେଙ୍କାରୀ ଅଭିଯୋଗର ତଦନ୍ତ ପରେ ସମ୍ପୃକ୍ତ ‌ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଉକ୍ତ ପଞ୍ଚାୟତ ଜିଆରଏସ୍‌ ସବିତା ପୃ‌‌ଷ୍ଟିଙ୍କୁ କାର୍ଯ୍ୟରୁ ବହିଷ୍କାର କରିଥିବା ବେଳେ ପିଇଓ ସୁଶାନ୍ତ କୁମାର ଜେନା ଓ ଜେଇ ଦୀନେଶ କୁମାର ଅଢ଼ାଙ୍କୁ ବଦଳି ସହିତ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି।

ମିଳିଥିବା ସୂଚନାନୁଯାୟୀ, ଦେବକୁମାର ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ କେଳେଙ୍କାରୀ ନେଇ ଅଭିଯୋଗ ହେବା ପରେ ଗତକାଲି ଜଣେ ହିତାଧିକାରୀଙ୍କ ପାଖକୁ ଗତକାଲି ‘ମୋ ସରକାର’ ପକ୍ଷରୁ ଫୋନ୍‌କଲ୍‌ ଆସିଥିଲା। ଏହାର ତଦନ୍ତ କରିବା ପାଇଁ ଆଜି ଅଚାନକ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ଓ ପିଡି, ଡିଆରଡିଏ ରାମଚନ୍ଦ୍ର ଜେନା ଉକ୍ତ ଅଞ୍ଚଳକୁ ଗସ୍ତ କରିଥିଲେ।

ଅଭିଯୋଗର ତଦନ୍ତ ସମୟରେ ବିଭିନ୍ନ ସରକାରୀ ଯୋଜନାରେ କିଭଳି ଅନିୟମିତତା ଚାଲିଛି ତାହା ଜିଲ୍ଲାପାଳ ନିଜେ ଦେଖିବାକୁ ପାଇଥିଲେ। ଗ୍ରାମର ୧୫,୧୬ ଓ ୧୭ ନମ୍ବର ୱାର୍ଡରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଆସୁଥିଲା।

ଏପରିକି ସେଠାରେ ମୃତ ଲୋକଙ୍କୁ ଜୀବିତ ଦର୍ଶାଇ ତାଙ୍କ ନାମରେ ବାର୍ଧକ୍ୟ ଭତ୍ତା ଟଙ୍କା ମଧ୍ୟ ଉଠାଯାଇଥିବା ଜିଲ୍ଲାପାଳଙ୍କ ନିକଟରେ କିଛି ବ୍ୟକ୍ତି ସେଠାରେ ଅଭିଯୋଗ କରିଥିଲେ। ତଦନ୍ତ ସମୟରେ ଗାଁର ଜେନା ସାଙ୍ଗିଆଧାରୀ ତିନିଭାଇଙ୍କ ନାମରେ ତିନିଟି ଘରର ବିଲ୍‌ ଉଠାଯାଇଥିବା ବେଳେ ଘର କିନ୍ତୁ ଗୋଟିଏ ରହିଛି ବୋଲି ଜିଲ୍ଲାପାଳ ଜାଣିବାକୁ ପାଇଥିଲେ। ସେହିପରି ଗାଁର ଜଣେ ଅଙ୍ଗନବାଡ଼ି କର୍ମୀଙ୍କ ନାମରେ ମଧ୍ୟ ଗ୍ରାମ୍ୟ ଗୃହନିର୍ମାଣ ଯୋଜନାରୁ ଘର ନିର୍ମାଣ ପାଇଁ ଟଙ୍କା ଦିଆଯାଇଛି। ଅନ୍ୟଜଣେ ବ୍ୟକ୍ତିଙ୍କ କୌଣସି ଘର ନିର୍ମାଣ ହୋଇ ନଥିବା ବେଳେ ତାଙ୍କ ନାମରେ ଘରର ସମ୍ପୂର୍ଣ୍ଣ ବିଲ୍‌ ଉଠାଇ ନିଆଯାଇଛି। ସେହିପରି ଗାଁର କାହାକୁ ବୋନସ୍‌ ଟଙ୍କା ମିଳିନି ତ ଆଉ କାହାକୁ ୩ ମାସ ତଳୁ ଘର କାମ ଶେଷ  କରିଥିଲେ ବି ବିଭିନ୍ନ ଆଳ ଦେଖାଇ ଟଙ୍କା ଦିଆଯାଉନି ବୋଲି ତଦନ୍ତ ସମୟରେ ଜିଲ୍ଲାପାଳଙ୍କ ନିକଟରେ ହୋଇଥିବା ଅଭିଯୋଗରେ ସେ ତଦନ୍ତ କରିଥିଲେ। ବ୍ଲକ୍‌, ପଞ୍ଚାୟତ, ରାଜସ୍ବ ବିଭାଗର ଅଧିକାରୀମାନେ ଜିଲ୍ଲାପାଳଙ୍କ ଗସ୍ତକୁ ନେଇ ଧାଁ ଧପଡ଼ କରୁଥିବା ଦେଖାଯାଇଥିଲା। ଏହାପରେ ଜିଲ୍ଲାପାଳ ସେମାନଙ୍କ ବିରୋଧରେ ଉକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ମିଳିଛି।

ଏତେ ବଡ଼ ଦୁର୍ନୀତି…

ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଏବେ ଅଣ୍ଢରା ଇଚ୍ଛାପୁର ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ପାଇଖାନା ବିଲ୍ ହୋଇ ଟଙ୍କା ହଡ଼ପ କରାଯାଇଥିବା ଜଣାପଡ଼ିଛି। ଅଡ଼ଙ୍ଗାସାହି ଗ୍ରାମର ୫ ବର୍ଷ ତଳୁ ମୃତ୍ୟୁବରଣ କରିଥିବା ଜଣେ ବ୍ୟକ୍ତିଙ୍କ ନାମରେ ମଧ୍ୟ ଟଙ୍କା ଉଠାଯାଇଛି। ସେହିପରି ଦିହୁଡ଼ା ଗ୍ରାମର ଜଣେ ଅବିବାହିତ ଯୁବକ ତାଙ୍କ ନାମରେ ଦୁଇଟି ବିଲ୍ କରାଯାଇଥିବା ଭଳି ତଥ୍ୟ ସାମ୍ନାକୁ ଆସିଛି। ପଞ୍ଚାୟତର ସମସ୍ତ ହିତାଧିକାରୀଙ୍କ ପାଇଖାନା ଯାଞ୍ଚ କରାଯିବ ବୋଲି ବିଡିଓ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ ଏହାକୁ ନେଇ ଆଜି ଭିଜିଲାନ୍ସରେ ମଧ୍ୟ ଅଭିଯୋଗ ହୋଇଛି। ପଞ୍ଚାୟତରେ ଦୁଇଟି ଏନ୍‌ଜିଓ ଏହି ମହାଦୁର୍ନୀତିର ମୂଳରେ ଥିବାରୁ ସେହି ସଂସ୍ଥାଦ୍ବୟର ସମସ୍ତ ସଦସ୍ୟଙ୍କୁ ଗିରଫ କରିବାକୁ ମଧ୍ୟ ଦାବି ହୋଇଛି।

ସମ୍ବନ୍ଧିତ ଖବର